ଆସୀନୋ ଦୂରଂ ବ୍ରଜତି ଶୟାନୋ ଯାତି ସର୍ବତଃ।
କସ୍ତଂ ମଦାମଦଂ ଦେବଂ ମଦନ୍ୟୋ ଜ୍ଞାତୁମର୍ହତି।ା
-କଠୋପନିଷଦ, ୨/୨୧
ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ। ସେହି ଏକ ବ୍ରହ୍ମ ତିନି ରୂପରେ ବିଭାଜିତ ହୋଇଛନ୍ତି। ସେଥିପାଇଁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀରେ ତାଙ୍କର ସ୍ନାନନୀତି ତିନି ଶୟନ ପ୍ରତିମାଙ୍କ ମାଧ୍ୟମରେ ସଂପନ୍ନ ହୋଇଥାଏ।
ଏ ପ୍ରସଙ୍ଗରେ ସାଧାରଣ ଭାବରେ ମନକୁ ପ୍ରଶ୍ନ ଆସେ- ଯେଉଁ ଚାରିମାସ ହରି ବା ଭଗବାନ ବିଷ୍ଣୁ ଶୟନ କରନ୍ତି, ସେହି ଚାରିମାସ ଏ ସଂସାରର ପାଳନକର୍ତ୍ତା ଭାବରେ ତାଙ୍କର କାମ କରେ କିଏ?
ଏହାର ସୁନ୍ଦର ଉତ୍ତର- ‘କଠୋପନିଷଦ’ର ଦ୍ୱିତୀୟ ବଲ୍ଲୀର ୨୧ ମନ୍ତ୍ରରେ ଅଛି। ଉପରୋକ୍ତ ସେହି ସୁଭାଷିତରେ କୁହାଯାଇଛି- ସେହି ବ୍ରହ୍ମ ନିଶ୍ଚଳ ଭାବରେ ଗୋଟିଏ ସ୍ଥାନରେ ବସିରହି ମଧ୍ୟ ଦୂରକୁ ପ୍ରାପ୍ତ ହୋଇପାରନ୍ତି। ସମସ୍ତଙ୍କୁ ଗତିଶୀଳ କରାନ୍ତି। ସେ ଶାୟିତ ଥାଇ ମଧ୍ୟ ସର୍ବତ୍ର ଗମନ କରିପାରନ୍ତି।
ଦାରୁବ୍ରହ୍ମ ଭାବରେ ଶ୍ରୀଜଗନ୍ନାଥାଦି ବିଗ୍ରହଙ୍କର ମଧ୍ୟ ଏହାହିଁ ବିଶେଷତ୍ୱ। ତେଣୁ ସେ ଅଚଳ ମହାମେରୁ ଭାବରେ ଗୋଟିଏ ସ୍ଥାନରେ ବସି ରହିଥିଲେ ମଧ୍ୟ, ସେ ସର୍ବତ୍ର ଉପସ୍ଥିତ। ଆଷାଢ଼ ଶୁକ୍ଳ ଏକାଦଶୀରୁ ଚାରିମାସ ପାଇଁ ସେ ଶୟନ କରୁଥିଲେ ମଧ୍ୟ, ଏହି ଶାୟିତ ଅବସ୍ଥାରେ ବି ସେ ସର୍ବତ୍ର ଗତିଶୀଳ ହୋଇଥାନ୍ତି।

Advertisment