ସୁଭାଷିତ: ତିନି ରଥ, ତିନି ଆସନ-ଦେବତା

ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନବିଗ୍ରହଃ।
ତଦ୍‌ଯାନେ ଜଗତାଂ ନାଥସ୍ତତୋ ଯାନଂ ନ ବିଦ୍ୟତେ।ା
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ, ୨୫/୧୨

ଶ୍ରୀଜଗନ୍ନାଥ ଓ ତାଙ୍କ ରଥଯାତ୍ରାର ରଥ ସଂପର୍କରେ ଆମର ଶାସ୍ତ୍ରପୁରାଣ ଆଦିରେ ଅନେକ ତାତ୍ତ୍ୱିକ ପ୍ରସଙ୍ଗ ରହିଛି। ସେଥିମଧ୍ୟରୁ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ର ଉପରୋକ୍ତ ପ୍ରସଙ୍ଗଟି ଅତ୍ୟନ୍ତ ତାତ୍ତ୍ୱିକତାପୂର୍ଣ୍ଣ। ଏହାର ପୃଷ୍ଠଭୂମି ଅତ୍ୟନ୍ତ ରୋଚକ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଦେବର୍ଷି ନାରଦଙ୍କ ପରାମର୍ଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ସମସ୍ତ ପ୍ରସ୍ତୁତି କରିଥିଲେ। ନାରଦ ଦେଇଥିବା ଲିଖିତ ସୂଚୀ ଅନୁସାରେ ସମସ୍ତ ଦ୍ରବ୍ୟ ସୁସଂପାଦିତ କରିବାପାଇଁ ଇନ୍ଦ୍ରଦ୍ୟୁମ୍ନ ପଦ୍ମନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାରଦ କହିଥିଲେ, “ହେ ରାଜା! ସମସ୍ତ ସମ୍ଭାର ଯତ୍ନର ସହିତ ପୃଥକ୍ ପୃଥକ୍ ସଞ୍ଚିତ ହେବ। ତିନିଗୋଟି ରଥ ଯେପରି ସୁଗଠିତ ଓ ସୁସଜ୍ଜିତ ହେବ ତାହାର ବ୍ୟବସ୍ଥା କରିବ।

ଏହି ପ୍ରସଙ୍ଗରେ ହିଁ ନାରଦ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ଓ ତାତ୍ତ୍ୱିକ କଥାଟି କହିଥିଲେ। ତାହା ହେଉଛି- ଯେ ନିଖିଳ ଜଗତର ଆସନ ବା ଆଧାର, ସେ ସ୍ୱୟଂ ଆସନବିଗ୍ରହ ବା ରଥ। ଏଣୁ ସ୍ୱୟଂ ଶ୍ରୀଜଗନ୍ନାଥ ହିଁ ତାଙ୍କର ଯାନ ଅଟନ୍ତି। ତାଙ୍କଠାରୁ ଭିନ୍ନ ଅନ୍ୟ କିଛି ଆଧାରଭୂତ ଯାନ ନାହିଁ। ଏଣୁ ଶ୍ରୀଜଗନ୍ନାଥ ସ୍ୱୟଂ ତାଙ୍କର ଯାନ ହୋଇଥିବାରୁ, ତାଳଧ୍ୱଜ, ନନ୍ଦିଘୋଷ ଓ ପଦ୍ମଧ୍ୱଜ (ଦେବଦଳନ) ହେଉଛି ତିନି ଆସନ ବିଗ୍ରହ ବା ତିନି ଆସନ ଦେବତା। ସେହି ତିନି ରଥରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଯାତ୍ରା କରିଥାଆନ୍ତି। ସେଥି ସହିତ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରାମ ଓ କୃଷ୍ଣ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଦନମୋହନ ଯାତ୍ରା କରନ୍ତି। ଏହିପରି ଭାବରେ, ରଥାରୂଢ଼ ଦେବତାମାନେ ହେଲେ ସାତ। ଏ ସାତଙ୍କ ସହିତ ଯଦି ତିନିରଥଙ୍କୁ ତିନି ଆସନ ବିଗ୍ରହ ରୂପେ ନିଆଯାଏ, ତେବେ ରଥଯାତ୍ରା ହେଉଛି ମୋଟ ଦଶ ଦେବତାଙ୍କ ଯାତ୍ରା ବା ଦଶାବତାର ଯାତ୍ରା।

ସମ୍ବନ୍ଧିତ ଖବର