ଯାଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ।ା
-ଶ୍ରୀଦୁର୍ଗାସପ୍ତଶତୀ, ୧୧ / ୩୨-୩୪

Advertisment

‘ମାର୍କଣ୍ଡେୟ ପୁରାଣ’ ବ୍ୟାସଦେବ ବିରଚିତ ‘ଅଷ୍ଟାଦଶ ପୁରାଣ’ର ଅନ୍ତର୍ଗତ। ସେଥିରେ ୧୩ଟି ଅଧ୍ୟାୟରେ ଶ୍ରୀଦୁର୍ଗାଙ୍କର ଚରିତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି। ସେଥିପାଇଁ ଷୋଡ଼ଶ ଦିବସବ୍ୟାପୀ ଶାରଦୀୟ ଓ ବାସନ୍ତିକ ଦୁର୍ଗାପୂଜା ସମୟରେ ଏହା ପାଠ କରାଯାଇଥାଏ। ଏହା ‘ଶ୍ରୀଦୁର୍ଗାସପ୍ତଶତୀ’ ବା ‘ସପ୍ତଶତୀ ଚଣ୍ଡୀ’ ବା ‘ଶ୍ରୀଶ୍ରୀ ଚଣ୍ଡୀ’ ଭାବରେ କଥିତ ହୁଏ। ଏଥିରେ ୭୦୦ଟି ଶ୍ଳୋକରେ ଦେବୀଙ୍କର ଚରିତ ବର୍ଣ୍ଣିତ ହୋଇଥିବାରୁ, ଏହା ‘ଦୁର୍ଗା ସପ୍ତଶତୀ’ ଭାବରେ ନାମିତ ଓ ବିଖ୍ୟାତ।

ଏହି ‘ଦୁର୍ଗାସପ୍ତଶତୀ’ ଅନୁସାରେ, ଦେବୀଦୁର୍ଗା ଦୁର୍ମଦ ମହିଷାସୁରକୁ ମର୍ଦ୍ଦନ କରିବା ପରେ, ଇନ୍ଦ୍ରାଦି ଦେବଗଣ ଓ ଋଷିଗଣ ତାଙ୍କୁ ବହୁ ଭାବରେ ସ୍ତୁତି କରିଥିଲେ। ସେଥିରେ, ଏହି ଦେବୀ ସର୍ବଭୂତ ବା ସମସ୍ତଙ୍କର ହୃଦୟରେ ବିଷ୍ଣୁମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କୁଣ୍ଠା, ଲକ୍ଷ୍ମୀ, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ମାତୃ ଓ ଭ୍ରାନ୍ତି ରୂପରେ ସଂସ୍ଥିତ ରହିଛନ୍ତି ବୋଲି କୁହାଯାଇଛି। ସେହି ପର୍ଯ୍ୟାୟରେ, ଉପରୋକ୍ତ ସୁଭାଷିତରେ, ଦେବୀ ସର୍ବଭୂତ ବା ସମସ୍ତଙ୍କ ହୃଦୟରେ ଶକ୍ତି ରୂପରେ ସଂସ୍ଥିତା ବୋଲି କୁହାଯାଇ ତାଙ୍କୁ ତ୍ରିବାର ନମସ୍କାର କରାଯାଇଛି।