ସୁଭାଷିତ: ‘ଶ୍ରୀ’ ବା ଲକ୍ଷ୍ମୀ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ

ସମସ୍ତଜଗତାଂ ଯା ଶ୍ରୀଃ ସୃଷ୍ଟିସ୍ଥିତିବିନାଶକୃତ୍।
ବୈଷ୍ଣବୀ ଶକ୍ତିରତୁଳା ବିଷ୍ଣୁଦେହାର୍ଦ୍ଧଧାରିଣୀ।ା
-ସ୍କନ୍ଦପୁରାଣ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ, (୩୮/୨)
ଶ୍ରୀ ବା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପତ୍ନୀ। ପତ୍ନୀର ଏକ ପ୍ରତିଶବ୍ଦ- ଅର୍ଦ୍ଧାଙ୍ଗୀ। ‘ଅର୍ଦ୍ଧାଙ୍ଗିନୀ’ ଶବ୍ଦଟି ମଧ୍ୟ ଏହି ଅର୍ଥରେ ପ୍ରଚଳିତ। ଶିବ ଓ ପାର୍ବତୀଙ୍କ ସମ୍ମିଳିତ ରୂପକୁ ନେଇ ‘ଅର୍ଦ୍ଧନାରୀଶ୍ୱର’ ମୂର୍ତ୍ତିର ପରିକଳ୍ପନା ଆମ ପୁରାଣରେ ଅଛି। କଥିତ ଅଛି- ବ୍ରହ୍ମା ଯେତେବେଳେ ସୃଷ୍ଟି ସର୍ଜନା ନିମନ୍ତେ ଇଚ୍ଛା କଲେ, ତାହାର ସ୍ୱରୂପ କ’ଣ ହେବ, ସେ ଉପାୟ ସେ ସ୍ଥିର କରିପାରିଲେ ନାହିଁ। ସେ ଥିଲେ ଏକାକୀ ଏବଂ ପୁରୁଷ। କେବଳ ପୁରୁଷ ଭାବରେ ସୃଷ୍ଟି କିପରି ବା ସମ୍ଭବ ହେବ? ତେଣୁ ସେ ଶିବଙ୍କୁ ଆରାଧନା କଲେ ଏବଂ ଶିବ ତାଙ୍କୁ ‘ଅର୍ଦ୍ଧନାରୀଶ୍ୱର’ ରୂପରେ ଦର୍ଶନ ଦେଲେ। ସେଥିରୁ ସୃଷ୍ଟିତତ୍ତ୍ୱର ସ୍ୱରୂପ ବ୍ରହ୍ମା ବୁଝିଗଲେ। ସେହି ଅନୁସାରେ, ହର-ଗୌରୀ ବା ଶିବ-ପାର୍ବତୀଙ୍କର ସମନ୍ୱିତ ‘ଅର୍ଦ୍ଧନାରୀଶ୍ୱର’ ରୂପ ଅତ୍ୟନ୍ତ ଲୋକପ୍ରିୟ। ବିଷ୍ଣୁ ଓ ଲକ୍ଷ୍ମୀଙ୍କର ସେହିପରି ସମ୍ମିଳିତ ରୂପକଳ୍ପନା ମଧ୍ୟ ଅଛି। ଲକ୍ଷ୍ମୀଙ୍କୁ ‘ବିଷ୍ଣୁଦେହାର୍ଦ୍ଧଧାରିଣୀ’ ବୋଲି କୁହାଯାଇଛି।

ଏ ସଂପର୍କିତ ଏକ ଉପାଖ୍ୟାନ ‘ନୃସିଂହ ପୁରାଣ’ରେ ମିଳେ। ସେଥିରେ କୁହାଯାଇଛି- ସୃଷ୍ଟି ସର୍ଜନା ପରେ, ସଂସାରର ପ୍ରାଣୀମାନଙ୍କର ଅନ୍ନସଂସ୍ଥାନ କିପରି ହେବ ସେହି ଚିନ୍ତାରେ ଭୃଗୁ ପରଂବ୍ରହ୍ମଙ୍କୁ ଧ୍ୟାନ କଲେ। ଫଳରେ ବ୍ରହ୍ମ ଏକ ଜ୍ୟୋତିପିଣ୍ଡ ରୂପରେ ତାଙ୍କ ଆଗରେ ଆବିର୍ଭୂତ ହେଲେ। ବେନି ଅଙ୍ଗ ବହି ସ୍ତ୍ରୀ-ପୁରୁଷ ରୂପରେ ରହିବାକୁ ତାଙ୍କୁ ଭୃଗୁ ଅନୁରୋଧ କଲେ। ସେହି ରୂପରୁ ‘ଶ୍ରୀ’ଙ୍କୁ ଜାତ କରିବାକୁ ମଧ୍ୟ କହିଲେ। ସେ ହେଲେ ପରଂବ୍ରହ୍ମୀ। ସେ ପଚାରିଲେ- ମୁଁ ତ ଏକ ବ୍ରହ୍ମ ହୋଇ ରହିଥିଲି, ଏବେ କୁହ ମୋତେ କାହିଁକି ବେନିମୂର୍ତ୍ତି କଲ? ପରଂବ୍ରହ୍ମ କହିଲେ- ତୁମ୍ଭେ ଲକ୍ଷ୍ମୀ ହେଲ ଏବଂ ମୁଁ ନାରାୟଣ। ଆମ୍ଭେ ଦୁହେଁ ଦୁଇ ମୂର୍ତ୍ତି ହୋଇ ରହିଥିବା ଏବଂ ପ୍ରଳୟ କାଳରେ ଏକବ୍ରହ୍ମ ହେବା। ସେହି ଅନୁସାରେ, ଲକ୍ଷ୍ମୀ ବିଷ୍ଣୁଦେହାର୍ଦ୍ଧଧାରିଣୀ। ସେଥିପାଇଁ ‘ସ୍କନ୍ଦ ପୁରାଣ’ର ଉପରୋକ୍ତ ଶ୍ଳୋକରେ କୁହାଯାଇଛି- ନିଖିଳ ଜଗତର ଆଦିକାରଣ, ସୃଷ୍ଟି ସ୍ଥିତି ପ୍ରଳୟକାରିଣୀ ଅଦ୍ୱିତୀୟା ବୈଷ୍ଣବୀ ଶକ୍ତି ହେଉଛନ୍ତି ଲକ୍ଷ୍ମୀ। ସେ ବିଷ୍ଣୁଙ୍କର ଦେହାର୍ଦ୍ଧଧାରିଣୀ ବା ଅର୍ଦ୍ଧାଙ୍ଗିନୀ।

ସମ୍ବନ୍ଧିତ ଖବର