ଶ୍ରୀପର୍ବତଃ ଶିରସ୍ଥାନେ କେଦାରଂ ତୁ ଲଲାଟକେ।
ବାରାଣସୀ ମହାପ୍ରାଜ୍ଞ ଭ୍ରୂବୋର୍ଘ୍ରାଣସ୍ୟ ମଧ୍ୟମେ ାା
ଭ୍ରୁବୋର୍ଘ୍ରାଣସ୍ୟ ଯଃ ସଂଧିରିତି ଜାବାଳକୀ ଶ୍ରୁତିଃ।
କୁରୁକ୍ଷେତ୍ରଂ କୁଚସ୍ଥାନେ ପ୍ରୟାଗୋ ହୃତ୍‌ସରୋରୁହେ।
ଚିଦମ୍ବରଂ ଚ ହୃନ୍ମଧ୍ୟ ଆଧାରଃ କମଳାଳୟଃ ାା
-ସୂତସଂହିତା, ୧୧/୫୦-୫୧

Advertisment

ଆମ ଦେଶ ଭାରତବର୍ଷ ଏକ ପବିତ୍ରଦେଶ। ଏହାର ତୀରେ ତୀରେ ତୀର୍ଥ। ନଦୀ, ସମୁଦ୍ର, ବନ, ପର୍ବତ–ଏପରି କୌଣସି କ୍ଷେତ୍ର ନାହିଁ, ଯାହା ତୀର୍ଥ ନୁ‌ହେଁ। ସେଥିପାଇଁ ପଣ୍ଡିତ ଗୋପବନ୍ଧୁ ଦାସ ଏକଦା କହିଥିଲେ–ଭାରତର ପ୍ରତି ଶିଳା ହେଉଛି ଶାଳଗ୍ରାମ। ଭାରତର ପ୍ରତି ବୃକ୍ଷ କଳ୍ପବଟ। ଶ୍ରୀଜଗନ୍ନାଥ ସର୍ବତ୍ର ପ୍ରକଟ ରହିଛନ୍ତି।
‌ଏହିସବୁ ତୀର୍ଥର ମାହାତ୍ମ୍ୟ ବିଭିନ୍ନ ଶାସ୍ତ୍ର-ପୁରାଣାଦିରେ ବର୍ଣ୍ଣିତ ହୋଇଛି। କିନ୍ତୁ ସମତାଳରେ ଆମର ଶାସ୍ତ୍ର-ପୁରାଣ ଆମର ଶରୀରକୁ ମଧ୍ୟ ତୀର୍ଥ ବୋଲି କହିଛନ୍ତି। ‘‘ଏହି ମନ ସିନା ଚତୁର୍ଦ୍ଧାମୂରତିରେ ମୂଢ଼ମତି’’ ବୋଲି ବିଶିଷ୍ଟ ପଞ୍ଚସଖା ସାଧକ ଅଚ୍ୟୁତାନନ୍ଦ ଦାସଙ୍କର ଗୋଟିଏ ପଦ ଅଛି।
ଭାରତୀୟ ଧର୍ମର ଦୁଇଟି ଧାରା–ଗୋଟିଏ ବୈଦିକ ଧାରା ଓ ଅନ୍ୟଟି ଲୋକଧାରା। ବୈଦିକ ଧାରାରେ ପରବର୍ତ୍ତୀ କାଳରେ ଶୈବ ଓ ବୈଷ୍ଣବ ଦୁଇଟି ପ୍ରମୁଖ ଧାରା ରୂପେ ପ୍ରତିଷ୍ଠିତ ହୋଇଛି। ଶୈବଧାରାରେ ସର୍ବତୋଭାବେ ଏକ ପ୍ରାମାଣିକ ଗ୍ରନ୍ଥ ହେଉଛି– ‘ସୂତ ସଂହିତା’। ଉପରୋକ୍ତ ସୁଭାଷିତ ତାହାର ଏକ ଅଂଶବିଶେଷ।
‘ସୂତ ସଂହିତା’ର ଏକାଦଶ ଅଧ୍ୟାୟର ଏହି ୫୦-୫୧ ଶ୍ଳୋକରେ ଯୋଗୀଙ୍କର ଶରୀର କିପରି ତୀର୍ଥମୟ, ତାହା କୁହାଯାଇଛି। ତ‌ାହା ହେଉଛି– ଯୋଗୀଙ୍କର ମସ୍ତକରେ ଶ୍ରୀପର୍ବତ, ଲଲାଟରେ କେଦାରତୀର୍ଥ, ଦୁଇ ଭ୍ରୂଲତାର ମଧ୍ୟବର୍ତ୍ତୀ ନାସିକାର ସନ୍ଧିସ୍ଥଳରେ ବାରାଣସୀ, ସ୍ତନରେ କୁରୁକ୍ଷେତ୍ର, ହୃଦୟରେ ପ୍ରୟାଗ ଏବଂ ହୃଦୟର ମଧ୍ୟସ୍ଥଳରେ ଚିଦମ୍ବର ଅବସ୍ଥାନ କରନ୍ତି। ଶରୀରର ଏହି ଆଧାର ହେଉଛି କମଳାଙ୍କର ନିବାସସ୍ଥଳ।
ଏହାର ପରବର୍ତ୍ତୀ ୫୨ ଶ୍ଳୋକରେ କୁହାଯାଇଛି–ଯିଏ ଶରୀରର ଏହି ନିଜସ୍ବ ତୀର୍ଥମାନଙ୍କୁ ଛାଡ଼ି ବାହ୍ୟତୀର୍ଥ ପ୍ରତି ଆଗ୍ରହୀ ହୁଅନ୍ତି, ସେ ନିଜର ହାତମୁଠାରେ ଥିବା ରତ୍ନକୁ ଛାଡ଼ି କାଚର ସନ୍ଧାନ ହିଁ କରିଥାଆନ୍ତି।