ମୁଖଶୁଦ୍ଧି ବିହୀନସ୍ୟ ନ ମନ୍ତ୍ରାଃ ଫଳଦା ସ୍ମୃତାଃ
ଦନ୍ତଜିହ୍ବାବିଶୁଦ୍ଧିଂ ଚ ତତଃ କୁର୍ଯ୍ୟାତ୍ ପ୍ରଯତ୍ନତଃାା’’
-ଶ୍ରୀପଦ୍ମପୁରାଣ, ୯୨/୧୧
ବ୍ୟାସଦେବକୃତ ‘ଶ୍ରୀପଦ୍ମପୁରାଣ’ ଅଷ୍ଟାଦଶ ମହାପୁରାଣର ଅନ୍ତର୍ଗତ। ଏହାର ୯୨ ଅଧ୍ୟାୟରେ କାର୍ତ୍ତିକବ୍ରତ ପାଳନକାରୀଙ୍କ ପାଇଁ ବିଧି ନିର୍ଦ୍ଧାରିତ ହୋଇଛି। ତାହାର ଆଧାରରେ ମହାଦେବ ଦାସ ଓଡ଼ିଆରେ ‘କାର୍ତ୍ତିକ ମାହାତ୍ମ୍ୟ’ ରଚନା କରିଛନ୍ତି। ବେଣରାଜାଙ୍କ ପୁତ୍ର ପୃଥୁଙ୍କ ପ୍ରଶ୍ନରେ ଦେବର୍ଷି ନାରଦ ଏହି ବ୍ରତର ଅବଶ୍ୟ ପାଳନୀୟ ନିୟମ ବର୍ଣ୍ଣନା କରିଛନ୍ତି।
ମହାରାଜ ପୃଥୁ ଦେବର୍ଷି ନାରଦଙ୍କୁ କହିଛନ୍ତି– ହେ ମୁନି! ଆପଣ କାର୍ତ୍ତିକ ଓ ମାଘ ଏହି ଦୁଇମାସର ମହାନ୍ ଫଳ ସଂପର୍କରେ ମୋ ଆଗରେ ବର୍ଣ୍ଣନା କରିଛନ୍ତି। ଏବେ ଏହି ଦୁଇ ମାସର ସ୍ନାନବିଧି, ନିୟମ ତଥା ଉଦ୍ଯାପନ ଆଦିର ବିଧି ଯଥୋଚିତ ଭାବରେ ବର୍ଣ୍ଣନା କରନ୍ତୁ। ପୃଥୁଙ୍କର ସେହି ଅନୁରୋଧରେ, ଦେବର୍ଷି ନାରଦ ସେ ସବୁର ବର୍ଣ୍ଣନା କରିଛନ୍ତି। ସେହି ପ୍ରସଙ୍ଗରେ ଆସିଛି ମୁଖଶୁଦ୍ଧି ଏବଂ ଦନ୍ତ ଓ ଜିହ୍ବା ଆଦିର ମାର୍ଜନର କଥା।
ଏହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତ (ଶ୍ଳୋକ)ରେ କୁହାଯାଇଛି– ଯେ ମୁଖଶୁଦ୍ଧି କରେ ନାହିଁ, ତାହାକୁ ମନ୍ତ୍ରପାଠର ଫଳ ମିଳେ ନାହିଁ। ଏଣୁ ଯତ୍ନର ସହିତ ଦନ୍ତ ଓ ଜିହ୍ବା ଆଦିକୁ ଶୁଦ୍ଧ କରିବା ଉଚିତ।
ଏ ପ୍ରସଙ୍ଗରେ ଦନ୍ତମାର୍ଜନ ପାଇଁ ଯୋଗ୍ୟ (ନିମ୍ବ, କରଞ୍ଜ, ବାଇଗବା ଆଦି) ଦାନ୍ତକାଠି ଏବଂ ତାହାର ଚୟନର ବିଧି ମଧ୍ୟ ବର୍ଣ୍ଣିତ ହୋଇଛି। କୁହାଯାଇଛି– ବ୍ରହ୍ମବୃକ୍ଷ (ପଳାଶ), ବିଲ୍ବବୃକ୍ଷ ଆଦିକୁ ଏବଂ ଅନ୍ୟ ଦୁର୍ଗନ୍ଧିଯୁକ୍ତ ବୃକ୍ଷକୁ ଦାନ୍ତକାଠି ରୂପେ ଉପଯୋଗ କରିବା ଅନୁଚିତ। ଯୋଗ୍ୟ ବୃକ୍ଷରୁ ଦାନ୍ତକାଠି ଚୟନ ବା ଦାନ୍ତକାଠି ସଂଗ୍ରହ କରିବା ସମୟରେ ଏହି ପ୍ରାର୍ଥନା କରିବା ଉଚିତ, ଯେ ହେ ବନସ୍ପତି ! ଆପଣ ମୋତେ ଆୟୁ, ବଳ, ଯଶ, କାନ୍ତି, ପ୍ରଜା, ପଶୁ, ଧନ, ବ୍ରହ୍ମଜ୍ଞାନ ଓ ମେଧା ପ୍ରଦାନ କରନ୍ତୁ! ଏହି ପ୍ରାର୍ଥନା କରିବା ପରେ, ବାର ଅଙ୍ଗୁଳି ଦୀର୍ଘ ଦାନ୍ତକାଠି ଚୟନ କରିବା ଉଚିତ।
ମାତ୍ର ଆମର ଏହି ପାରମ୍ପରିକ ଦନ୍ତ ଓ ଜିହ୍ବା ମାର୍ଜନ ବିଧିକୁ ଆମେ ଏବେ କାହିଁ କେତେ ପଛରେ ଛାଡ଼ି ଆସିଛୁ। ଏହା ଆଜି ଆଉ ଆମ ସ୍ମୃତିରେ ବି ନାହିଁ। କିନ୍ତୁ ଏହାର ମୂଳ ଉଦ୍ଦେଶ୍ୟ ଆଜି ବି ପ୍ରାସଙ୍ଗିକ। ତାହା ହେଉଛି– ଦନ୍ତ ଓ ଜିହ୍ବାକୁ ଉପଯୁକ୍ତ ଭାବରେ ମାର୍ଜନ ବା ପରିଷ୍କାର ନ କଲେ, ବା ମୁଖଶୁଦ୍ଧି ନ ଥିଲେ, ଆମକୁ ମନ୍ତ୍ରପାଠର ଫଳ ମିଳିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/adadadzxxz-2025-10-24-03-23-37.jpg)