ସୁମିରନ କର୍ଲେ ମେରେ ମନା,
ତେରେ ବୀତୀ ଉମର ହରି ନାମ ବିନା।
-ଗୁରୁ ନାନକ
ଗୁରୁ ନାନକ ଦେବ ପବିତ୍ର ଶିଖ୍ଧର୍ମର ପ୍ରବର୍ତ୍ତକ। ତେଣୁ ସେ ଶିଖ୍ମାନଙ୍କର ଆଦିଗୁରୁ ଭାବରେ ପ୍ରସିଦ୍ଧ। ଆଜିଠୁ ୫୫୫ ବର୍ଷ ପୂର୍ବେ, ୧୪୬୯ ମସିହା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସେ ପଞ୍ଜାବର ତଲବଣ୍ଡୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହି ଗ୍ରାମ ଏବେ ପାକିସ୍ତାନର ଅନ୍ତର୍ଗତ ଏବଂ ନାନକାନା ସାହେବ ନାମରେ ଖ୍ୟାତ। ଗୁରୁ ନାନକ ତାଙ୍କର ଭଜନଗୁଡ଼ିକରେ ବାରମ୍ବାର କହିଛନ୍ତି- ମାନବ ଜୀବନ ଅମୂଲ୍ୟ। ପ୍ରଭୁଙ୍କର ଯଶଗୁଣ ଗାନ ନ କରିବା, ତାଙ୍କଠାରେ ଆତ୍ମସମର୍ପଣ ନ କରିବା, ବୃଥାରେ ଜୀବନ ନଷ୍ଟ କରିବା ସହିତ ସମାନ। ଉପରୋକ୍ତ ସୁଭାଷିତ ଏହାର ନିଦର୍ଶନ।
ଏହି ଭଜନରେ ନାନା ଉଦାହରଣ ମାଧ୍ୟମରେ ଗୁରୁ ନାନକ ଏହା ଦର୍ଶାଇଛନ୍ତି। ସେ କହିଛନ୍ତି- ଡେଣା ନଥିବା ଚଢ଼େଇଟିଏ ଯେପରି, ଦାନ୍ତ ନଥିବା ହାତୀଟିଏ ଯେପରି, ପିତା ନ ଥିବା ପୁତ୍ରଟିଏ ଯେପରି, ହରି ନାମ ବିନା ବ୍ୟକ୍ତିଟିଏ ସେହିପରି। କେବଳ ଏତିକି ନୁହେଁ; ଏହା ସୂଚାଇବାକୁ ସେ ଆହୁରି କେତୋଟି ଉଦାହରଣ ମଧ୍ୟ ଦେଇଛନ୍ତି। କହିଛନ୍ତି- ଜଳ ନ ଥିବା କୂଅଟିଏ ଯେପରି, କ୍ଷୀର ଦେଉ ନ ଥିବା ଗାଈଟିଏ ଯେପରି, ଲୋକ ନ ଥିବା ପୃଥିବୀ ଯେପରି, ଫଳ ନ ଥିବା ବୃକ୍ଷ ଯେପରି, ବ୍ୟକ୍ତିଟିଏ ହରିନାମ ବିନା ସେହିପରି। ଏ ଉଦାହରଣ କିନ୍ତୁ ଏତିକିରେ ସରି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି- ଆଖି ନ ଥାଇ ଯେପରି ଶରୀର, ଚନ୍ଦ୍ର ନ ଥାଇ ଯେପରି ରାତି, ଦୀପ ନ ଥାଇ ଯେପରି ମନ୍ଦିର, ବେଦଜ୍ଞାନ ନ ଥାଇ ଯେପରି ପଣ୍ଡିତ, ହରିନାମ ବିନା ବ୍ୟକ୍ତି ସେହିପରି। ଗୁରୁ ନାନକ ଦେବ ଏହି ସବୁ ଉଦାହରଣ ଦେଇ ବୁଝାଇବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ହରି ନାମ ବିନା ଏ ଜୀବନ ଅସାର। ସେଥିପାଇଁ ଆରମ୍ଭରେ ସେ କହିଛନ୍ତି- ରେ ମନ! ହରି ନାମ ସୁମର!