ସର୍ବଲକ୍ଷଣ ସଂପୂର୍ଣ୍ଣାଂ ଲକ୍ଷିତାଂ ଶୁଭଲକ୍ଷଣୈଃ।
ଲକ୍ଷ୍ମୀଶୋରସି ନିତ୍ୟସ୍ଥାଂ ଲକ୍ଷ୍ମୀଂ ତାଂ ପ୍ରଣମ୍ୟାମହମ୍।।
-ସ୍କନ୍ଦପୁରାଣ, ଉତ୍କଳଖଣ୍ଡ, ୨/୩୦
ଦେବୀ ଲକ୍ଷ୍ମୀ କେଉଁଠାରେ ଅବସ୍ଥାନ କରନ୍ତି? ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଜଣା। କିନ୍ତୁ ଏହାର ଆଉ ଗୋଟିଏ ଉତ୍ତର ହେଉଛି- ଯେଉଁଠି ଅଲକ୍ଷ୍ମୀ ନ ଥାନ୍ତି, ସେଠି ଲକ୍ଷ୍ମୀ ଥା’ନ୍ତି।
ଅଲକ୍ଷ୍ମୀ ହେଉଛନ୍ତି- ଲକ୍ଷ୍ମୀଙ୍କର ଭଉଣୀ। ତାଙ୍କର ରୂପ ଓ ଗୁଣ ମା’ ଲକ୍ଷ୍ମୀଙ୍କର ସଂପୂର୍ଣ୍ଣ ବିପରୀତ। ତେଣୁ, ଯେଉଁ ସ୍ଥାନ କଳହ, ହିଂସା ଓ ପାପ ଦ୍ବାରା କଳୁଷିତ, ସେହି ସ୍ଥାନରେ ସେ ଅବସ୍ଥାନ କରନ୍ତି। ମଦ୍ୟ, ମାଂସ ଓ ଆମିଷରେ ଯେଉଁ ସ୍ଥାନ ପ୍ରଦୂଷିତ, ଯେଉଁଠାରେ ପରନିନ୍ଦା ଓ ପରଚର୍ଚ୍ଚାର ଅବସ୍ଥାନ, ବାଦ, ଛିଦ୍ର, ଈର୍ଷା ଆଦିରେ ଯେଉଁ ସ୍ଥାନ ଦୁର୍ଗନ୍ଧଯୁକ୍ତ ତାହା ତାଙ୍କର ପ୍ରିୟ ସ୍ଥାନ। ଏ ସଂପର୍କରେ ପୁରାଣ କାହାଣୀ ରହିଛି।
ଏଣୁ ଏହିସବୁ ସ୍ଥାନର ବିପରୀତ ସ୍ଥାନ ହେଉଛି ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ସ୍ଥାନ।
କିନ୍ତୁ ଏସବୁ ବ୍ୟତୀତ, ଦେବୀ ଲକ୍ଷ୍ମୀଙ୍କର ଆଉ ଗୋଟିଏ ପ୍ରିୟ ସ୍ଥାନ ଅଛି। ସେ ସ୍ଥାନ ତାଙ୍କର ପ୍ରିୟତମ ଓ ନିତ୍ୟସ୍ଥାନ। ତାହା ହେଉଛି- ଶ୍ରୀନାରାୟଣଙ୍କର ବକ୍ଷସ୍ଥଳ।
ସ୍କନ୍ଦପୁରାଣ- ଉତ୍କଳଖଣ୍ଡର ଦ୍ବିତୀୟ ଅଧ୍ୟାୟେର, ୨୭ରୁ ୩୦ ଶ୍ଳୋକ ମଧ୍ୟରେ ଏହାର ବର୍ଣ୍ଣନା ଅଛି।
ଶ୍ରୀକ୍ଷେତ୍ର ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମୁକ୍ତିକ୍ଷେତ୍ର ହୋଇଥିବାରୁ, ସେହି କ୍ଷେତ୍ରରେ ଯମରାଜଙ୍କର ଆଧିପତ୍ୟ କ୍ଷୁଣ୍ଣ ହେଲା। ସେଥିପାଇଁ ସେ ବିବ୍ରତ ହୋଇ ଆସି ସେଠାରେ ପହଞ୍ଚିଲେ। ଭଗବାନ ବିଷ୍ଣୁଙ୍କୁ ସ୍ତୁତି ଦ୍ବାରା ସନ୍ତୁଷ୍ଟ ନ କଲେ ତାଙ୍କର ଆଧିପତ୍ୟ ରକ୍ଷା ହେବନାହିଁ ଜାଣି, ସେ ତାଙ୍କର ସ୍ତୁତି କଲେ। ସେହି ସ୍ତୁତିରେ ଏହା ବର୍ଣ୍ଣିତ ହୋଇଛି।
ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରି ଯମରାଜ କହିଛନ୍ତି- କମଳା (ଲକ୍ଷ୍ମୀଦେବୀ)ଙ୍କ ଅପାଙ୍ଗ ସଂସ୍ପର୍ଶରେ ଆପଣଙ୍କର ନୟନ ନିୟତ ଶୋଭିତ। ଆପଣଙ୍କର ମନୋମୁଗ୍ଧକର ବକ୍ଷସ୍ଥଳ ଶ୍ରୀବତ୍ସ ଚିହ୍ନିତ ଏବଂ କୌସ୍ତୂଭମଣି ଦ୍ବାରା ପ୍ରଦୀପ୍ତ। ଆପଣଙ୍କର ପାଦପଦ୍ମକୁ ଆଶ୍ରୟ କରି ଲକ୍ଷ୍ମୀଦେବୀ ଐଶ୍ବର୍ଯ୍ୟଶାଳିନୀ ହୁଅନ୍ତି ଏବଂ ଆଶ୍ରିତ ବ୍ୟକ୍ତିମାନଙ୍କୁ ଚିରନ୍ତନ ଐଶ୍ବର୍ଯ୍ୟ ପ୍ରଦାନ କରନ୍ତି। ସୃଷ୍ଟିକାର୍ଯ୍ୟରେ ଆପଣଙ୍କର ପ୍ରବୃତ୍ତି ହେଲେ, ପରାପ୍ରକୃତି ପରମପୁରୁଷଙ୍କଠାରୁ ଭିନ୍ନ ରୂପରେ ପ୍ରତୀୟମାନ ହୁଅନ୍ତି ଏବଂ ପ୍ରକୃତି ଆପଣଙ୍କର ବିକାର (ଭିନ୍ନ ରୂପ) ସଂପାଦନ କରନ୍ତି।
ଏହି ପ୍ରକୃତି, ସର୍ବଲକ୍ଷଣଯୁକ୍ତା ଏବଂ ଶୁଭଲକ୍ଷଣ ଦ୍ବାରା ଲାଳିତା। ଶ୍ରୀନାରାୟଣଙ୍କ ବକ୍ଷସ୍ଥଳରେ ନିତ୍ୟ ନିବାସ କରୁଥିବା ଏହି ଦେବୀ ଲକ୍ଷ୍ମୀଙ୍କୁ ମୁଁ ପ୍ରଣାମ କରୁଛି।
ଯମରାଜଙ୍କର ଏହି ସ୍ତୁତି ସୂଚାଏ, ଯେ ଲକ୍ଷ୍ମୀଦେବୀଙ୍କର ନିତ୍ୟ ଓ ପ୍ରିୟ ନିବାସ ହେଉଛି ଶ୍ରୀନାରାୟଣଙ୍କର ବକ୍ଷସ୍ଥଳ।
Subhashit: ସୁଭାଷିତ: ଲକ୍ଷ୍ମୀଙ୍କର ନିତ୍ୟନିବାସ ନାରାୟଣଙ୍କ ବକ୍ଷସ୍ଥଳ
ଦେବୀ ଲକ୍ଷ୍ମୀ କେଉଁଠାରେ ଅବସ୍ଥାନ କରନ୍ତି? ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଜଣା। କିନ୍ତୁ ଏହାର ଆଉ ଗୋଟିଏ ଉତ୍ତର ହେଉଛି- ଯେଉଁଠି ଅଲକ୍ଷ୍ମୀ ନ ଥାନ୍ତି, ସେଠି ଲକ୍ଷ୍ମୀ ଥା’ନ୍ତି।
/sambad/media/media_files/2025/11/07/dgdgadgacvz-2025-11-07-01-08-46.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)