ବୃକ୍ଷଙ୍କ ମୂଳେ ଜଳ ପଶି। ଫଳ ପଲ୍ଲବ ପରକାଶି ାା
ତପର ଅନ୍ତେ ଫଳ ପାଇ। ତପସ୍ବୀ ଯେହ୍ନେ ତୁଷ୍ଟ ହୋଇ ାା
-ଜଗନ୍ନାଥ ଦାସ, ଭାଗବତ, ୧୦/୨୧
ବର୍ଷାର ଅନ୍ୟ ନାମ ‘ଉଦ୍ଭିଦମିତ୍ର’। କାରଣ, ବର୍ଷାର ସ୍ପର୍ଶରେ ବୃକ୍ଷଲତା ପଲ୍ଲବିତ ହୁଅନ୍ତି। ସେମାନଙ୍କର ରୌଦ୍ରତାପ ଜନିତ ଗ୍ରୀଷ୍ମକଷ୍ଟ ଦୂର ହୋଇଯାଏ। େସଥିପାଇଁ କବିବର ରାଧାନାଥ ରାୟ ତାଙ୍କ ‘ତୁଳସୀ ସ୍ତବକ’ରେ ‘‘ବରଷାକାଳ ଅଟେ ଉଦ୍ଭିଦମିତ୍ର’’ ବୋଲି କହିଛନ୍ତି।
କିନ୍ତୁ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ଏହାର ଭିନ୍ନ ଓ ତାତ୍ତ୍ବିକ ବ୍ୟାଖ୍ୟା ଅଛି।
ବୃକ୍ଷମାନଙ୍କର ବିଶେଷତ୍ବ ହେଉଛି– ଶୀତ, ବର୍ଷା ଓ ଗ୍ରୀଷ୍ମ ସବୁ ଋତୁର ଦୁଃଖ ସହିଲେ ମଧ୍ୟ ସେମାନେ ଆମକୁ ସବୁବେଳେ ସୁଖ ଦେଇଥାନ୍ତି। କାରଣ, ଗୋଟିଏ ବୃକ୍ଷର ପତ୍ର, ଫୁଲ, ଫଳ, ମୂଳ, ବକଳ ଓ କାଠ– ସବୁ ଆମର ଉପକାରରେ ଲାଗେ। ଏପରିକି, ବର୍ଷା, ଶୀତ ଓ ଗ୍ରୀଷ୍ମ ସହି ମଧ୍ୟ ସେମାନେ ଆମକୁ ଛାଇ ଓ ଆଶ୍ରୟ ପ୍ରଦାନ କରିଥାନ୍ତି।
କିନ୍ତୁ ‘ଭାଗବତ’ର ଉପରୋକ୍ତ ସୁଭାଷିତରେ କୁହାଯାଇଛି– ଗ୍ରୀଷ୍ମଋତୁର ପ୍ରଖର ରୌଦ୍ରତାପ ବୃକ୍ଷମାନଙ୍କୁ ଯେଉଁ କଷ୍ଟ ଦିଏ, ତାହା ହେଉଛି ସେମାନଙ୍କର ତପସ୍ୟାର କାଳ। ପରେ ଯେତେବେଳେ ବର୍ଷା ଋତୁ ଆସେ, ସେମାନଙ୍କର ମୂଳରେ ବର୍ଷାଜଳ ଭେଦିବା ଫଳରେ ସେମାନେ ପଲ୍ଲବିତ ହୁଅନ୍ତି। ତୃପ୍ତି ଲାଭ କରି ସେମାନେ ପତ୍ର, ଫୁଲ, ଫଳ ଆଦିରେ ଶୋଭା ପାଇଥାଆନ୍ତି।
ଏହାକୁ ଲକ୍ଷ୍ୟକରି ସଂସ୍କୃତ ଶ୍ରୀମଦ୍ଭାଗବତକାର ବ୍ୟାସଦେବ ଏବଂ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ କହିଛନ୍ତି–ଗ୍ରୀଷ୍ମକାଳରେ ବୃକ୍ଷ ଯେଉଁ ତପସ୍ୟା କରିଥାଏ, ସେହି ତପସ୍ୟାର ଫଳ ବର୍ଷା କାଳରେ ପାଇ ତୃପ୍ତ ହୁଏ।
ଏହା ଆମକୁ ଏହି ବାର୍ତ୍ତା ଦିଏ, ଯେ କଷ୍ଟକର ତପସ୍ୟାର ଫଳ ସବୁବେଳେ ଆନନ୍ଦଦାୟକ ଓ ତୃପ୍ତିକର ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/01/sfsffsxxcxc-2025-08-01-01-00-19.jpg)