ଭକତଜନ ନିସ୍ତାରଣେ। ଶରୀର ବହୁ ତୁ କାରଣେ ାା
–ଜଗନ୍ନାଥ ଦାସ, ଭାଗବତ, ୧୦/୧୧
ଭାଦ୍ରବ କୃଷ୍ଣ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ନାମରେ ସୁଖ୍ୟାତ। କୃଷ୍ଣ ଅଷ୍ଟମୀ ତିଥିରେ ଆମ ଦେଶରେ ଅନେକେ ଜନ୍ମଗ୍ରହଣ କରିଛନ୍ତି। କିନ୍ତୁ ସେସବୁକୁ ଜନ୍ମାଷ୍ଟମୀ କୁହାଯାଏ ନାହିଁ। କେବଳ ଭାଦ୍ରବ କୃଷ୍ଣ ଅଷ୍ଟମୀକୁ ହିଁ ଜନ୍ମାଷ୍ଟମୀ କୁହାଯାଏ। କାରଣ, ଏହି ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଶ୍ରୀକୃଷ୍ଣ ଦଶାବତାରର ଅନ୍ତର୍ଭୁକ୍ତ ନୁହନ୍ତି। କାରଣ, ସେ ପୂର୍ଣ୍ଣାବତାର। ବୈବସ୍ବତ ମନୁଙ୍କ ରାଜତ୍ବକାଳ ବା ‘ବୈବସ୍ବତ ‘ମନ୍ବନ୍ତର’ର ଏକ ଦ୍ବାପରଯୁଗରେ ସ୍ବୟଂ ନାରାୟଣ (ଭଗବାନ ବିଷ୍ଣୁ) କୃଷ୍ଣ ରୂପରେ ଜନ୍ମଗ୍ରହଣ କରିଥିଲେ। ତାହା ଥିଲା ସେହି ମନୁଙ୍କର ୭୧ ଚତୁର୍ଯୁଗ ମଧ୍ୟରୁ ୨୮ତମ ଚତୁର୍ଯୁଗର ଦ୍ବାପର। ସେଥିପାଇଁ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତର ଦଶମ ସ୍କନ୍ଧ, ଏକାଦଶ ଅଧ୍ୟାୟ (ଗୋପଲୀଳା)ରେ କୁହାଯାଇଛି–‘ଅଷ୍ଟାବିଂଶତି ଦ୍ବାପରେଣ। ଜନ୍ମ ଲଭିବେ ନାରାୟଣ।’’ ତେବେ, ଅନ୍ୟ ଅବତାରମାନଙ୍କ ପରି, ଏହି କୃଷ୍ଣାବତାରର ଆବିର୍ଭାବର କାରଣ ମଧ୍ୟ ଥିଲା ଦୁଷ୍କୃତକାରୀଙ୍କର ବିନାଶ ଏବଂ ସାଧୁ ଓ ଭକ୍ତଜନଙ୍କର ପରିତ୍ରାଣ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ନିଜେ ‘ଶ୍ରୀମଦ୍ଭଗବଦ୍ଗୀତା’ରେ କହିଛନ୍ତି–‘‘ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍। ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେଯୁଗେ।’’
ମଥୁରାରେ କଂସର ବନ୍ଦୀଶାଳାରେ ଜନ୍ମ େହାଇ ଏବଂ ଗୋପପୁରରେ ବଢ଼ି, ବାଲ୍ୟକାଳରେ ଶ୍ରୀକୃଷ୍ଣ ଯେଉଁସବୁ ଲୀଳା ଖେଳା କରିଥିଲେ, ତାହା ‘ଗୋପଲୀଳା’ ଭାବରେ ସୁଖ୍ୟାତ। ଏହି ଲୀଳାକାଳରେ ସେ ପୂତନା, ଶକଟାସୁର, ତୃଣାସୁର, ବକାସୁର, ଅଘାସୁର ଆଦିଙ୍କୁ ବଧ କରିଥିଲେ, କାଳୀୟ ସର୍ପକୁ ବି ଦଳନ କରିଥିଲେ। ପରିଶେଷରେ ମଥୁରାପୁରରେ କରିଥିଲେ କଂସବଧ। ‘ଯାମଳାର୍ଜୁନ ମୋକ୍ଷ’ ଏହିସବୁ ଲୀଳାର ଅନ୍ତର୍ଗତ। ଏହା ବର୍ଣ୍ଣିତ ହୋଇଛି ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତର ଦଶମସ୍କନ୍ଧ ଅନ୍ତର୍ଗତ ଏକାଦଶ ଓ ଦ୍ବାଦଶ ଅଧ୍ୟାୟରେ। ନଳକୂବର ଓ ମଣିଗ୍ରୀବ ଥିଲେ ଦୁଇଭାଇ। ସେମାନେ ଶିବଙ୍କୁ ତପସ୍ୟା କରି ତୁଷ୍ଟ କଲେ। ଶିବ ବରଯାଚିବାରୁ କହିଲେ–ଆମେ ୧୦୧ ଯକ୍ଷ-ଯୁବତୀଙ୍କୁ ଭୋଗ କରିବୁ। ଶିବ ତାଙ୍କୁ ସେହି ବର ଦେଲେ।
ଦିନେ ଗ୍ରୀଷ୍ମକାଳରେ ସେମାନେ ବାରୁଣୀ ମଦ୍ୟ ପାନ କରି ନିର୍ବସ୍ତ୍ର ହୋଇ ଗଙ୍ଗାରେ ଜଳକେଳି କରୁଥିଲେ। ସେହି ସମୟରେ ଦେବର୍ଷି ନାରଦ ବୀଣା ବଜାଇ ବଜାଇ ସେହି ବାଟରେ ଆସିଲେ। ତାହା ଦେଖି ମଧ୍ୟ, ମୂଢ଼ମତି ଓ ମଦମତ୍ତ ସେହି ଦୁଇ ଭାଇ ନାରଦଙ୍କୁ ଉଚିତ ମର୍ଯ୍ୟାଦା ପ୍ରଦର୍ଶନ କଲେ ନାହିଁ। ତାହା ଫଳରେ ନାରଦ ତାଙ୍କୁ ଅଭିଶାପ ଦେଲେ ଯେ ସେମାନେ ଦ୍ବାପର ଯୁଗରେ ଗୋପପୁରରେ ଯାଆଁଳା ଅର୍ଜୁନ ବୃକ୍ଷ ହୋଇ ଜନ୍ମନେବେ। ତାହା ହୋଇଥିଲା ଶିଶୁ ଶ୍ରୀକୃଷ୍ଣ ସେହି ଦୁଇ ବୃକ୍ଷର ଭଞ୍ଜନ (ଉତ୍ପାଟନ) କରି ତାଙ୍କୁ ମୋକ୍ଷ ଦେଇଥିଲେ। ‘କାରଣ’ର ଅର୍ଥ ମୋକ୍ଷ। ସେଥିପାଇଁ ଓଡ଼ିଆ ଭାଗବତର ବର୍ଣ୍ଣନା ଅନୁସାରେ, ସେହି ଦୁଇଭାଇ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଧ୍ୟାନସ୍ଥ ହେବା ସହିତ ତାଙ୍କୁ ସ୍ତୁତି କରି କହିଥିଲେ–‘‘ଭକତଜନ ନିସ୍ତାରଣେ। ଶରୀର ବହୁ ତୁ କାରଣେ।’’