ଦ୍ରୁମାଃ ସପୁଷ୍ପାଃ ସଲିଳଂ ସପଦ୍ମଂ
ସ୍ତ୍ରିୟଃ ସକାମାଃ ପବନଃ ସୁଗନ୍ଧି,
ସୁଖାଃ ପ୍ରଦୋଷାଃ ଦିବସାଶ୍ଚ ରମ୍ୟାଃ
ସର୍ବଂ ପ୍ରିୟଂ ଚାରୁତରଂ ବସନ୍ତେ!
-କାଳିଦାସ, ଋତୁସଂହାର, ଷଷ୍ଠ ସର୍ଗ
ବସନ୍ତ ଋତୁରାଜ। ଶ୍ରେଷ୍ଠଋତୁ। ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ଭଗବଦ୍ଗୀତାରେ କହିଛନ୍ତି, ‘ଋତୂନାଂ କୁସୁମାକରଃ’’, ଅର୍ଥାତ୍ ମୁଁ ଋତୁମାନଙ୍କ ଭିତରେ ବସନ୍ତ। ମହାକବି କାଳିଦାସଙ୍କ ବର୍ଣ୍ଣନାରେ ମଧ୍ୟ ବସନ୍ତ ସର୍ବପ୍ରିୟ। ଅତି ସୁନ୍ଦର ଋତୁ।
‘ଋତୁସଂହାର’ କାଳିଦାସଙ୍କର ଏକ ପ୍ରମୁଖ କୃତି। ଏହାର ଛଅଟି ସର୍ଗରେ ସେ ଗ୍ରୀଷ୍ମଠାରୁ ଆରମ୍ଭ କରି ବସନ୍ତ ପର୍ଯ୍ୟନ୍ତ ଷଡ଼ଋତୁର ବର୍ଣ୍ଣନା କରିଛନ୍ତି। ତାହାରି ମଧ୍ୟରେ ଏହି ସର୍ବପ୍ରିୟ ଚାରୁତର ଋତୁର ବର୍ଣ୍ଣନା ରହିଛି।
ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଉତ୍ତରାୟଣ ହେବା ପରେ ଶୀତଋତୁର ପ୍ରକୋପ ଧୀରେ ଧୀରେ କମେ। ପରେ ସୂର୍ଯ୍ୟ ବିଷୁବରେଖାରେ ଅବସ୍ଥାନ କଲାବେଳକୁ ପ୍ରଖର ଗ୍ରୀଷ୍ମତାପ ଅନୁଭୂତ ହୋଇଥାଏ। ମଧ୍ୟବର୍ତ୍ତୀ ଫାଲଗୁନ ଓ ଚୈତ୍ରମାସ ହେଉଛି ବସନ୍ତ ଋତୁର ସମୟ। ତାହାରି ବର୍ଣ୍ଣନା ‘ଋତୁସଂହାର’ର ଏହି ଷଷ୍ଠ ସର୍ଗରେ ରହିଛି।
ଉପରୋକ୍ତ ସୁଭାଷିତରେ ମହାକବି କାଳିଦାସ କହିଛନ୍ତି- ବସନ୍ତଋତୁରେ ବୃକ୍ଷମାନେ ପୁଷ୍ପିତା ହୁଅନ୍ତି। ପୁଷ୍କରିଣୀରେ ପଦ୍ମ ଫୁଟେ। ନାରୀମନରେ କାମନାର ଉଦ୍ରେକ ହୁଏ। ପବନରେ ସୁଗନ୍ଧି ଭରିଯାଏ। ଦିନ ମନୋରମ ଓ ସନ୍ଧ୍ୟା ସୁଖକର ହୁଏ। ଏହିପରି ଭାବରେ ବସନ୍ତ ହୋଇଯାଏ ସୁନ୍ଦରତର ଋତୁ; ସମସ୍ତଙ୍କର ପ୍ରିୟ ଋତୁ।
କିନ୍ତୁ ବିଡ଼ମ୍ବନା ହେଉଛି, ସବୁ ଭଲର ଆୟୁଷ ସ୍ବଳ୍ପ ହେବା ପରି, ବସନ୍ତ ମଧ୍ୟ ଏକ ସୀମିତ ସମୟର ଋତୁ। ଏଣୁ ଆମର ସୀମିତ ଜୀବନକାଳରେ ଏହି ଋତୁକୁ ଆମେ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/06/2PNB9yTxJO7Ot9Hb3dMq.jpg)