ସୁଭାଷିତ: ଶ୍ରୀଜଗନ୍ନାଥ ପୂର୍ଣ୍ଣବ୍ରହ୍ମ, ପୂର୍ଣ୍ଣକଳା

ଏ ଜଗନ୍ନାଥ ଷୋଳକଳା। ଏଥୁଁ କଳାଏ ନନ୍ଦବଳା।
କଳାକ ଷୋଳକଳା ହୋଇ। ଘେନି ଜନ୍ମିଲେ ଗୋପେ ଯାଇ।ା
-ଶ୍ରୀଜଗନ୍ନାଥ ଚରିତାମୃତ, ଦିବାକର ଦାସ, ଅଷ୍ଟାଦଶ ଅଧ୍ୟାୟ
ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଯେଉଁ ଶ୍ରୀକୃଷ୍ଣ ଜନ୍ମ ନେଲେ, ସେ କିଏ? ଶ୍ରୀଜଗନ୍ନାଥଙ୍କ ସହିତ ତାଙ୍କର ସଂପର୍କ କ’ଣ? ଶ୍ରୀଚୈତନ୍ୟଙ୍କର ଅନୁଗାମୀ ଗୌଡ଼ୀୟ ବୈଷ୍ଣବମାନେ ଶ୍ରୀକୃଷ୍ଣଙ୍କୁ ପ୍ରାଧାନ୍ୟ ଦିଅନ୍ତି। ତାଙ୍କୁ ସ୍ୱୟଂ ଭଗବାନ ବୋଲି କହି, ଶ୍ରୀଜଗନ୍ନାଥଙ୍କ ସହିତ ସେ ଏକାତ୍ମ ବୋଲି ଗ୍ରହଣ କରନ୍ତି। ଏହା ବି କହନ୍ତି, ଯେ ଶ୍ରୀଜଗନ୍ନାଥ ରାଧା ଓ କୃଷ୍ଣଙ୍କର ମିଳିତ ତନୁ। କିନ୍ତୁ ଉତ୍କଳୀୟ ବୈଷ୍ଣବମାନଙ୍କ ମତରେ ଶ୍ରୀଜଗନ୍ନାଥ ହିଁ ପ୍ରଧାନ। ସେ ଷୋଳକଳା। ତାଙ୍କରି ଗୋଟିଏ କଳାରୁ ଶ୍ରୀକୃଷ୍ଣଙ୍କର ଆବିର୍ଭାବ।
ଏହି ମତର ଏକ ପ୍ରତିଫଳନ ମିଳେ ବିପ୍ର ଦିବାକର ଦାଶ ବିରଚିତ ‘ଜଗନ୍ନାଥାମୃତ ଗୀତା’ ବା ‘ଶ୍ରୀଜଗନ୍ନାଥ ଚରିତାମୃତ’ରେ। ତାହା ଅତିବଡ଼ ଜଗନ୍ନାଥ ଦାସଙ୍କର ଜୀବନୀ। ତାହାର ଅଷ୍ଟାଦଶ ଅଧ୍ୟାୟରେ ଅଛି ‘ଶ୍ରୀମୂର୍ତ୍ତି ଶ୍ରୀଅଙ୍ଗ ବିଚାର’। ସେ ପ୍ରସଙ୍ଗରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଯେଉଁ କଳାସଂପନ୍ନ, ସେ କଳା କଥା କୁହାଯାଇଛି। ତାହା ଅନୁସାରେ, ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଦାରୁମୂର୍ତ୍ତିରେ ବିରାଜମାନ ଶ୍ରୀଜଗନ୍ନାଥ ହେଉଛନ୍ତି ଆଦିପୁରୁଷ ଗୋବିନ୍ଦ। ଅଗ୍ନିରୁ ଅଗ୍ନି ଜାତ ହେବା ପରି, ମନୁଷ୍ୟରୁ ମନୁଷ୍ୟ ସୃଷ୍ଟି ହେବା ପରି, ସେ ବ୍ରହ୍ମରୁ ବ୍ରହ୍ମରୂପେ ସଂଭୂତ ହୋଇଛନ୍ତି।
ସେହି ପ୍ରସଙ୍ଗରେ ଶ୍ରୀକୃଷ୍ଣଙ୍କର ଜନ୍ମ କଥା କୁହାଯାଇଛି। ସେଥିରେ ବିପ୍ର ଦିବାକର ଦାସ କହିଛନ୍ତି- ବ୍ରହ୍ମରୁ ବ୍ରହ୍ମରୂପେ ଜାତ ହୋଇଥିବାରୁ ଶ୍ରୀଜଗନ୍ନାଥ ଷୋଳକଳା ସଂପନ୍ନ। ଏହି ପୂର୍ଣ୍ଣକଳା ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କଠାରୁ କଳାଏ ନେଇ, ଗୋପପୁରରେ (ମଥୁରାରେ) ଶ୍ରୀକୃଷ୍ଣଙ୍କର ଜନ୍ମ। ସେହି ଗୋଟିଏ କଳାକୁ ଷୋଳକଳା କରି ସେ ଧରାପୃଷ୍ଠରେ ଆବିର୍ଭୂତ ହୋଇଛନ୍ତି। ଏ ଦୃଷ୍ଟିରୁ ଏହି ପଦଟି ଉତ୍କଳୀୟ ବୈଷ୍ଣବମାନଙ୍କର ଅତ୍ୟନ୍ତ ପ୍ରିୟ।

ସମ୍ବନ୍ଧିତ ଖବର