ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ଓଡ଼ିଆ ଭାଗବତକାର ଅତିବଡ଼ ଜଗନ୍ନାଥ ଦାସଙ୍କର ପବିତ୍ର ଆବିର୍ଭାବ ଦିବସ। ତାଙ୍କର ଜୀବନଚରିତ ହେଉଛି ବିପ୍ର ଦିବାକର ଦାସଙ୍କ ରଚିତ ‘ଜଗନ୍ନାଥ ଚରିତାମୃତ’। ଏହାର ଅନ୍ୟନାମ ‘ଜଗନ୍ନାଥାମୃତ ଗୀତା’। ଏହା ନବାକ୍ଷରୀ ବୃତ୍ତରେ ରଚିତ, ୨୪ ଅଧ୍ୟାୟ ବିଶିଷ୍ଟ ଏକ କାବ୍ୟକୃତି। ଏହା ମଧ୍ୟ ଓଡ଼ିଆ ସାହିତ୍ୟର ପ୍ରଥମ ଜୀବନଚରିତ। ଏଥିରେ ଜଗନ୍ନାଥ ଦାସଙ୍କ ଜୀବନାଲେଖ୍ୟ ଓ ଧର୍ମମତର ବିଶେଷତ୍ୱ ବର୍ଣ୍ଣିତ ହୋଇଛି।
ଏବେ ଅନେକେ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼’ ନ କହି ‘ଅତିବଡ଼ୀ’ କହୁଛନ୍ତି। କିନ୍ତୁ ଏହି ଜୀବନଚରିତରେ ତାଙ୍କୁ ‘ଅତିବଡ଼’ ହିଁ କୁହାଯାଇଛି। କାରଣ, ଶ୍ରୀଚୈତନ୍ୟ ତାଙ୍କୁ ‘ଅତିବଡ଼’ ବୋଲି ସମ୍ବୋଧନ କରିଥିଲେ।
ସପ୍ତଦଶ ଶତାବ୍ଦୀର ପ୍ରଥମପାଦରେ ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ରଚିତ। ଏହାର ପ୍ରଥମ ଅଧ୍ୟାୟରେ ଶ୍ରୀଚୈତନ୍ୟଙ୍କୁ ନିତ୍ୟଗୋଲୋକର ଶ୍ରୀକୃଷ୍ଣଙ୍କର ଅବତାର ଏବଂ ଜଗନ୍ନାଥ ଦାସଙ୍କୁ ରାଧାଙ୍କର ଅବତାର ବୋଲି ଦର୍ଶାଯାଇଛି। କୁହାଯାଇଛି, ଶ୍ରୀରାଧାଙ୍କର ମୁଖକୁ ଚାହିଁ ଶ୍ରୀକୃଷ୍ଣଙ୍କର ଯେଉଁ ମଧୁର ହାସ୍ୟ, ସେଥିରୁ ଜାତ ହୋଇଥିଲେ ଶ୍ରୀଚୈତନ୍ୟ। ତାହା ଦେଖି, ଶ୍ରୀକୃଷ୍ଣଙ୍କ ସହିତ ଏକଭାବ ସଂପନ୍ନା ଶ୍ରୀରାଧା ବି ସ୍ମିତହାସ୍ୟ କରିଥିଲେ ଏବଂ ସେଥିରୁ ଜଗନ୍ନାଥ ଦାସ ଜାତ ହୋଇଥିଲେ। ଜଗନ୍ନାଥ ଦାସଙ୍କ ଜନ୍ମର ତିଥି, ବାର, ରାଶି, ନକ୍ଷତ୍ର ସଂପର୍କରେ ସେଥିରେ ଉଲ୍ଲେଖ ଅଛି- “ଭାଦ୍ର ଯେ ଶୁକ୍ଳାଷ୍ଟମୀ ଦିନ। ମଧ୍ୟାହ୍ନ କାଳେ ହେଲେ ଜନ୍ମ।ା ବୁଧ ଅନୁରାଧା ବିଛାରେ। ମାହେନ୍ଦ୍ର ଗୁରୁଙ୍କ ବେଳାରେ।ା’’
ଏହି ପ୍ରଥମ ଅଧ୍ୟାୟର ବର୍ଣ୍ଣନା ଅନୁସାରେ, ଜଗନ୍ନାଥ ଦାସ ଶ୍ରୀମନ୍ଦିର ପରିସରର ବଟ ଗଣେଶଙ୍କ ସମ୍ମୁଖରେ ଓଡ଼ିଆ ଭାଗବତ ରଚନା ଓ ପାଠ କରୁଥିଲେ। ସେତେବେଳେ ଶ୍ରୀଚୈତନ୍ୟ ନିଜର ସଖାମାନଙ୍କ ସହିତ ସେଠାକୁ ଆସି ସେହି ପ୍ରାକୃତ ଭାଷାର ଭାଗବତ ଶୁଣି ଆନନ୍ଦିତ ହୋଇଥିଲେ ଏବଂ ତାଙ୍କୁ ଆଲିଙ୍ଗନ କରିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରୀତି ବଢ଼ିଥିଲା।
ଏହି ଶ୍ରୀଚୈତନ୍ୟ ହିଁ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼’ କହିଥିଲେ। ତୃତୀୟ ଅଧ୍ୟାୟରେ ଶ୍ରୀଚୈତନ୍ୟଙ୍କ ମୁଖରେ କୁହାଯାଇଛି- “ଅତିବଡ଼ କଥା କହିଲ। ତେଣୁ ଅତିବଡ଼ ହୋଇଲ।”
ଏଣୁ ଦିବାକର ଦାସ ‘ଜଗନ୍ନାଥ ଚରିତାମୃତ’ରେ କହିଛନ୍ତି- ଶ୍ରୀ ଅତିବଡ଼ ଜଗନ୍ନାଥ ଦାସଙ୍କ ଚରିତ ହେଉଛି ଅମୃତ।
ସୁଭାଷିତ: ଶ୍ରୀ ଅତିବଡ଼ ଜଗନ୍ନାଥ
ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ଓଡ଼ିଆ ଭାଗବତକାର ଅତିବଡ଼ ଜଗନ୍ନାଥ ଦାସଙ୍କର ପବିତ୍ର ଆବିର୍ଭାବ ଦିବସ। ତାଙ୍କର ଜୀବନଚରିତ ହେଉଛି ବିପ୍ର ଦିବାକର ଦାସଙ୍କ ରଚିତ ‘ଜଗନ୍ନାଥ ଚରିତାମୃତ’।