ଏକୋଦର ସମୁଦ୍‌ଭୂତା ଏକନକ୍ଷତ୍ରଜାତକାଃ।
ନ ଭବନ୍ତି ସମାଃ ଶୀଳେର୍ଯଥା ବଦରିକଣ୍ଟକାଃ ାା
-ଚାଣକ୍ୟ ନୀତି

Advertisment

ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ଗୋଲାପ ପରି ସୁନ୍ଦର ଫୁଲ ଯେଉଁ ଗଛରେ ଫୁଟେ, ସେ ଗଛରେ ବି କଣ୍ଟା ଥାଏ। ସେଥିପାଇଁ କୁହାଯାଇଛି- ଗୋଲାପକୁ ପାଇବାକୁ ହେଲେ କଣ୍ଟାର ଆଘାତ ସହିବାକୁ ପଡ଼େ।
ଚାଣକ୍ୟଙ୍କ ସମୟ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ। ତାଙ୍କ ସମୟରେ ଭାରତକୁ ଗୋଲାପ ଆସି ନ ଥିଲା। କାରଣ, କଥିତ ଅଛି ଯେ ଷେ‌ାଡ଼ଶ ଶତାବ୍ଦୀର ମୋଗଲ ଶାସକଙ୍କ ସମୟରେ ଭାରତକୁ ଗୋଲାପ ଆସିଲା। ତେଣୁ ଚାଣକ୍ୟ ତାଙ୍କର ଏକ ନୀତିବାଣୀ ପାଇଁ ବରକୋଳିକୁ ହିଁ ଅବଲମ୍ବନ କରିଛନ୍ତି। କାରଣ ବରକୋଳି ସେଇ ଗଛରେ ଫଳେ, ଯେଉଁ ଗଛରେ କଣ୍ଟା ଥାଏ। କଣ୍ଟେଇକୋଳି ପରି ଆହୁରି କେତେ ଫଳ ଓ ଫୁଲ ବି ଏହିପରି ଅଛନ୍ତି। ସେମାନଙ୍କର ବିଶେଷତ୍ବ, ଯେଉଁଠି କଣ୍ଟା, ସେଇଠି ଫୁଲ ବା ସେଇଠି ଫଳ।

ଉପରୋକ୍ତ ସୁଭାଷିତରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି- ବରକୋଳି ଯେଉଁ ଡାଳରେ ଫଳେ, ସେ ଡାଳରେ କଣ୍ଟାଥାଏ। ସେହିପରି, ଗୋଟିଏ ମାତାର ଗର୍ଭରୁ ଗୋଟିଏ ନକ୍ଷତ୍ରରେ ବା ଏକ ସମୟରେ ଜାତ ହୋଇଥିଲେ ମଧ୍ୟ ଦୁଇ ସନ୍ତାନ ସ୍ବଭାବ ଓ ଚରିତ୍ରରେ ଭିନ୍ନ ଭିନ୍ନ ହୋଇ ପାରନ୍ତି। ସେଥିପାଇଁ ଓଡ଼ିଆରେ ‘ଭାଇ-ଭଗାରି’ ବୋଲି ବି ଗୋଟିଏ କଥା ପ୍ରଚଳିତ ଅଛି। କିନ୍ତୁ ଲକ୍ଷ୍ୟକଲେ ହୃଦ୍‌ବୋଧ ହୁଏ, ଯେ ଶୀଳ ବା ସ୍ବଭାବରେ ପରସ୍ପରଠାରୁ ଭିନ୍ନ ଓ ବିପରୀତ ହେଲେ ମଧ୍ୟ, ଡାଳ ଉଭୟ କଣ୍ଟା ଓ ଫଳକୁ ସମଭାବରେ ବହନ କରିଥାଏ। କେତେକ ଫୁଲଗଛ ମଧ୍ୟ କଣ୍ଟା ଓ ଫୁଲକୁ ଏକତ୍ର ବହନ କରିଥାନ୍ତି। ସେଥିପାଇଁ କୁହାଯାଇଛି- ଗୋଟିଏ ଉଦରରୁ ଜନ୍ମିତ ଦୁଇଭାଇ ଭିନ୍ନ ସ୍ବଭାବ ଚରିତ୍ରର ହେବା ପ୍ରକୃତିର ଏକ ବିଚିତ୍ରତା।