‘ଶ୍ରୀପ୍ରସାଦିତଃ ସୁରେଶେନ ଲୋକାନୁଗ୍ରହଣାୟ ବୈ।
ଯଥା ତଥା ଦୃଷ୍ଟିପଥଂ ଯାତୋ ମୁକ୍ତିପ୍ରଦଂ ଧ୍ରୁବମ୍‌।ା
-ସ୍କନ୍ଦପୁରାଣ, ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ, ୪୬/୪୫
ଜଗନ୍ନାଥଙ୍କର ବାରମାସରେ ତେରଯାତ୍ରା। ସ୍କନ୍ଦପୁରାଣ, ବାମଦେବସଂହିତା ଓ ଯାତ୍ରାଭାଗବତ ଆଦିରେ ବର୍ଣ୍ଣିତ ଯାତ୍ରାର ସଂଖ୍ୟା ୧୨। ନୀଳାଦ୍ରି ମହୋଦୟାଷ୍ଟମୀକୁ ମିଶାଇ ଏହି ସଂଖ୍ୟା ୧୩। ‘ସ୍କନ୍ଦପୁରାଣ’ରେ ଏହି ଯାତ୍ରାର କାରଣ କ’ଣ ଏହା ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି।
‘ସ୍କନ୍ଦପୁରାଣ’ର ୨୯ ଅଧ୍ୟାୟରେ ଅଛି ଗୁରୁତ୍ୱପୂର୍ଣ୍ଣ ‘ବ୍ରହ୍ମୋବାଚ’ ଓ ‘ଶ୍ରୀପ୍ରତିମୋବାଚ’। ‘ବ୍ରହ୍ମୋବାଚ’ରେ, ରାଜା ଇନ୍ଦ୍ରଦ୍ୟୁମ୍ନ କି ପ୍ରକାରେ ଶ୍ରୀଜଗନ୍ନାଥଙ୍କର ଅର୍ଚ୍ଚନା କରିବେ ତାହା ବ୍ରହ୍ମା ପଚାରିଛନ୍ତି ଏବଂ ତାହାର ଉତ୍ତରରେ ‘ଶ୍ରୀପ୍ରତିମା’ ଅର୍ଥାତ୍ ଶ୍ରୀଜଗନ୍ନାଥ ନିଜେ ସେ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ପ୍ରସଙ୍ଗରେ ୩୧ ଅଧ୍ୟାୟର ସ୍ନାନଯାତ୍ରା ବର୍ଣ୍ଣନାଠାରୁ ଆରମ୍ଭ କରି, ୪୬ ଅଧ୍ୟାୟର ଚନ୍ଦନଯାତ୍ରା ପର୍ଯ୍ୟନ୍ତ ଦ୍ୱାଦଶଯାତ୍ରାର ବିଧି ବର୍ଣ୍ଣିତ ହୋଇଛି। ଏ ପ୍ରସଙ୍ଗରେ ୪୬ ଅଧ୍ୟାୟର ୩୯-୪୦ ଶ୍ଳୋକରେ ଶ୍ରୀଜଗନ୍ନାଥ କହିଛନ୍ତି- ଗୁଣ୍ଡିଚାଯାତ୍ରା ଆଦି ମୋର ଯେଉଁ ପବିତ୍ର ଦ୍ୱାଦଶ ମହାଯାତ୍ରା, ସେହି ପ୍ରତ୍ୟେକ ଯାତ୍ରା ମୁକ୍ତିପ୍ରଦ ଏବଂ ଧର୍ମ, କାମ ଓ ଅର୍ଥ ବର୍ଦ୍ଧକ। ଯଦି କେହି ଭକ୍ତି ସହକାରେ ଏହିସବୁ ଯାତ୍ରା ମଧ୍ୟରୁ ଗୋଟିଏ ବି ଅବଲୋକନ କରେ, ତାହାହେଲେ ସେ ଏହି ସଂସାରସାଗରରୁ ପାର ହୋଇ ବିଷ୍ଣୁଲୋକକୁ ଗମନ କରେ ବା ମୋକ୍ଷଲାଭ କରିଥାଏ।
ଏ ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତଟି ଜୈମିନୀ ଋଷି ମୁନିମାନଙ୍କୁ କହିଛନ୍ତି। ୪୪ ଓ ୪୫ ଶ୍ଳୋକରେ ସେ କହିଛନ୍ତି- ସାକ୍ଷାତ୍ ପରଂବ୍ରହ୍ମରୂପୀ ଜଗଦ୍‌ଗୁରୁ ଶ୍ରୀଜଗନ୍ନାଥଦେବ ସୁରେଶ୍ୱର ବ୍ରହ୍ମାଙ୍କ ଦ୍ୱାରା ପ୍ରସାଦିତ ହୋଇ, ଲୋକମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ ନିମନ୍ତେ ଏହି ସବୁ ଯାତ୍ରାର ବିଧାନ କରିଛନ୍ତି। ଏହା ଅଳ୍ପବୁଦ୍ଧି ମନୁଷ୍ୟମାନଙ୍କର ବିଶ୍ୱାସ ନିମନ୍ତେ ଉଦ୍ଦିଷ୍ଟ। କିନ୍ତୁ ଯେକୌଣସି ସମୟରେ ତାହାଙ୍କୁ ଯେଉଁଭଳି ଭାବରେ ଦର୍ଶନ କଲେ ମଧ୍ୟ, ନିଶ୍ଚିତ ଭାବରେ ସେ ମୁକ୍ତିଦାନ କରନ୍ତି।