ଦୁସ୍ତାରଂ ଭବସଂସାରଂ ତରିଷ୍ୟେ ତ୍ବତ୍ ପ୍ରସାଦତଃ।
ସାରମେତତ୍ ପ୍ରଶଂସନ୍ତି ସଂସାରେ ଭବସାଗରେ ାା
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ, ୮/୬୫
ଦାରୁବ୍ରହ୍ମ ରୂପରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବର କଥା। ଜଟିଳ ନାମକ ଜଣେ ତୀର୍ଥାଟକଙ୍କଠାରୁ ଉତ୍କଳଦେଶବାସୀ ପରଂବ୍ରହ୍ମ, ପରମାତ୍ମାଙ୍କ ସଂପର୍କରେ ସୂଚନା ପାଇ, ମାଳବଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରାହ୍ମଣ ବିଦ୍ୟାପତିଙ୍କୁ ତାଙ୍କର ସନ୍ଧାନ ନିମନ୍ତେ ପଠାଇଥିଲେ। ବିଦ୍ୟାପତି ଉତ୍କଳଦେଶକୁ ଆସି ଜାଣିବାକୁ ପାଇଲେ ଯେ ଶବରରାଜ ବିଶ୍ବାବସୁ ତାଙ୍କୁ କୌଣସି ଏକ ଗୋପନ ସ୍ଥାନରେ ପୂଜା କରୁଛନ୍ତି। ତେଣୁ ବିଦ୍ୟାପତି ଯାଇ ତାଙ୍କ ଘରେ ଆତିଥ୍ୟ ଗ୍ରହଣ କଲେ।
ଶବରରାଜ ବିଶ୍ବାବସୁଙ୍କ ଗୃହରେ ରାଜଯୋଗ୍ୟ ଉପଚାର ପାଇ ବିଦ୍ୟାପତି ଆଶ୍ଚର୍ଯ୍ୟ ହେଲେ। ସବୁଠୁ ବେଶୀ ଆଶ୍ଚର୍ଯ୍ୟ ହେଲେ, ସେହି ଦୁର୍ଗମ ଅରଣ୍ୟ ମଧ୍ୟରେ ଶବରରାଜଙ୍କ ଗୃହରେ ରାଜଯୋଗ୍ୟ ଖାଦ୍ୟଦ୍ରବ୍ୟ ପାଇ। ସେ ସଂପର୍କରେ ଜାଣିବାକୁ କୌତୂହଳୀ ହେବାରୁ, ଶବରରାଜ ତାଙ୍କୁ କହିଲେ- ଏ ପ୍ରସଙ୍ଗ ପ୍ରକାଶଯୋଗ୍ୟ ନୁହେଁ। କିନ୍ତୁ ଆପଣ ବ୍ରାହ୍ମଣଶ୍ରେଷ୍ଠ ଓ ଅତିଥି ହୋଇଥିବାରୁ, ମୁଁ ଶ୍ରଦ୍ଧାଶୀଳ ହୋଇ ଆପଣଙ୍କୁ ଏହା କହୁଅଛି।
ବିଶ୍ବାବସୁ ତାଙ୍କୁ କହିଲେ- ଏଠାରେ ଗୋପନରେ ଯେଉଁ ଜଗତ୍ପତି ପୂଜା ପାଉଛନ୍ତି, ଇନ୍ଦ୍ରାଦି ଦେବଗଣ ଦିବ୍ୟବସ୍ତୁମାନ ଆଣି ଏଠାରେ ତାଙ୍କୁ ପୂଜା ଓ ସ୍ତବ ଆଦି କରି ଫେରିଯାଆନ୍ତି। ଜଗତ୍ପତିଙ୍କର ସେହି ଦିବ୍ୟ ନିର୍ମାଲ୍ୟ ବସ୍ତୁ ମୁଁ ଆପଣଙ୍କୁ ପ୍ରଦାନ କରିଅଛି। ତାହା ଶୁଣି ବିଦ୍ୟାପତି ସେହି ବିଷ୍ଣୁଭକ୍ତ, ସାଧୁ ଶବରରାଜ ବିଶ୍ବାବସୁଙ୍କ ସହିତ ମିତ୍ରତା କରିବାପାଇଁ ଇଚ୍ଛା ପ୍ରକଟ କଲେ। ସେହି ପ୍ରସଙ୍ଗେର ଏହି ସୁଭାଷିତଟି କୁହାଯାଇଛି। ଏଥିରେ ରାଜ ପ୍ରତିନିଧି, ବ୍ରାହ୍ମଣ ବିଦ୍ୟାପତି କହିଛନ୍ତି- ହେ ଶବରରାଜ! ଆପଣ ବିଷ୍ଣୁଭକ୍ତ। ଆପଣଙ୍କ ପ୍ରସାଦରୁ ମୁଁ ଦୁସ୍ତର ସଂସାରସାଗର ପାର ହେବାକୁ ସକ୍ଷମ ହେବି। ଏହି ସଂସାରରୂପକ ଭବସାଗରରେ ବିଷ୍ଣୁଭକ୍ତ ସହିତ ମିତ୍ରତା ହିଁ ସାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/20/jfjgdgjjdggjd-2025-06-20-00-51-53.jpg)