ଯହିଁ ଜନ୍ମ ତହିଂ ଅଟଇ ମରଣ
ଜନ୍ମ ମରଣ ଏ ଯେ ଧାତାର ନିର୍ବାଣ।
-ଶ୍ରୀଚଣ୍ଡୀପୁରାଣ, ସାରଳାଦାସ
ଜନ୍ମ ଓ ମୃତ୍ୟୁ ସଂପର୍କରେ କାଳେ କାଳେ, ସାରା ପୃଥିବୀରେ ଅନେକ କଥା କୁହା ହୋଇ ଆସିଛି। ଜନ୍ମହେଲେ ମୃତ୍ୟୁ ସୁନିଶ୍ଚିତ- ଏହା ଏକ ଚିରନ୍ତନ ସତ୍ୟ। ଜନ୍ମ ପରେ, ଜୀବନର ଆରମ୍ଭରେ ଅନ୍ତୁଡ଼ି ନିଆଁ ଏବଂ ମୃତ୍ୟୁ ପରେ, ଅନ୍ତ୍ୟେଷ୍ଟିକ୍ରିୟାରେ ଚିତା ନିଆଁ- ଏଇ ଦୁଇ ନିଆଁକୁ ନେଇ ‘ଦୁନିଆଁ’ ହୋଇଛି ବୋଲି ମଧ୍ୟ ଅନେକେ ବିଶ୍ୱାସ କରନ୍ତି।
ଆମର ଆଦିକବି, ମାଟିର ମହାକବି ସାରଳାଦାସ ମଧ୍ୟ ତାଙ୍କ ‘ଶ୍ରୀଚଣ୍ଡୀପୁରାଣ’ରେ କହିଛନ୍ତି, ଯେଉଁଠାରେ ଜନ୍ମ, ସେହିଠାରେ ମରଣ। ଏ କଥାଟି ସେ କହିଛନ୍ତି- ଶିବ ଓ ସତୀଙ୍କ ପ୍ରସଙ୍ଗରେ। ଦେବୀ ଦୁର୍ଗାଙ୍କ ପ୍ରସଙ୍ଗରେ।
ପତି ଶିବଙ୍କର ନିନ୍ଦା ସହି ନପାରି, ସତୀ ନିଜର ପିତା ଦକ୍ଷ ପ୍ରଜାପତିଙ୍କ ଯଜ୍ଞାଗ୍ନିରେ ଆତ୍ମାହୁତି ଦେଇଥିଲେ। ମହିଷାସୁରର ଉତ୍ପାତରେ ତ୍ରିପୁର ଥରହର ହେବାରୁ ଦେବଗଣ ଯାଇ ଭଗବାନ ବିଷ୍ଣୁଙ୍କୁ ପ୍ରତିକାର ପାଇଁ ପ୍ରାର୍ଥନା କଲେ। ସେମାନଙ୍କର ଶରୀରରୁ ନିର୍ଗତ ତେଜ ପୁଞ୍ଜିଭୂତ ହେଲା ଏବଂ ସେହି ପୁଞ୍ଜିଭୂତ ଜ୍ୟୋତି ମଧ୍ୟରୁ ଦେବୀ ଦୁର୍ଗାଙ୍କର ଆବିର୍ଭାବ ଘଟିଲା। ପୂର୍ବରୁ ମହିଷାସୁର ତପସ୍ୟା କରି ବର ପାଇଥିଲା, ଯେ ସେ ଆଉ କାହା ହାତରେ ମରିବ ନାହିଁ; ଜଣେ ବିବସନା ନାରୀ ହାତରେ ହିଁ ତା’ର ମୃତ୍ୟୁ ହେବ। ସେହି ଅନୁସାରେ, ଦେବଗଣଙ୍କର ତେଜପୁଞ୍ଜ ମଧ୍ୟରୁ ଆବିର୍ଭୂତା ହୋଇ, ଦେବୀ ଦୁର୍ଗା ମହିଷାସୁରକୁ ବଧ କରିଥିଲେ।
ଏହି ପ୍ରସଙ୍ଗରେ ହିଁ ସାରଳାଦାସ ତାଙ୍କ ‘ଶ୍ରୀଚଣ୍ଡୀପୁରାଣ’ରେ ଉପରୋକ୍ତ କଥା କହିଛନ୍ତି। ଦକ୍ଷଙ୍କ ଯଜ୍ଞର ଅଗ୍ନିରେ ଲୀନ ହୋଇଥିବା ସତୀ, ଦେବଗଣଙ୍କ ସମ୍ମିଳିତ ଅଗ୍ନିରୁ ପୁଣି ଦୁର୍ଗା ରୂପେ ଜାତ ହେଲେ। ଏଣୁ ଯେଉଁଠି ମରଣ, ସେଇଠୁ ଜନ୍ମ। ବିଧାତାଙ୍କର ଏ ନିର୍ବାଣ (ନିର୍ମାଣ) ବା ବ୍ୟବସ୍ଥା ଏ କ୍ଷେତ୍ରରେ ପୁନର୍ବାର ସତ୍ୟ ସାବ୍ୟସ୍ତ ହେଲା।
ସୁଭାଷିତ: ଯହିଁ ଜନ୍ମ ତହିଂ ଅଟଇ ମରଣ
/sambad/media/post_attachments/wp-content/uploads/2022/09/54fh654sf65h4fhs64hfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)