ଆଦିକବି ବାଲ୍ମୀକିଙ୍କ ମୂଳ ସଂସ୍କୃତ ରାମାୟଣ ଆଧାରରେ, ଭାରତରେ ଓ ଭାରତ ବାହାରେ ଅଗଣିତ ରାମାୟଣ ରଚିତ ହୋଇଛି। ସେସବୁ ମଧ୍ୟରେ ତୁଳସୀଦାସ ବିରଚିତ ରାମାୟଣର ରହିଛି ସ୍ୱତନ୍ତ୍ର ସ୍ଥାନ। ଏହାର ନାମ ‘ଶ୍ରୀରାମଚରିତମାନସ’ ହେଲେ ହେଁ ‘ତୁଳସୀ ରାମାୟଣ’ ଭାବରେ ଏହା ସୁପ୍ରସିଦ୍ଧ ଓ ଲୋକପ୍ରିୟ।

Advertisment

ସମ୍ମୁଖ ସମରେ ଯା’ର ଭୀତ ହୁଏ ମନ,
ସଂଗ୍ରାମକୁ ଯିବା ତାର କିବା ପ୍ରୟୋଜନ।
-ତୁଳସୀ ରାମାୟଣ, ଲଙ୍କାକାଣ୍ଡ, ଅନୁ: ସ୍ୱପ୍ନେଶ୍ୱର ଦାଶ କବିଭୂଷଣ

ରାବଣ ଥିଲା ବୀର। ‘ତୁଳସୀ ରାମାୟଣ’ର ‘ଲଙ୍କାକାଣ୍ଡ’ ଅନ୍ତର୍ଗତ ‘ଏକାଦଶ ବିଶ୍ରାମ’ରେ ଅଛି ରାବଣର ସେହି ବୀରତ୍ୱର ଗାଥା। ସେହି ‘ବିଶ୍ରାମ’ର ଶୀର୍ଷକ ‘ରାବଣର ଯୁଦ୍ଧ’। ଯୁଦ୍ଧରେ କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ଓ ମହୀରାବଣ ନିହତ ହେବା ପରେ, ରାବଣ ନିଜେ ଶ୍ରୀରାମଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଥିଲା। ମହୀରାବଣ ଯେଉଁଦିନ ବଧ ହେଲା, ତା’ର ପରଦିନ ପ୍ରଭାତରେ, ନିଜର ଶୂର, ବୀର ଅନୁଚରମାନଙ୍କୁ ଡକାଇ ରାବଣ ଯେଉଁ ଉଦ୍‌ବୋଧନ ଦେଇଥିଲା, ସେଥିରେ ଥିଲା ଏହି ବୀରତ୍ୱର ବ୍ୟଞ୍ଜନା। ତୁଳସୀଦାସଙ୍କ ସେହି ରାମାୟଣର ସୁନ୍ଦର ଚତୁର୍ଦ୍ଦଶାକ୍ଷରୀ ଅନୁବାଦ କରିଛନ୍ତି ସ୍ୱପ୍ନେଶ୍ୱର ଦାଶ କବିଭୂଷଣ। ଉପରୋକ୍ତ ସୁଭାଷିତ ତାହାର ଏକ ଅଂଶ।

‘ତୁଳସୀ ରାମାୟଣ’ ଅନୁସାରେ, ରାବଣ ତା’ର ବୀର ଅନୁଚରମାନଙ୍କୁ ଡକାଇ କହିଥିଲା- ଯେଉଁ ଲୋକ ସମ୍ମୁଖ ସମର ବା ମୁହାଁମୁହିଁ ଯୁଦ୍ଧକୁ ଡରେ, ସେ ଯୁଦ୍ଧକ୍ଷେତ୍ରକୁ ଯିବାର କୌଣସି ପ୍ରୟୋଜନ ନାହିଁ। ଅନେକେ ଭୟରେ ଯୁଦ୍ଧକ୍ଷେତ୍ରରୁ ପଳାୟନ ମଧ୍ୟ କରନ୍ତି। ମାତ୍ର ଏହା ଉତ୍ତମ କଥା ନୁହେଁ। ମୁଁ ବୀର। ମୋର ବାହୁବଳରେ ମୁଁ ଶତ୍ରୁତା ବୃଦ୍ଧି କରିଛି। ଏଣୁ ମୁଁ ନିଜେ ଯାଇ ଶତ୍ରୁ ସହ ଯୁଦ୍ଧ କରିବି। ଶତ୍ରୁକୁ ଯୁଦ୍ଧକ୍ଷେତ୍ରରେ ନିର୍ଯାତିତ କରି ପରାଭବ ଦେବି। ଏ ସଂପର୍କରେ ଏକ ପ୍ରସିଦ୍ଧ ଓଡ଼ିଆ ସୁଭାଷିତ ସ୍ମରଣକୁ ଆସେ। ତାହା ହେଉଛି- “ପଛଘୁଞ୍ଚା ନାହିଁ ବୀରର ଜାତକେ/ ନ ମରେ ସେ କେବେ ପରାଣ ଆତଙ୍କେ।”