ଯଦି ହରିସ୍ମରଣେ ସରସଂ ମନୋ
ଯଦି ବିଳାସକଳାସୁ କୁତୂହଳମ୍‌।
ମଧୁରକୋମଳକାନ୍ତପଦାବଳୀଂ
ଶୃଣୁ ତଦା ଜୟଦେବସରସ୍ବତୀମ୍‌।
-ଶ୍ରୀଜୟଦେବ, ଶ୍ରୀଗୀତଗୋବିନ୍ଦ (୧/୩)
କବି ଶ୍ରୀଜୟଦେବ ଓଡ଼ିଶାର ଗର୍ବ ଓ ଗୌରବ। ସେ ଓଡ଼ିଆ ଅସ୍ମିତାର ପ୍ରତୀକ। ତାଙ୍କ ପରି କବି ଏବଂ ତାଙ୍କ ରଚିତ ‘ଶ୍ରୀ ଗୀତଗୋବିନ୍ଦ’ ପରି କାବ୍ୟ କେବଳ ଭାରତ କାହିଁକି, ସମଗ୍ର ବିଶ୍ବରେ ଦୁର୍ଲଭ। ବିଶ୍ବର ଅଧିକାଂଶ ଭାଷାରେ ଏହା ଅନୂଦିତ।
ଶ୍ରୀଗୀତଗୋବିନ୍ଦର କବି ଶ୍ରୀଜୟଦେବ ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗ ଦେବଙ୍କର ସମସାମୟିକ। ଚୋଡ଼ଗଙ୍ଗଦେବଙ୍କର ସମୟ ୧୦୭୭ରୁୁ ୧୧୪୭ ଖ୍ରୀଷ୍ଟାବ୍ଦ। ତେଣୁ ତାଙ୍କର ଏହି କାବ୍ୟର ସମୟ ଦ୍ବାଦଶ ଶତାବ୍ଦୀ ବୋଲି ଗ୍ରହଣ କରାଯାଏ।
‘ଶ୍ରୀଗୀତଗୋବିନ୍ଦ’ରେ ଅଛି ୧୨ଟି ସର୍ଗ, ୨୪ଟି ଗୀତ ଓ ୭୨ଟି ଶ୍ଳୋକ। ସେଥିରୁ ପ୍ରଥମ ସର୍ଗର ତୃତୀୟ ଶ୍ଳୋକରେ ରହିଛି ଉପରୋକ୍ତ ସୁଭାଷିତ।
ପ୍ରଥମ ଶ୍ଳୋକରେ, ମେଘମେଦୁର ଆକାଶ ତଳେ, ଯମୁନା ତଟର ବୃକ୍ଷଲତାଘେରା କୁଞ୍ଜରେ ରାଧା-ମାଧବଙ୍କର ଏକାନ୍ତ କେଳିର କଥା କହିଛନ୍ତି କବି। ତାହାର ପରବର୍ତ୍ତୀ ଶ୍ଳୋକରେ କବି ନିଜ ସଂପର୍କରେ କହିଛନ୍ତି- ଯାହାର ହୃଦୟରୂପକ ଗୃହରେ ସରସ୍ବତୀଙ୍କର ଚରିତ ଚିତ୍ରିତ ହୋଇଛି, ପଦ୍ମାବତୀଙ୍କର ଚରଣକୁ ନୃତ୍ୟଛନ୍ଦରେ ଚାରଣ କରିବାରେ ଯିଏ ଚକ୍ରବର୍ତ୍ତୀ ବା ଧୁରନ୍ଧର, ସେହି କବିରାଜ ଜୟଦେବ ଶ୍ରୀରାଧାକୃଷ୍ଣଙ୍କର ରତିକେଳି କଥାଯୁକ୍ତ ଏହି ମହାକାବ୍ୟ ରଚନା କରୁଛନ୍ତି।
ତାହା ପରେ, ଏହି ତୃତୀୟ ଶ୍ଳୋକରେ ଶ୍ରୀଜୟଦେବ କହିଛନ୍ତି- ଯଦି ସେହି ହରିଙ୍କର ନାମ ସ୍ମରଣ କରି ତୁମେ ମନକୁ ସରସ କରିବାକୁ ଚାହୁଁଥାଅ; ଯଦି ତାଙ୍କର ବିଳାସ କଳାରେ ତୁମର ଆଗ୍ରହ ରହିଥାଏ, ତେବେ ଜୟଦେବ ବିରଚିତ ଏହି ଗୀତଗୋବିନ୍ଦର ମଧୁର, କୋମଳ, କାନ୍ତ ପଦାବଳୀର ସଂଗୀତକୁ ଶ୍ରବଣ କର।
ଏଣୁ ରସରାଜ ହରିଙ୍କର ସ୍ମରଣରେ ମନକୁ ସରସ କରିବା ପାଇଁ ଏହି ଗୀତଗୋବିନ୍ଦ ହିଁ ଉପଯୁକ୍ତ ମାଧ୍ୟମ।