ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ
ସେ ଯେଣୁ ଅଟନ୍ତି ଶିବଙ୍କର ସାପ
-ରାଧାନାଥ ରାୟ, ଦରବାର
‘ଦରବାର’ କବିବର ରାଧାନାଥ ରାୟଙ୍କର ଏକ ଦୀର୍ଘ କବିତା। ଏହାର ରଚନାକାଳ୧୮୯୪ ଖ୍ରୀଷ୍ଟାବ୍ଦ ଏବଂ ସ୍ୱର ବ୍ୟଙ୍ଗାତ୍ମକ।
ରାଧାନାଥ ଦରବାର ରଚନା କରିବାର ଏକ ଐତିହାସିକ ପୃଷ୍ଠଭୂମି ଅଛି। ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କୁ ‘ମହାମହୋପାଧ୍ୟାୟ’ ଏବଂ ଜମିଦାର ଗୋବିନ୍ଦ ବଲ୍ଲଭଙ୍କୁ ‘ରାୟବାହାଦୂର’ ଉପାଧି ପ୍ରଦାନ ପାଇଁ ଇଂରେଜ ସରକାରଙ୍କ ଆନୁକୂଲ୍ୟରେ ବାରବାଟୀ କିଲ୍ଲାପଡ଼ିଆରେ ଏକ ଦରବାର ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରିତବୃନ୍ଦ ଉପାଧି ପାଇବା ଲାଳସାରେ ଜାକଜମକରେ ସେଠାକୁ ଆସିଥିଲେ। ପିଲାଏ ଖେଳଣା ପାଇଁ ଯୁଝିଲା ପରି ସେମାନେ ସେଠାରେ ଆସନ ପାଇଁ କଳିଗୋଳ କରିଥିଲେ। ତାହାର ଆଧାରରେ ‘ଦରବାର’ ରଚିତ। କବିଙ୍କର ଲକ୍ଷ୍ୟ କିନ୍ତୁ ସମାଜ, ଶାସନ ଓ ସଂସ୍କୃତିର ବ୍ୟଙ୍ଗାତ୍ମକ ବିଶ୍ଳେଷଣ।
ଉପରୋକ୍ତ ସୁଭାଷିତର ଗୋଟିଏ ସଂକ୍ଷିପ୍ତ ପୃଷ୍ଠଭୂମି ଅଛି। ତାହା ହେଉଛି- କିଛି ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ତାଙ୍କର ଭୃତ୍ୟମାନେ ସେହି ଦରବାରକୁ ଆସିଥିଲେ। ସେମାନେ ବି କମ୍ ଗର୍ବିତ ହେଉ ନଥିଲେ। ଏଣୁ କବିବର ଲେଖିଛନ୍ତି- “ସଭାପତିଙ୍କର ଖଟଣି-କିଙ୍କର/ବୋଲି କେହି ହେଉଛନ୍ତି ଫର ଫର।” ତା’ପରେ କହିଛନ୍ତି- ଶିବଙ୍କର ସାପ ଯେପରି ଗରୁଡ଼କୁ ବି ଫଁ କରିଦିଏ- ସେହିପରି ଥିଲା ସେମାନଙ୍କର ଆଚରଣ।
ଏହାପରେ, ପରିଶେଷରେ କବି ଯାହା କହିଛନ୍ତି, ତାହା ହେଉଛି- କାଳେ କାଳେ ଛାମୁମାନଙ୍କର ଛାମୁଆମାନେ ଏହିପରି ଉପରମୁହାଁ ହୋଇଥାନ୍ତି। ସେମାନଙ୍କର ସେହି ଅହମିକାର ଖେଳ ସମୁଦ୍ର ଢେଉ ପରି ସବୁବେଳେ ଫୁଲି ଉଠୁଥାଏ। ପ୍ରତିଯୁଗରେ, ପ୍ରତି ସମୟରେ ଏହା ଦେଖାଯାଇଛି। ଏବେବି ଆମେ ଏହା ଦେଖୁଛୁ।