ଅଷ୍ଟାଦଶ ପୁରାଣ ସାର।
ଶ୍ରୀଭାଗବତ ନାମ ଯାର।ା
-ଶ୍ରୀମଦ୍ ଭାଗବତ, ୧୨/୭
ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୂର୍ଣ୍ଣିମା ନାମରେ ପ୍ରସିଦ୍ଧ। ଏହା ମଧ୍ୟ ଭାଗବତ ଜନ୍ମର ଦିନ। କାରଣ ଏହିଦିନ ବ୍ୟାସଦେବ ସଂସ୍କୃତ ଶ୍ରୀମଦ୍ ଭାଗବତର ରଚନା ଆରମ୍ଭ କରିଥିଲେ। ଅତିବଡ଼ ଜଗନ୍ନାଥ ଦାସ ଏହାକୁ ସରଳ ନବାକ୍ଷରୀ ଓଡ଼ିଆରେ ରଚନା କରିଛନ୍ତି।
ଶ୍ରୀମଦ୍‌ଭାଗବତର ଦ୍ୱାଦଶ ସ୍କନ୍ଧ, ସପ୍ତମ ଅଧ୍ୟାୟରେ ଚାରିବେଦ, ତାହାର ଶାଖା ପ୍ରଶାଖା, ପୁରାଣ ଓ ଉପପୁରାଣ ଆଦିର ବର୍ଣ୍ଣନା ଅଛି। ସେହି ପ୍ରସଙ୍ଗରେ ପୁରାଣର ଲକ୍ଷଣ ମଧ୍ୟ ବର୍ଣ୍ଣିତ ହୋଇଛି। ସେହି କ୍ରମରେ କୁହାଯାଇଛି- ପୁରାତତ୍ତ୍ୱବିତ୍ ମୁନିମାନେ ଏହି ସବୁ ଲକ୍ଷଣ ଦ୍ୱାରା ପୁରାଣମାନଙ୍କୁ ଚିହ୍ନିତ କରନ୍ତି ଏବଂ ଏହି ସବୁ ଲକ୍ଷଣଯୁକ୍ତ ଛୋଟ, ବଡ଼ ଅଠରଟି ପୁରାଣ ରହିଛି।
ଏହି ଅଷ୍ଟାଦଶ ପୁରାଣର ନାମ ମଧ୍ୟ ସେହି ଅଧ୍ୟାୟର ୨୩ ଓ ୨୪ ଶ୍ଳୋକରେ ପ୍ରଦତ୍ତ ହୋଇଛି। ଏହା ଅନୁସାରେ, ଅଷ୍ଟାଦଶ ପୁରାଣ ହେଉଛି- ବ୍ରହ୍ମପୁରାଣ, ପଦ୍ମପୁରାଣ, ବିଷ୍ଣୁପୁରାଣ, ଶିବପୁରାଣ, ଲିଙ୍ଗପୁରାଣ, ଗରୁଡ଼ପୁରାଣ, ନାରଦପୁରାଣ, ଭାଗବତପୁରାଣ, ଅଗ୍ନିପୁରାଣ, ସ୍କନ୍ଦପୁରାଣ, ଭବିଷ୍ୟପୁରାଣ, ବ୍ରହ୍ମବୈବର୍ତ୍ତପୁରାଣ, ମାର୍କଣ୍ଡେୟପୁରାଣ, ବାମନପୁରାଣ, ବରାହପୁରାଣ, ମତ୍ସ୍ୟପୁରାଣ, କୂର୍ମପୁରାଣ ଓ ବ୍ରହ୍ମାଣ୍ଡପୁରାଣ। ଏହାପରେ ୨୫ ଶ୍ଳୋକରେ କୁହାଯାଇଛି- ଶୌନକ ଏବଂ ମହର୍ଷି ବ୍ୟାସଦେବଙ୍କର ଶିଷ୍ୟ ପ୍ରଶିଷ୍ୟ ଗଣ ପରମ୍ପରାକ୍ରମେ ବେଦସଂହିତା ଓ ପୁରାଣ ସଂହିତାମାନଙ୍କର ଅଧ୍ୟୟନ, ଅଧ୍ୟାପନ ଓ ବିଭାଜନ କରିଥିଲେ। ଏହି ପ୍ରସଙ୍ଗ ପଢ଼ିଲେ ବା ଶୁଣିଲେ ବ୍ରହ୍ମତେଜର ଅଭିବୃଦ୍ଧି ହୁଏ।
ଏହି ପ୍ରସଙ୍ଗରେ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ଭାଗବତର ମହତ୍ତ୍ୱ ସୂଚାଇ କହିଛନ୍ତି- “ଅଷ୍ଟାଦଶ ପୁରାଣ ସାର। / ଶ୍ରୀଭାଗବତ ନାମ ଯାର।’’ ଅର୍ଥାତ୍ ଶ୍ରୀଭାଗବତ ପୁରାଣ ହେଉଛି ଏହି ଅଷ୍ଟାଦଶପୁରାଣର ସାର ସ୍ୱରୂପ।