ସୁଭାଷିତ : ସର୍ପରେ ଜାତ କଲୁ ମୋତେ…

ସର୍ପରେ ଜାତ କଲୁ ମୋତେ।
ସ୍ୱଭାବ ଛାଡ଼ିବି କେମନ୍ତେ। ।
-ଶ୍ରୀମଦ୍‌ଭାଗବତ, ଜଗନ୍ନାଥ ଦାସ, ୧୦/୭
ସନ୍ଥକବି ଜଗନ୍ନାଥ ଦାସଙ୍କ ନବାକ୍ଷରୀ ‘ଶ୍ରୀମଦ୍‌ଭାଗବତ’ ଓଡ଼ିଶାର ଘରେ ଘରେ ଲୋକପ୍ରିୟ। ଏହାର ଲୋକପ୍ରିୟତା ଏତେ ଯେ ଏହାର ଅନେକ ପଦ ଲୋକୋକ୍ତି ରୂପେ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ। ଏହାର ଦଶମ ସ୍କନ୍ଧ, ସପ୍ତମ ଅଧ୍ୟାୟର ଗୋପଲୀଳାରେ ଅଛି କାଳୀୟ ଦଳନ ପ୍ରସଙ୍ଗ। ସେଥିରେ କାଳୀୟ ମୁହଁରେ ଏହି ଉକ୍ତିଟି କୁହାଯାଇଛି।

ଭାଗବତ-କଥା ଅନୁସାରେ, ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦରେ ଘର କରି ରହିଥିବା କାଳୀୟର ଗର୍ବ ନାଶ କରିଥିଲେ। ରାଜା ପରିକ୍ଷିତ ତାହା ଜାଣିବାରୁ ଚାହିଁବାରୁ, ଶୁକଦେବ ତାଙ୍କୁ ସେହି ଉପାଖ୍ୟାନଟି କହିଥିଲେ।

ସେହି ଉପାଖ୍ୟାନ ଅନୁସାରେ, କାଳୀୟର ବିଷଜ୍ୱାଳାରେ କାଳିନ୍ଦୀର ଜଳ ବିଷାକ୍ତ ହୋଇଯାଇଥିଲା। ତେଣୁ, ତାହାକୁ ବିଷମୁକ୍ତ କରିବା ପାଇଁ ଶ୍ରୀକୃଷ୍ଣ କୂଳରେ ଥିବା କଦମ୍ବ ଗଛରେ ଚଢ଼ି କାଳିନ୍ଦୀ ଗର୍ଭକୁ ଲମ୍ଫ ଦେଇଥିଲେ। ତାହା ଜାଣି, କୋପରେ ଧାଇଁଆସି କାଳୀୟ ତାଙ୍କର ପାଦକୁ ଦଂଶନ କଲା ଏବଂ ତାଙ୍କର ଶରୀରକୁ କୁଣ୍ଡଳୀରେ ଶକ୍ତ ଭାବରେ ବନ୍ଧନ କରିଦେଲା। କିନ୍ତୁ ନିଜର ଶରୀରକୁ ବୃଦ୍ଧି କରି, ଶ୍ରୀକୃଷ୍ଣ ସେହି ବନ୍ଧନରୁ ମୁକ୍ତ ହୋଇଗଲେ। ତାହାର ଫଣା ଉପରେ ଚଢ଼ି ନୃତ୍ୟ କଲେ ଏବଂ ତାକୁ ଅଶକ୍ତ କରି ଦେଲେ। କାଳୀୟର ମୁଖଗୁଡ଼ିକରୁ ରକ୍ତ ବାହାରିବାରେ ଲାଗିଲା। ସେ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଶରଣ ପଶିଲା। ତାହାପରେ, କାଳୀୟ ତାଙ୍କୁ ଯେଉଁ ସ୍ତୁତି କରିଥିଲା, ସେଥିରେ ଉପରୋକ୍ତ କଥାଟି କହିଥିଲା। ସେ କହିଥିଲା- ହେ ନାରାୟଣ! ମୋର ବିନତି ଶୁଣ! ତୁମେ ହିଁ ମୋତେ ସର୍ପକୁଳରେ ଜନ୍ମ ଦେଇଛ ଏବଂ ତ‌େମାଗୁଣରେ ଜାତ କରି ମୋତେ ଗରଳ ବା ବିଷର ଅଧିକାରୀ କରିଛ। ସେଥିପାଇଁ ମୁଁ କ୍ରୋଧର ବଶୀଭୂତ ଏବଂ ନିଷ୍ଠୁର ସ୍ୱଭାବର ଅଧିକାରୀ ହୋଇଛି। ତାହାରି ଫଳରେ ମୁଁ ଅପରାଧ କରିଛି। ଏବେ ମୁଁ ତୁମଠାରେ ଶରଣ ପଶୁଛି। ଏହାର ବିଚାର କରି ମୋତେ ନିଜ ଇଚ୍ଛାରେ ଦଣ୍ଡଦିଅ!

କାଳୀୟର ଏହି ସ୍ତୁତି ଶୁଣି ଶ୍ରୀକୃଷ୍ଣ ତାକୁ କହିଥିଲେ- ତୁମେ ଏବେ କାଳିନ୍ଦୀ ହ୍ରଦ ଛାଡ଼ି ରମଣକ ଦ୍ୱୀପକୁ ଚାଲିଯାଅ। ତୁମକୁ ମୁଁ ବର ଦେଉଛି, ତୁମର ଓ ମୋର ଏହି ଚରିତ ଯେ ସ୍ମରଣ କରିବେ, ତାଙ୍କୁ ସର୍ପାଘାତ ହେବ ନାହିଁ। ଲୋକୋକ୍ତି ଅନୁସାରେ, ସାଧାରଣତଃ ଖଳ ଲୋକଙ୍କ ପ୍ରତି ଏହି ଉକ୍ତି ପ୍ରୟୋଗ କରାଯାଇଥାଏ। କିନ୍ତୁ ଏହାର ଗୋଟିଏ ବାର୍ତ୍ତା ହେଉଛି- ତମୋଗୁଣ ସଂପନ୍ନ ସ୍ୱଭାବର ଖଳ ଲୋକ ମଧ୍ୟ, ପ୍ରଭୁଙ୍କଠାରେ ଶରଣ ନେଲେ ମୁକ୍ତିପାଇଥାଏ।

ସମ୍ବନ୍ଧିତ ଖବର