ଭାବକୁ ନିକଟେ ଉଦୟ।
ଅଭାବେ ମୁହିଁ ଶୂନ୍ୟମୟ।।
-ଅଚ୍ୟୁତାନନ୍ଦ ଦାସ, ଛୟାଳିଶ ପଟଳ (୧)

ମାଘ ଶୁକ୍ଳ ଏକାଦଶୀ, ଓଡ଼ିଶାର ବିଶିଷ୍ଟ ସନ୍ଥକବି ଓ ସାଧକ ଅଚ୍ୟୁତାନନ୍ଦ ଦାସଙ୍କର ଆବିର୍ଭାବ ଦିବସ। କଟକ ଜିଲାର ଚିତ୍ରୋତ୍ପଳା ନଦୀ ତଟବର୍ତ୍ତୀ ତିଳକଣା ଗ୍ରାମରେ ତାଙ୍କର ଜନ୍ମ। ନିଜର ରଚନାମାନଙ୍କରେ ସେ ନିଜକୁ ଶୂଦ୍ର, ଗୋପାଳ, ଅହୋକରଣ, କୈବର୍ତ୍ତ, ଦୀନ, ଦାସ, କ୍ଷତ୍ରିୟ ଆଦି ପରିଚୟ ଦେଇଛନ୍ତି। ତେଣୁ ସେସବୁରୁ ତାଙ୍କର ସ୍ପଷ୍ଟ ପରିଚୟ ମିଳେନାହିଁ। ଜ୍ୟେଷ୍ଠ ପୂର୍ଣ୍ଣିମା ତାଙ୍କର ତିରୋଭାବ ତିଥି।

Advertisment

ଅଚ୍ୟୁତାନନ୍ଦଙ୍କର ରହିଛି ବିପୁଳ ରଚନା ସଂପଦ। ‘ସାତଖଣ୍ଡ ହରିବଂଶ’ ତାଙ୍କର ଏକ ପ୍ରମୁଖ ରଚନା। ଏହା ବ୍ୟତୀତ ସଂହିତା, ଗୀତା, କଳ୍ପ, ଟୀକା, ମାଳିକା ଆଦି ନାମରେ ତାଙ୍କର ବହୁ ରଚନା ରହିଛି। ‘ଛୟାଳିଶ ପଟଳ’ ତାଙ୍କର ଏକ ପ୍ରମୁଖ ତତ୍ତ୍ବ-ଭକ୍ତି ଗ୍ରନ୍ଥ। ତାହାର ‘ପ୍ରଥମ ପଟଳ’ରୁ ଉପରୋକ୍ତ ସୁଭାଷିତ ଉଦ୍ଧୃତ।
ଏହି ପଟଳର ଆରମ୍ଭ ସଂସ୍କୃତରେ ହୋଇଥିଲେ ମଧ୍ୟ, ପରେ ଏହା ସରଳ ନବାକ୍ଷରୀ ଓଡ଼ିଆରେ ବର୍ଣ୍ଣିତ ହୋଇଛି। ଅଚ୍ୟୁତାନନ୍ଦ ଏଥିରେ ପରଂବ୍ରହ୍ମ ପରମାତ୍ମାଙ୍କୁ ବକ୍ତା ଓ ନିଜକୁ ‌େଶ୍ରାତାର ଭୂମିକାରେ ରଖିଛନ୍ତି। ଦିନେ ସନ୍ଧ୍ୟାରେ ଏକାନ୍ତରେ ତାଙ୍କୁ ଧ୍ୟାନ କରିବାରୁ ସେଥିରେ ପ୍ରସନ୍ନ ହୋଇ ଅରୂପ ପ୍ରଭୁ ତାଙ୍କ ନିଜର ସ୍ବରୂପ ‌ନିଜେ ‌କହିଛନ୍ତି। ଯେହେତୁ ଅଚ୍ୟୁତାନନ୍ଦ ତାଙ୍କର ଭକ୍ତ, ସେହେତୁ ସେ ତାଙ୍କୁ ନିଜର ନାମତତ୍ତ୍ବ ଶୁଣାଇଛନ୍ତି। ସେହି ପ୍ରସଙ୍ଗରେ ଏହି ଉକ୍ତି ଆସିଛି।
ମହାପ୍ରଭୁ ତାଙ୍କୁ କହିଛନ୍ତି- ମୁଁ ହେଉଛି ଅବିନାଶୀ ବ୍ରହ୍ମ। ମୋର ବିଶ୍ରାମ ମହାଶୂନ୍ୟରେ। ମୋର ନାମ ନ ଥିବାରୁ ମୁଁ ଅନାମବ୍ରହ୍ମ ନାମରେ କଥିତ ହୁଏ। ଯେ ଯେପରି ଇଚ୍ଛା କରେ ମୋତେ ସେପରି ଭାବରେ ଭାବନା କରେ। ଏଣୁ ସେହି ଭାବରେ ମୋର ଉଦୟ ଘଟେ ଏବଂ ତାହାର ଅଭାବରେ ମୁଁ ଶୂନ୍ୟମୟ ହୋଇ ରହିଥାଏ।