ସୁଭାଷିତ: ସୁବର୍ଣ୍ଣ ମଳ ମଧ୍ୟରେ ଥିଲେ ବି ଗ୍ରହଣୀୟ

ଚାଣକ୍ୟନୀତି ଆମ ଦେଶର ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବର ଏକ ନୀତିଶାସ୍ତ୍ର। ମାତ୍ର, ଏ ଭିତରେ ଦୀର୍ଘ କାଳ ବିତିଗଲେ ମଧ୍ୟ, ତାହା ଆଜି ବି ପ୍ରାସଙ୍ଗିକ ହୋଇ ରହିଛି। ଆଜି ବି ତାହା ଆମର ଜୀବନଚର୍ଯ୍ୟା ପାଇଁ ମନ୍ତ୍ର ପରି ଉପାଦେୟ ବିବେଚିତ ହେଉଛି।
‘ଚାଣକ୍ୟନୀତି’ ସମୟର ପ୍ରଭାବରେ ବି ତିଳେହେଲେ ମଳିନ ପଡ଼ୁ ନଥିବା ସୁଭାଷିତ ରତ୍ନାବଳୀର ଏକ ସଂକଳନ। ଏହି ସଂକଳନର ଆଦ୍ୟରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି- ଏହା ନାନା ଶାସ୍ତ୍ରରୁ ଉଦ୍ଧୃତ ଶ୍ରେଷ୍ଠନୀତିଗୁଡ଼ିକର ଏକ ସମାହାର।
ଉପରୋକ୍ତ ସୁଭାଷିତରେ ଚାଣକ୍ୟ କହିଛନ୍ତି- ବିଷଯୁକ୍ତ ବସ୍ତୁ ଭିତରେ ଅମୃତ ଥିଲେ ମଧ୍ୟ ତାହା ଗ୍ରହଣୀୟ। ସେହିପରି ମଳ ମଧ୍ୟରେ ସୁବର୍ଣ୍ଣ ଥିଲେ ମଧ୍ୟ ତାହା ଗ୍ରହଣ କରିବା ଉଚିତ।

ବିଷାଦପ୍ୟମୃତଂ ଗ୍ରାହ୍ୟମମେଧ୍ୟାଦପି କାଞ୍ଚନମ୍।
ନୀଚାଦପ୍ୟୁତ୍ତମାଂ ବିଦ୍ୟାଂ ସ୍ତ୍ରୀରତ୍ନଂ ଦୁଷ୍କୁଳାଦପି।ା
-ଚାଣକ୍ୟନୀତି

ଏହିପରି ଭାବରେ, ଅମୃତ ଓ ସୁବର୍ଣ୍ଣ ପରି ଦୁଇଟି ମହତ୍‌ ଓ ମୂଲ୍ୟବାନ ପଦାର୍ଥ ସଂପର୍କରେ କହିବା ପରେ, ସେ କହିଛନ୍ତି ମନୁଷ୍ୟଙ୍କ କଥା। ତାହା ହେଉଛି- ନୀଚ-ସଂସ୍କୃତି ସଂପନ୍ନ କୌଣସି ବ୍ୟକ୍ତିଠାରେ ଯଦି ଉତ୍ତମ ଗୁଣ ଥାଏ, ତେବେ ତାହାକୁ ଗ୍ରହଣ କରିବ। ସେହିପରି, ନୀଚକୁଳରେ ଯଦି ସୁଗୁଣସଂପନ୍ନା ନାରୀ ମିଳନ୍ତି, ତେବେ ସେ ମଧ୍ୟ ଗ୍ରହଣୀୟା ହେବା ଉଚିତ।
ଏଣୁ ଏହି ସୁଭାଷିତରେ ଆଚାର୍ଯ୍ୟ ଚାଣକ୍ୟଙ୍କ ବକ୍ତବ୍ୟର ସାରକଥା ହେଉଛି- ସବୁ ମନ୍ଦ ଭିତରେ ଯଦି ଟିକିଏ ବି ଭଲ ଥାଏ, ତେବେ ତାହା ଆମ ପାଇଁ ଗ୍ରହଣୀୟ ହେବା ଉଚିତ।

ସମ୍ବନ୍ଧିତ ଖବର