ସବ୍ବେପାଣା ଅବେରାହୋନ୍ତୁ! ଅବ୍ୟାପଜ୍ଜା ହୋନ୍ତୁ!
ଅନିଘା ହୋନ୍ତୁ! ସୁଖିଅତ୍ତାନଂ ପରିହରନ୍ତୁ!
-ବୌଦ୍ଧ ‘ଅନୁସ୍ମୃତି’
ବୌଦ୍ଧ ଦର୍ଶନ ଓ ଚିନ୍ତନରେ ‘ଅନୁସ୍ମୃତି’ର ରହିଛି ବିଶେଷ ଗୁରୁତ୍ୱ। ଏହା କେତେକ ନିବିଡ଼ ଚିନ୍ତନର ସମାହାର- ଯାହାକୁ ସ୍ମରଣ କରି, ଚିତ୍ତ ଓ ଜୀବନଚର୍ଯ୍ୟାକୁ ଶୁଦ୍ଧ କରାଯାଏ; ଏହାର ପାଳନ ନିମନ୍ତେ ସଂକଳ୍ପ କରାଯାଏ। ଏହା ଧ୍ୟାନର ଏକ ବଳିଷ୍ଠ ଅଙ୍ଗ ଏବଂ ବୋଧିଚିତ୍ତର ଉଦ୍ରେକ ଓ ବିକାଶ ନିମନ୍ତେ ଏହାର ଅଭ୍ୟାସ ଏକାନ୍ତ ପ୍ରୟୋଜନ ହୋଇଥାଏ। ଏହା ମଧ୍ୟରେ ‘ମେତ୍ତା’ ବା ‘ମୈତ୍ରୀ’ ଭାବନା ଅନ୍ୟତମ। ଉପରୋକ୍ତ ସୁଭାଷିତ ସେଥିମଧ୍ୟରୁ ଗୋଟିଏ। କଥିତ ଅଛି, ସ୍ୱୟଂ ଗୌତମବୁଦ୍ଧ ଏବଂ ଅନ୍ୟ ବୋଧିସତ୍ତ୍ୱମାନେ ନିଜ ନିଜର ଜୀବନଚର୍ଯ୍ୟାରେ ଏହି ମୈତ୍ରୀଭାବନାର ଅଭ୍ୟାସ କରି ତାହାର ପ୍ରଭାବରେ ଅଲୌକିକ କର୍ମ ସାଧନ କରିଥିଲେ। ଏହି ମୈତ୍ରୀ ଭାବନା ଫଳରେ ସେମାନେ ଉଗ୍ର ଶତ୍ରୁକୁ ମିତ୍ର କରିବା ସହିତ, ହିଂସ୍ର ଓ ଉନ୍ମତ୍ତ ପଶୁଙ୍କୁ ମଧ୍ୟ ବଶ କରିପାରୁଥିଲେ। ଉପରୋକ୍ତ ମୈତ୍ରୀ ଭାବନାରେ କୁହାଯାଇଛି- “ସମସ୍ତ ପ୍ରାଣୀ ଶତ୍ରୁହୀନ ହୁଅନ୍ତୁ! ଆପଦହୀନ ହୁଅନ୍ତୁ! ନିରୋଗ ହୁଅନ୍ତୁ ଏବଂ ସୁଖରେ ରହନ୍ତୁ!” ‘ବୃହଦାରଣ୍ୟକ ଉପନିଷଦ’ର ଶାନ୍ତିମନ୍ତ୍ରରେ ଥିବା ‘ସର୍ବେ ଭବନ୍ତୁ ସୁଖୀନଃ...’ରେ ଆମେ ଏହାର ଉତ୍ସ ସନ୍ଧାନ କରିପାରିବା। ବୈଶାଖ ପୂର୍ଣ୍ଣିମା ତଥା ୨୫୬୮ତମ ବୁଦ୍ଧଜୟନ୍ତୀ ଅବସରରେ, ଏହା ଆମର ଧ୍ୟେୟ ହେଉ।