ପ୍ରଦୀପ-ଜ୍ୱାଳାଭି-ର୍ଦିବସକର-ନୀରାଜନବିଧିଃ
ସୁଧାସୂତେ-ଶ୍ଚନ୍ଦ୍ରୋପଳ-ଜଳଲବୈ-ରର୍ଘ୍ୟରଚନା।
ସ୍ୱକୀୟୈରମ୍ଭୋଭିଃ ସଲିଳ-ନିଧି-ସୌହିତ୍ୟକରଣଂ
ତ୍ୱଦୀୟାଭିଃ-ବାଗ୍‌ଭିଃସ୍ତବ ଜନନି ବାଚାଂ ସ୍ତୁତିରିୟମ୍।
-ଶ୍ରୀଶଙ୍କରାଚାର୍ଯ୍ୟ, ସୌନ୍ଦର୍ଯ୍ୟଲହରୀ, ଶ୍ଳୋକ-୧୦୦
‘ସୌନ୍ଦର୍ଯ୍ୟଲହରୀ’ ଆଦିଶଙ୍କରାଚାର୍ଯ୍ୟଙ୍କର ଏକ ସୁପ୍ରସିଦ୍ଧ ରଚନା। ଏ ସଂପର୍କରେ କଥିତ ଅଛି, ଯେ ‘ଆନନ୍ଦଲହରୀ’ ନାମରେ ଏହାର ଆଦିଭାଗକୁ ସ୍ୱୟଂ ଗଣେଶ ମେରୁପର୍ବତରେ ଲେଖିଥିଲେ। ଏହା ‘ପୁଷ୍ପଦନ୍ତ’ଙ୍କ ଦ୍ୱାରା ଲିଖିତ ବୋଲି କଥିତ ହୁଏ। ଏହା ମଧ୍ୟ କଥିତ ଅଛି, ଯେ ତାହା ଗୌଡ଼ପାଦଙ୍କ ଶିଷ୍ୟ ଗୋବିନ୍ଦଭଗବତ୍‌ପାଦଙ୍କ ଦ୍ୱାରା ଶଙ୍କରାଚାର୍ଯ୍ୟଙ୍କୁ ପ୍ରାପ୍ତ ହୋଇଥିଲା। ଗୋବିନ୍ଦଭଗବତ୍‌ପାଦ ଥିଲେ ଶଙ୍କରାଚାର୍ଯ୍ୟଙ୍କର ଗୁରୁ ଏବଂ ତାଙ୍କର ଗୁରୁ ଥିଲେ ଗୌଡ଼ପାଦ।
‘ସୌନ୍ଦର୍ଯ୍ୟଲହରୀ’ର ସ୍ତୋତ୍ର ସଂଖ୍ୟା ୧୦୩। ତାହା ତ୍ରିପୁରସୁନ୍ଦରୀଙ୍କର ବିମୁଗ୍‌ଧ ଓ ଭକ୍ତିପୂର୍ଣ୍ଣ ବର୍ଣ୍ଣନା। ତ୍ରିପୁରସୁନ୍ଦରୀ ଦେବୀ ପାର୍ବତୀଙ୍କର ଏକ ରୂପ। ଏଣୁ ଏହା ମା’ ପାର୍ବତୀ ବା ଦେବୀ ଦୁର୍ଗାଙ୍କର ମଧ୍ୟ ବର୍ଣ୍ଣନା। ବାସନ୍ତିକ ନବରାତ୍ରି ଅବସରରେ ଏହା ଆମ ସମସ୍ତଙ୍କର ଧ୍ୟେୟ।
‘ସୌନ୍ଦର୍ଯ୍ୟଲହରୀ’ର ଉପରୋଦ୍ଧୃତ ୧୦୦ତମ ସ୍ତୋତ୍ର ବା ସୁଭାଷିତରେ କୁହାଯାଇଛି- ହେ ମାତା, ଏହା ତୁମପ୍ରଦତ୍ତ ବାଣୀରେ ହିଁ ତୁମରି ସ୍ତୁତି। ଏ ସ୍ତୁତି ସେହିପରି- ଯେପରି କି ସୂର୍ଯ୍ୟଙ୍କ କିରଣରେ ହିଁ ସୂର୍ଯ୍ୟଙ୍କର ଆରତି; ଚନ୍ଦ୍ରଶିଳାରୁ ନିଃସୃତ ଜଳରେ ହିଁ ଚନ୍ଦ୍ରମାଙ୍କୁ ଅର୍ଘ୍ୟଦାନ ଏବଂ ସମୁଦ୍ରର ଜଳ ଅର୍ପଣ ମାଧ୍ୟମରେ ହିଁ ସମୁଦ୍ରଙ୍କର ତୃପ୍ତି ବିଧାନ କରାଯାଏ।
ଏହାର ତାତ୍ପର୍ଯ୍ୟ- ଦେବୀ ବା ଦେବତାଙ୍କୁ ନିଜର ଦ୍ରବ୍ୟରେ ପୂଜା କରିବା ଆମ ପକ୍ଷରେ ସମ୍ଭବ ନୁହେଁ। କାରଣ, ଏ ସଂସାରରେ କିଛି ବି ଆମର ନୁହେଁ। ଏଣୁ, କେବଳ ସେମାନଙ୍କର ପ୍ରଦତ୍ତ ଦ୍ରବ୍ୟରେ ହିଁ ଆମେ ତାଙ୍କର ପୂଜା କରିପାରିବା।