ଷୋଡ଼ଶ ଶତାବ୍ଦୀର ଓଡ଼ିଆ ଭକ୍ତି ଆନ୍ଦୋଳନର ପୁରୋଧା ପଞ୍ଚସଖାଙ୍କ ମଧ୍ୟରୁ ବଳରାମ ଦାସ ଅନ୍ୟତମ। ‘ଜଗମୋହନ ରାମାୟଣ’, ‘ଲକ୍ଷ୍ମୀପୁରାଣ’, ‘ବ୍ରହ୍ମାଣ୍ଡ ଭୂଗୋଳ’, ‘ଭାବସମୁଦ୍ର’, ‘ବଟ ଅବକାଶ’, ‘ବେଦାନ୍ତସାର ଗୁପ୍ତଗୀତା’ ‘ଉଦ୍ଧବ ଗୀତା’ ଆଦି ତାଙ୍କର ପ୍ରମୁଖ ରଚନା। ଜଗନ୍ନାଥ ଦାସଙ୍କ ‘ଭାଗବତ’ ପରି, କ୍ଷୁଦ୍ର ରଚନା ‘ଲକ୍ଷ୍ମୀପୁରାଣ’ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଓ ଆଦୃତ। ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିର ପ୍ଳାବନରେ ତାଙ୍କ ରଚିତ ‘ଭାବସମୁଦ୍ର’ ଉଚ୍ଛଳ। ଏହା ୭୪୮ଟି ସ୍ବୟଂସଂପୂର୍ଣ୍ଣ ପଦର ଏକ ରଚନା ଏବଂ ସେହି ପଦଗୁଡ଼ିକର ଗଠନରୀତି ଅଭିନବ। ପ୍ରତ୍ୟେକ ପଦ ବା ସ୍ତବକ ଛଅ ପାଦ ବିଶିଷ୍ଟ ଏବଂ ସେଗୁଡ଼ିକର ଅକ୍ଷର ସଂଖ୍ୟା ୧୧। ପଦର ଆରମ୍ଭରେ ‘ହରିହୋ’ ସମ୍ବୋଧନ, ତୃତୀୟ ପାଦରେ ‘ନାଥ’ ସମ୍ବୋଧନ ଏବଂ ପଞ୍ଚମ ପାଦରେ ‘ହରିହୋ’ର ପୁନରାବୃତ୍ତି ଏହାର ବିଶେଷତ୍ବ।
ଉପରୋକ୍ତ ସୁଭାଷିତରେ ଶ୍ରୀଜଗନ୍ନାଥଙ୍କ ପ୍ରତି ବଳରାମ ଦାସଙ୍କ ଦୃଢ଼ଭକ୍ତିର ନିଦର୍ଶନ ଲକ୍ଷ୍ୟ କରାଯାଏ। ଏହା ରଥଯାତ୍ରା ସଂପର୍କିତ ସେହି ପ୍ରସିଦ୍ଧ ଉପାଖ୍ୟାନଟିକୁ ସ୍ମରଣ କରାଇଦିଏ। ଏକଦା ରଥଯାତ୍ରାରେ ସେବକମାନେ ତାଙ୍କୁ ରଥରୁ ଘଉଡ଼ାଇ ଦେଇଥିଲେ। ତୀବ୍ର ଅଭିମାନରେ ସେ ସମୁଦ୍ରତଟ ବାଙ୍କି ମୁହାଣରେ ବାଲିରେ ରଥ ନିର୍ମାଣ କରିଥିଲେ। ଶ୍ରୀଜଗନ୍ନାଥ ସେହି ରଥରେ ଅବସ୍ଥାନ କରିବାରୁ ବଡ଼ଦାଣ୍ଡରେ ରଥ ଚାଲି ନ ଥିଲା। ଏହା ଜାଣି ତାଙ୍କୁ ଲୋଡ଼ି ଅଣାଯିବା ପରେ ରଥ ଚାଲିଥିଲା।
ଏହା ବଳରାମ ଦାସଙ୍କ ଭକ୍ତିର ଦୃଢ଼ତା ସୂଚାଏ। ଶ୍ରୀଜଗନ୍ନାଥ ଭକ୍ତର ଚିତ୍ତରେ ଅବସ୍ଥାନ କରନ୍ତି। ତାଙ୍କୁ ସେଠାରୁ କେହି ବିଚ୍ୟୁତ କରି ପାରନ୍ତି ନାହିଁ। ଭକ୍ତ ତାଙ୍କୁ ନିଜର ଚିତ୍ତରେ ଦୃଢ଼ ଭାବରେ ଧରି ରଖିବାରୁ ସେ ମଧ୍ୟ ସେଠାରୁ ଚାଲିଯାଇ ପାରନ୍ତି ନାହିଁ। ଏହା ଭକ୍ତ ଓ ଭଗବାନଙ୍କ ସଂପର୍କର ଦୃଢ଼ତା ହିଁ ସୂଚାଏ।