ଈଶ୍ୱର ବୋଇଲେ ତୁହି ସେ ମୋହର ଦିବ୍ୟଚକ୍ଷୁ।
ମାରୁ ତାରୁ ଅବା ଦୁର୍ଗାହିଂ ମୋତେ ରଖୁ।
-ଶ୍ରୀଚଣ୍ଡୀପୁରାଣ, ସାରଳାଦାସ
ସାରଳାଦାସ ଓଡ଼ିଶାର ଆଦିକବି। ‘ମହାଭାରତ’ ପରି ‘ଚଣ୍ଡୀପୁରାଣ’ ମଧ୍ୟ ତାଙ୍କର ଏକ ଅନୁପମ କୃତି। ତାହାର ଅନ୍ତିମ ପର୍ଯ୍ୟାୟରେ ଅଛି ଏକ ରୋଚକ ପ୍ରସଙ୍ଗ। ‘ମହେଂସାସୁର’ (ମହିଷାସୁର)ର ନିଧନ ପରେ ଦେବୀ ଦୁର୍ଗା ଦେବତାଙ୍କ ଉପରେ କ୍ରୋଧିତ ହେଲେ। ତାଙ୍କ କ୍ରୋଧର କାରଣ, ସେମାନେ ମହିଷାସୁର ପରି ଅସୁରଙ୍କୁ ବର ଦେବାବେଳେ ବିଚାରବନ୍ତ ହେଉ ନାହାନ୍ତି। ଫଳରେ ଦେବୀଙ୍କୁ ବିବସନା ହେବାକୁ ପଡ଼ୁଛି। ପାମର ଅସୁର ତାଙ୍କର ‘ଭବଦ୍ୱାରମାର୍ଗ’ ଦେଖିବାକୁ ସକ୍ଷମ ହେଉଛି।
ଆକାଶରେ ରହି ଦୁର୍ଗା-ମହିଷାସୁର ଯୁଦ୍ଧ ଦେଖୁଥିଲେ ଦେବତାମାନେ। ଦେବୀ କୁପିତ ହେବା ଦେଖି ସେମାନେ ଭୟରେ ପଳାଇଗଲେ। ଦେବୀଙ୍କର ଘୋର ଚାମଣ୍ଡା ରୂପ ତ୍ରିଲୋକ ବ୍ୟାପିଗଲା। ସେତିକିବେଳେ ଦେବୀ ଦେଖିଲେ, ଶିବଙ୍କର କେଶବାସ ଅସମ୍ଭାଳ। ଜଟା ଲମ୍ବିତ। ପଳାଇନଯାଇ, ଭାବଭୋଳା ହୋଇ ସେ ନୃତ୍ୟ କରୁଛନ୍ତି। ତାହା ଦେଖି ଦେବୀ ଅତ୍ୟନ୍ତ କୁପିତ ହେଲେ। ତାଙ୍କ ପାଖକୁ ଯାଇ କହିଲେ- ରେ ଜଟିଆ! ଏବେ ତୋହର ଇଷ୍ଟ ସୁମରଣା କର। ଅସୁରଙ୍କୁ ବତାଇ ଏପରି ବର ଦେଉଛ ଯେ ତୁମ୍ଭ ଯୋଗୁଁ ସଚରାଚର ଥରହର ହେଉଛି। ତେଣୁ ତୁମ୍ଭଙ୍କୁ ନାଶ କଲେ ହିଁ ସବୁ ବିପଦର ବିନାଶ ହେବ। ରେ ଧୂର୍ଜଟି, ଆ’, ଆଜି ତୋତେ ହିଁ ପ୍ରଥମେ ବଳିଭକ୍ଷ କରିବି।
ତାହା ଶୁଣି ଶିବ ଦୁର୍ଗାଙ୍କୁ କହିଲେ- ହେ ଦେବି! ତୁ ହେଉଛୁ ମୋର ଦିବ୍ୟଚକ୍ଷୁ। ତୁ ଚାହିଁଲେ ମାରି ପାରିବୁ, ତାରି ପାରିବୁ, ରଖି ପାରିବୁ। ତୋ ଛଡ଼ା ମୋର ଆଉ କେହି ଇଷ୍ଟଦେବ ନାହାନ୍ତି। ତୁ ମାର୍ କି ତାର୍, ଦୁର୍ଗାଠୁ ବଳି ମୋର ଆଉ କେହି ନାହିଁ। ଏହା କହି ସେ ଦେବୀଙ୍କୁ ଅନେକ ସ୍ତୁତି କଲେ। ତାଙ୍କର ସେହି ସ୍ତୁତିରେ ଦେବୀ ପ୍ରସନ୍ନ ହେଲେ। ଏଣୁ ଦେବୀ ଦୁର୍ଗାଙ୍କୁ ଆମେ ଯଦି ଆମର ଦିବ୍ୟଚକ୍ଷୁ ବୋଲି ଜ୍ଞାନ କରିବା ଏବଂ ତାଙ୍କ ପାଖରେ ଶରଣନେବା, ତେବେ ଆମେ ତାଙ୍କର ଶୁଭାଶିଷ ଲାଭ କରିପାରିବା।