ଆୟୁ ସ୍ମରଣ ନକରି ରୂପଗର୍ବ ବହି,
କନକବରଣ ଜହ୍ନିଫୁଲ ବିକଶଇ।
-ବର୍ଷାଚିତ୍ର, କବିତା କଲ୍ଲୋଳ, ଗଙ୍ଗାଧର ମେହେର
ଆମ ଓଡ଼ିଆରେ ଗୋଟିଏ କଥା ଅଛି- “ସଞ୍ଜେ ଫୁଟି ସକାଳେ ଯାଆ, ଜହ୍ନିଫୁଲ ପରି ଆୟୁଷ ପାଆ।” ଜହ୍ନିଫୁଲ ସନ୍ଧ୍ୟାରେ ଫୁଟି ସକାଳକୁ ମଉଳିଯାଏ। ଏହାକୁ ନେଇ ଏହି ଲୋକୋକ୍ତିଟି ସୃଷ୍ଟି ହୋଇଛି।
ଜହ୍ନି ଗୋଟିଏ ବର୍ଷାଦିନିଆ ପରିବା। ଏହା ଏକ ଲତା-ଫଳ। ଏହାର ଫୁଲର ରଙ୍ଗ ତୋଫା ହଳଦିଆ। ତେଣୁ ଉଜ୍ଜ୍ୱଳ ଜ୍ୟୋତ୍ସ୍ନାକୁ ଜହ୍ନିଫୁଲ ସହ ତୁଳନା କରାଯାଇଥାଏ। ଏହି ଦୃଷ୍ଟିରୁ ଜହ୍ନିଫୁଲର ସଂସ୍କୃତ ନାମ ‘ଜ୍ୟୋତ୍ସ୍ନୀ’। ଏହି ‘ଜ୍ୟୋତ୍ସ୍ନୀ’ରୁ ‘ଜହ୍ନି’ର ସୃଷ୍ଟି ହୋଇଛି।
ସ୍ୱଭାବକବି ଗଙ୍ଗାଧର ମେହେର ତାଙ୍କ ‘କବିତା କଲ୍ଲୋଳ’ର ‘ବର୍ଷା-ଚିତ୍ର’ କବିତାରେ ଏହି ବର୍ଷାଦିନିଆ ଜହ୍ନିଫୁଲକୁ ନେଇ ପଦଟିଏ ଲେଖିଛନ୍ତି। ଜହ୍ନିଫୁଲର ତୋଫା ହଳଦିଆ ରଙ୍ଗ ଭିତରେ ସେ ଦେଖିଛନ୍ତି ମନୁଷ୍ୟର ରୂପର ଗର୍ବ ବା ଅହମିକା। ଉପରୋକ୍ତ କବିତା ପଙ୍କ୍ତିରେ କବି ତାହାକୁ ଇଙ୍ଗିତ କରିଛନ୍ତି।
ମଣିଷ ଜାଣେ, ତାର ଜୀବନ ନଶ୍ୱର। ଆୟୁକାଳ ସୀମିତ। ତାହା ସଂଧ୍ୟାରେ ଫୁଟି ସକାଳକୁ ମଉଳି ଯାଉଥିବା ଜହ୍ନିଫୁଲ ପରି। କିନ୍ତୁ ତାହା ସତ୍ତ୍ୱେ, ମଣିଷ ତା’ର ରୂପକୁ ନେଇ ଗର୍ବ କରେ। ସେଥିପାଇଁ ଜହ୍ନିଫୁଲର ଇଙ୍ଗିତରେ କବି ଆମକୁ କହିବାକୁ ଚାହିଁଛନ୍ତି- ସୁନାରଙ୍ଗର ରୂପକୁ ନେଇ ଗର୍ବ କଲାବେଳେ, ଆମେ ଜହ୍ନିଫୁଲ ପରି ଆମର ସୀମିତ ଆୟୁଷ ପ୍ରତି ସଚେତନ ହେବା ଉଚିତ। ରୂପ ଗର୍ବରେ ଗର୍ବୀ ନହେବା ଉଚିତ।
ସୁଭାଷିତ: ଜୀବନ ନଶ୍ୱର, ରୂପଗର୍ବ ଅସାର
/sambad/media/post_attachments/wp-content/uploads/2022/08/4dg5da4g56d4g65da4g654gda654gd.jpg)