ଏକେ ତ ଅଯୋଧ୍ୟା ନଗରୀ ରାଣୀ
ଦେବସଭା ମଧ୍ୟେ ଯେହ୍ନେ ଇନ୍ଦ୍ରାଣୀ
-ମଧୁସୂଦନ ରାଓ, ଶ୍ରୀରାମ ବନବାସ
ମଧୁସୂଦନ ରାଓ ‘ଭକ୍ତକବି’ ରୂପେ ଓଡ଼ିଶାରେ ଓ ଓଡ଼ିଆ ସାହିତ୍ୟରେ ସୁଖ୍ୟାତ। ‘ବର୍ଣ୍ଣବୋଧ’ର ପ୍ରଣେତା ଭାବରେ ମଧ୍ୟ ସେ ଚିରସ୍ମରଣୀୟ। ତାଙ୍କର ଜନ୍ମ ୧୮୫୩ ଖ୍ରୀଷ୍ଟାବ୍ଦ, ଜାନୁଆରୀ ମାସ ୨୯ ତାରିଖରେ; ପୁଣ୍ୟକ୍ଷେତ୍ର ପୁରୀରେ। ସେ ମରହଟ୍ଟା ବଂଶ ବା ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ, ଓଡ଼ିଆ କବି ଭାବରେ ହିଁ ପରିଚିତ ଓ ସ୍ୱୀକୃତ।
ଏଇ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ସଂପନ୍ନ ହୋଇଛି ବାଳକରାମ ବା ‘ରାମ ଲାଲା’ଙ୍କର ପ୍ରାଣ ପ୍ରତିଷ୍ଠା। ସେହି ଉପଲକ୍ଷେ ଅଯୋଧ୍ୟା ନଗରୀ ରାଣୀ ପରି ସୁସଜ୍ଜିତ ହୋଇଛି। ଏକ ଉଲ୍ଲେଖନୀୟ ସଂଯୋଗ ହେଉଛି, ଆଜିଠୁଁ ପ୍ରାୟ ଦେଢ଼ଶହ ବର୍ଷ ପୂର୍ବେ, ଭକ୍ତକବି ମଧୁସୂଦନ ରାଓ, ଅଯୋଧ୍ୟାନଗରୀକୁ ଏକ ଭିନ୍ନ ଦୃଷ୍ଟିରେ ରାଣୀ ରୂପରେ ଦେଖିଥିଲେ। ତାଙ୍କ ‘ରାମ ବନବାସ’ କବିତାରେ ଏହାର ସୁନ୍ଦର ବର୍ଣ୍ଣନା ଅଛି। ‘ରସକୁଲ୍ୟା’ ବୃତ୍ତରେ ଲେଖା ସେହି କବିତାରେ ଭକ୍ତକବି ଅଯୋଧ୍ୟା ନଗରୀର ଉପମା ଦେଇ କହିଛନ୍ତି- ଦେବସଭା ମଧ୍ୟରେ ଇନ୍ଦ୍ରାଣୀ ଯେପରି ଶୋଭା ପାଆନ୍ତି, ସିନ୍ଧୁ ବକ୍ଷରେ ରମା ବା ଲକ୍ଷ୍ମୀ ଯେପରି ଶୋଭା ପାଆନ୍ତି- ସରଯୂ ନଦୀର କୋଳରେ ଅଯୋଧ୍ୟା ନଗରୀ ସେହିପରି ଶୋଭା ପାଉଛି। ଏମିତିରେ ତ ଅଯୋଧ୍ୟା ନଗରୀମାନଙ୍କ ମଧ୍ୟରେ ରାଣୀ; କିନ୍ତୁ ତାହାର ପ୍ରତିମା ବା ରୂପ ଯେପରି ଭାବରେ ଲୀଳାରଙ୍ଗରେ ବିରାଜିତ, ତାହା ନୟନ ପାଇଁ ଅତ୍ୟନ୍ତ ପ୍ରୀତିକର ହୋଇଛି।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଭାରତବର୍ଷର ମୋକ୍ଷଦାୟିନୀ ସପ୍ତନଗରୀ ମଧ୍ୟରେ ଅଯୋଧ୍ୟା ଅନ୍ୟତମା। ଅନ୍ୟ ଛଅଟି ନଗରୀ ହେଉଛି- ମଥୁରା, ମାୟା, କାଶୀ, କାଞ୍ଚି, ଅବନ୍ତିକା ଓ ଦ୍ୱାରକା। ତେଣୁ ଅଯୋଧ୍ୟା କାଳେ କାଳେ ଆନନ୍ଦମୟୀ ନଗରୀ ହୋଇ ରହିଆସିଛି। ସେଦିନ, ତ୍ରେତୟା ଯୁଗରେ, ଶ୍ରୀରାମ ଯୁବରାଜ ହେବେ ବୋଲି ଅଯୋଧ୍ୟା ସୁସଜ୍ଜିତା ହୋଇ ରାଣୀପରି ରୂପଶୋଭା ଧାରଣ କରିଥିଲା। ସେଥିପାଇଁ ଅଯୋଧ୍ୟା ନଗରୀରେ ଲାଗିଥିଲା ମହା ମହୋତ୍ସବ। ସେହି ପରିପ୍ରେକ୍ଷୀରେ ନିଜର କବି କଳ୍ପନାରେ ଅଯୋଧ୍ୟା ନଗରୀର ଏହି ଆନନ୍ଦମୟୀ ରୂପ ଆଙ୍କିଥିଲେ ଭକ୍ତକବି। ଆଜି ନୂତନ ମନ୍ଦିରରେ ‘ରାମଲାଲା’ଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ, ଅଯୋଧ୍ୟା ସତେ ଯେପରି ଆଉ ଥରେ ରାଣୀ ରୂପ ଧାରଣ କରିଛି। ଏଣୁ ପ୍ରାୟ ଦେଢ଼ ଶହ ବର୍ଷ ତଳର ସେହି କବିତାଟି ଆଜି ବି ପ୍ରାସଙ୍ଗିକ ମନେ ହେଉଛି।