୨୪ ଏପ୍ରିଲ୍‌ ଶ୍ରୀସତ୍ୟସାଇବାବାଙ୍କର ମହାପ୍ରୟାଣ ଦିବସ। ତାଙ୍କର ଅନେକ ଭକ୍ତ ଓଡ଼ିଶାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ  ଜଣେ ପରମ ଭକ୍ତ ଥିଲେ ବ୍ରହ୍ମାନନ୍ଦ ପଣ୍ଡା। ସେ ‘ରସୋ ବୈ ସଃ’ ନାମରେ‌ ଗୋଟିଏ ବହି ଲେଖିଛନ୍ତି। ତାହାର ‘ସାଇ କିଏ’ ଅଧ୍ୟାୟରେ ସେ କହିଛନ୍ତି- ‘ସତ୍ୟ’ ହେଉଛି ତାଙ୍କର ପ୍ରଚାର, ‘ଧର୍ମ’ ତାଙ୍କର ଆଚାର, ‘ଶାନ୍ତି’ ତାଙ୍କର ସ୍ବଭାବ ଏବଂ ‘ପ୍ରେମ’ ତାଙ୍କର ସ୍ବରୂପ।

Advertisment

ଏ ପ୍ରସଙ୍ଗରେ ସେ ଶ୍ରୀସତ୍ୟସାଇ ବାବାଙ୍କର ଏକ ଉକ୍ତି ଉଦ୍ଧାର କରିଛନ୍ତି। ଅନ୍ତରରେ ପରମେଶ୍ବରଙ୍କୁ ଉପଲବ୍‌ଧି କରିବା ପ୍ରସଙ୍ଗରେ ଶ୍ରୀସତ୍ୟସାଇବାବା କହିଛନ୍ତି-
‘‘କେତେ ମହାଋଷି ପରିଶୀଳନ କରି, ପ୍ରଯତ୍ନ କରି, ଅନ୍ତଃ ପରିପ୍ରକାଶରେ ପରମାତ୍ମାଙ୍କୁ ଦର୍ଶନ କରିପାରିଚନ୍ତି। ବାହ୍ୟ ଦୃଷ୍ଟିରେ ଯେଉଁ ପରମାତ୍ମା ନିରାକାର  ତାଙ୍କୁ ସାକାର ରୂପରେ ଦର୍ଶନ କରିଛନ୍ତି।

ମାଟି ଭିତରେ ଖୋଜିଲେ ମାଣିକ୍ୟ ମିଳେ ସିନା, ବାୟୁରେ ଖୋଜିଲେ ମିଳେ ନାହିଁ। ମାଟିର ଏ ଦେହରେ ମାଣିକ୍ୟ ସ୍ବରୂପ ଆତ୍ମାକୁ ଉପଲବ୍ଧି କରି ମାନବ ଆନନ୍ଦପ୍ରାପ୍ତ ହୋଇଥାଏ। ଏଥି ନିମନ୍ତେ ବିହିତ ପ୍ରଯତ୍ନ ମାନବ ପକ୍ଷରେ ଏକାନ୍ତ କରଣୀୟ। ଅନାବଶ୍ୟକ ପଦାର୍ଥମାନ ରନ୍ଧନ କରିବା ପାଇଁ ମାନବ ନବରତ୍ନଖଚିତ ସୁବର୍ଣ୍ଣ ପାତ୍ରର ଦୁରୁପଯୋଗ କରୁଛି। ସାରବନ୍ତ ଭୂମି ସୁବର୍ଣ୍ଣ ଲଙ୍ଗଳରେ କର୍ଷଣ କରି, ନବଧାନ୍ୟ ବଦଳରେ ଅରଖ  ବୀଜ ବୁଣିବା ବ୍ୟକ୍ତି କିଏ କେବେ ଥାଇପାରେ କି? ସେହିଭଳି, ହୃଦୟସ୍ଥଳରେ ଆନନ୍ଦ ଲଭ୍ୟ ହେଲାବେଳେ ଅତ୍ରତତ୍ର ବୁଲି ବ୍ୟର୍ଥ ପ୍ରୟାସ କରିବା କି ଦରକାର? ଯେଉଁ ପରମେଶ୍ବରଙ୍କୁ ଆମେ ସର୍ବଜ୍ଞାତା, ସର୍ବବ୍ୟାପକ ଓ ସର୍ବେଶ୍ବର ବୋଲି ଭାବିଥାଇଁ, ଆମ ହୃଦୟସ୍ଥଳରେ ତାଙ୍କର ସନ୍ଧାନ ନେବା ପରିବର୍ତ୍ତେ ଅନ୍ୟ ପ୍ରଦେଶରେ ଅନୁସନ୍ଧାନ କରିବା ଅପେକ୍ଷା ଅଧିକତର ଅଜ୍ଞାନତା ଆଉ କ’ଣ ଥାଇପାରେ?’’