ସୁଭାଷିତ : ‘ଭାଗବତ ଗୋସାଇଁ’

ତେନେୟଂ ବାଙ୍ମୟୀ ମୂର୍ତ୍ତିଃ ପ୍ରତ୍ୟକ୍ଷା ବର୍ତତେ ହରେଃ।
ସେବନାତ୍ ଶ୍ରବଣାତ୍ ପାଠାଦ୍ଦର୍ଶନାତ୍ ପାପନାଶିନୀ।।
-ପଦ୍ମପୁରାଣ, ଶ୍ରୀମଦ୍ଭାଗବତମାହାତ୍ମ୍ୟମ୍‌, ୩/୬୨

ପାରମ୍ପରିକ ଭାବରେ, ଭାଦ୍ରବ ପୂର୍ଣ୍ଣମୀରେ ପାଳିତ ହୁଏ ଭାଗବତ ଜନ୍ମ। ଏହିଦିନ, ଭାଗବତ ପୋଥି ବା ଭାଗବତ ଗ୍ରନ୍ଥକୁ ଭଗବାନ ଶ୍ରୀକୃଷ୍ଣଙ୍କର ବାଙ୍ମୟୀ ବିଗ୍ରହ ମନେ କରି ପୂଜାର୍ଚ୍ଚନା କରାଯାଏ। ସେଥିରେ ପରମଶାସ୍ତ୍ର ଭାଗବତ ପରଂବ୍ରହ୍ମ ରୂପେ ବିବେଚିତ ହୁଅନ୍ତି। କେବଳ ବ୍ୟାସଦେବକୃତ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଯେ ଏହି ମାନ୍ୟତା ପାଏ, ତାହା ନୁହେଁ। ଜଗନ୍ନାଥ ଦାସ କୃତ ନବାକ୍ଷରୀ ଓଡ଼ିଆ ଭାଗବତ ମଧ୍ୟ ଏହି ମାନ୍ୟତା ପାଇଥାଏ। ହିନ୍ଦୁଙ୍କ ଧର୍ମଗ୍ରନ୍ଥ ମଧ୍ୟରେ ଏହା ଅତ୍ୟନ୍ତ ଆଦରଣୀୟ। ଗୋଟିଏ ସମୟରେ ପ୍ରତି ଓଡ଼ିଆ ହିନ୍ଦୁ ଗୃହସ୍ଥ ନିଜ ଘରେ ଗୋଟିଏ ଗାଦି କରି, ସେଥିରେ ଏହି ଭାଗବତ ଗ୍ରନ୍ଥ ରଖି ପୂଜା କରୁଥିଲେ। ତାହା ‘ଭାଗବତ ଗାଦି’ ଭାବରେ ମାନ୍ୟ ହେଉଥିଲା। ଭାଗବତ ଗାଦି ଓ ସେଥିରେ ଅଧିଷ୍ଠିତ ଏହି ଗ୍ରନ୍ଥକୁ ‘ଭାଗବତ ଗୋସାଇଁ’ କୁହାଯାଉଥିଲା।

କିନ୍ତୁ, ଏହା କେବଳ ଏକ ଲୋକ-ପରମ୍ପରା ନୁହେଁ। ଏହା ପଛରେ ଶାସ୍ତ୍ରୀୟ ସମର୍ଥନ ମଧ୍ୟ ଅଛି। ଅନେକ ଶାସ୍ତ୍ର ଗ୍ରନ୍ଥରେ ଭାଗବତକୁ ଦେବତାଜ୍ଞାନରେ ପୂଜାର୍ଚ୍ଚନା କରିବାକୁ ଶାସ୍ତ୍ର ନିର୍ଦ୍ଦେଶ ରହିଛି। ‘ପଦ୍ମପୁରାଣ’ର ‘ଶ୍ରୀମଦ୍ଭାଗବତମାହାତ୍ମ୍ୟମ୍‌’ ଏହାର ଏକ ନିଦର୍ଶନ। ସେଥିରେ (ଉପରୋକ୍ତ ସୁଭାଷିତରେ) ଏ ସଂପର୍କରେ କୁହାଯାଇଛି- ଭଗବାନ୍ ନିଜର ସମସ୍ତ ଶକ୍ତି ଭାଗବତରେ ସ୍ଥାନିତ କରିଛନ୍ତି। ଏଣୁ ଏହି ଭାଗବତ ଭଗବାନଙ୍କର ସାକ୍ଷାତ୍ ବାଙ୍ମୟୀ (ଶବ୍ଦମୟୀ) ମୂର୍ତ୍ତି। ଏହାଙ୍କର ସେବା ଏବଂ ଶ୍ରବଣ, ପାଠ ବା ଦର୍ଶନ କଲେ ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଥାଏ। ଏ ଦୃଷ୍ଟିରୁ ଜଗନ୍ନାଥ ଦାସ ଭାଗବତରେ କହିଛନ୍ତି- “ପରମଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ।”

ସମ୍ବନ୍ଧିତ ଖବର