ହାରିବା ଜିଣିବା ପୁଣ ସଂସାରେ ସିନା ଅଛି
ବଡ଼ିମାପଣ ଗୋଟି ନୁହଇ ପୁଣ କିଛି।
-ବଳରାମ ଦାସ, ଦାଣ୍ଡି ରାମାୟଣ (ଆଦ୍ୟକାଣ୍ଡ)
‘ଦାଣ୍ଡି ରାମାୟଣ’ ବଳରାମ ଦାସଙ୍କର ଏକ ପ୍ରମୁଖ କୃତି। ତାହାର ଆଦ୍ୟକାଣ୍ଡରେ ବର୍ଣ୍ଣିତ ହୋଇଛି ରାମ-ପର୍ଶୁରାମ ପ୍ରସଙ୍ଗ।
ଜନକପୁରୀରେ ଶିବଧନୁ ଭଙ୍ଗ କରି ରାମ ସୀତାଙ୍କୁ ନେଇ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିବା ସମୟର କଥା। ପଥ ମଧ୍ୟରେ ଯେଉଁ ବନ, ସେଥିରେ ପର୍ଶୁରାମ ତପସ୍ୟା କରୁଥିଲେ। ସେତେବେଳକୁ ତାଙ୍କର ବିକ୍ରମରେ ଦେବତାମାନେ ମଧ୍ୟ ଆଶଙ୍କିତ ଥିଲେ। ତେଣୁ ସେମାନେ ବିଚାର କଲେ- ପର୍ଶୁରାମ ଗୋଲୋକ ନାରାୟଣଙ୍କର ଅଭିନ୍ନ ଅଙ୍ଗ ଏବଂ ରାମ ଓ ସେ ଯୁଗଳ ଅବତାର ହେଲେ ମଧ୍ୟ, ସେ ଶ୍ରୀରାମଙ୍କ ଆଗକୁ ଆସିଲେ ନିର୍ବଳ ହୋଇଯିବେ। ତେଣୁ ସେମାନେ ନାରଦଙ୍କୁ ପଠାଇ ଦୁହିଁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କଲେ। ପର୍ଶୁରାମ ଯାଇ ସୀତାଙ୍କୁ ନେଇ ଫେରୁଥିବା ରାମଙ୍କର ବାଟ ଓଗାଳିଲେ।
ପର୍ଶୁରାମଙ୍କର ଜନ୍ମ ଭୃଗୁକୁଳରେ। ସେ ଥିଲେ ଉତ୍ତମ କ୍ଷତ୍ରୀ ଓ ଶ୍ରେଷ୍ଠ ତପୀ। ପୁଣି ସେ ଥିଲେ ପରାକ୍ରମରେ ବଳବନ୍ତ ଓ କୋପରେ ଅସମ୍ଭାଳ। ସେ ଯାଇ ରାମଙ୍କ ଆଗରେ ପହଞ୍ଚି କହିଲେ- ତୁମ୍ଭେ ସିନା ଶିବଧନୁ ଭଙ୍ଗ କରି ସୀତାଙ୍କୁ ଜିଣିଛ; କିନ୍ତୁ ମୋର ଏ ଧନୁକୁ ଧରି ଗୁଣ ଚଢ଼ାଅ। ତା’ହେଲେ ଯାଇ ତୁମର ବୀରପଣ ଜାଣିବା। ପଛେ ଆମର ଯୁଦ୍ଧ ହେବ; କିନ୍ତୁ ଆଗେ ଏ ପରୀକ୍ଷା ହୋଇଯାଉ। ମୋତେ ଜିଣିଲେ ଯାଇ ସୀତାଙ୍କୁ ଭୋଗ କରିବ।
ତାହା ଶୁଣି ରାମ ପର୍ଶୁରାମଙ୍କୁ କହିଲେ- ହେ ଭୃଗୁପତି! ଶୁଣ। ତୁମ୍ଭେ ଯୁଦ୍ଧ କରିବାକୁ କାହିଁକି ଏତେ କୋପମତି ହେଉଛ? ଯୁଦ୍ଧରେ ତ ହାରିବା ଜିଣିବା ଥାଏ। ଏହା ସଂସାରରେ ସ୍ୱାଭାବିକ କଥା। କିନ୍ତୁ ତୁମ୍ଭର ଏ ଯେଉଁ ବଡ଼ିମାପଣ ବା ବଡ଼େ଼ଇ, ତାହା ଅତ୍ୟନ୍ତ ତୁଚ୍ଛ।
ସେଦିନ ପର୍ଶୁରାମଙ୍କୁ ରାମ କହିଥିବା ଏହି କଥାଟି କାଳକାଳକୁ ଆମ ପାଇଁ ଏକ ଶିକ୍ଷା।
ସୁଭାଷିତ: ଏ ସଂସାରରେ ବଡ଼ିମାପଣ ତୁଚ୍ଛ
/sambad/media/post_attachments/wp-content/uploads/2023/03/sh4f65h4fhs65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)