ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତି ପ୍ରାଣ
ଜାତୀୟ ଜୀବନ ନ ମିଳିବ କଲେ ହାଟେ ବାଟେ ଅନ୍ୱେଷଣ
-ମଧୁସୂଦନ ଦାସ, ‘ସମ୍ମିଳନୀ’ କବିତା
ମାତ୍ର ସାତଟି କବିତା ଲେଖି ମଧୁସୂଦନ ଦାସ ଓଡ଼ିଆ ସାହିତ୍ୟରେ ତଥା ଓଡ଼ିଆ ଜନଜୀବନରେ କବି ଭାବରେ ଯଶସ୍ୱୀ ହୋଇଛନ୍ତି। ସେଥିରୁ ପୁଣି ଗୋଟିଏ କବିତା ଏକ ପ୍ରେମ କବିତା ଏବଂ ତାହା ତାଙ୍କର ମୃତ୍ୟୁ ପରେ ପ୍ରକାଶିତ। ବାକି ଛଅଟି ଜାତୀୟତା ଭାବ ସମ୍ବଳିତ କବିତା ବା ଗୀତ। ଏଇ ଛଅଟି କବିତା ବା ଗୀତ ହିଁ ତାଙ୍କୁ ସାହିତ୍ୟ ଓ ଜନଜୀବନରେ ଜାତିପ୍ରାଣ କବି ଭାବରେ ପ୍ରସିଦ୍ଧି ଦେଇଛି।
ଏହି ଛଅଟି କବିତା ମଧ୍ୟରୁ ‘ସମ୍ମିଳନୀ’ର ସ୍ଥାନ ପଞ୍ଚମ। ‘ମୁକୁର’ ପତ୍ରିକାର ଅକ୍ଟୋବର, ୧୯୧୫ ସଂଖ୍ୟାରେ ତାହା ପ୍ରକାଶ ପାଇଥିଲା। ପ୍ରଥମ କରି ସେହି କବିତା ବେନାମୀ ବା ଛଦ୍ମନାମରେ ପ୍ରକାଶ ନପାଇ ମଧୁସୂଦନଙ୍କ ନିଜ ନାମରେ ପ୍ରକାଶ ପାଇଥିଲା।
କବିତାର ଆରମ୍ଭରେ ମଧୁବାବୁ ଗଙ୍ଗା, ଗୋଦାବରୀ, ଯମୁନା ଓ କାବେରୀ ଆଦି ନଦୀର ଅବତାରଣା କରିଛନ୍ତି। କହିଛନ୍ତି- ଏହି ନଦୀମାନେ ନାନା ଘାଟରେ ପୂଜିତା ହେଲେ ମଧ୍ୟ ନିଜର ମାନ ଛାଡ଼ି ପରିଶେଷରେ ସିନ୍ଧୁରେ ପ୍ରବେଶ କରିଛନ୍ତି। କୋଟି ଜଳବିନ୍ଦୁ ମିଶି ଯେଉଁ ସିନ୍ଧୁ, ତାହା ଜାତିବଳ ହିଁ ପ୍ରଦର୍ଶନ କରୁଛି।
ଏହି ଅବତାରଣା ସହିତ ଉପରୋକ୍ତ ପଦରେ ସେ କହିଛନ୍ତି- ସେହି ନଦୀମାନଙ୍କ ପରି, ନିଜର ଜୀବନ ଜାତିକୁ ଅର୍ପଣ କଲେ ହିଁ ଜାତିପ୍ରାଣ ମିଳିବ। ହାଟ ବାଟରେ ଖୋଜିଲେ ଜାତୀୟ ଜୀବନ ମିଳିବ ନାହିଁ। ଏହା ମାଧ୍ୟମରେ ଜାତିର ସ୍ୱାର୍ଥପାଇଁ ନିଜକୁ ଉତ୍ସର୍ଗ କରିବାର ପ୍ରେରଣା ହିଁ ମଧୁସୂଦନ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp