ଅର୍କପାଦପ ହେଲା ପତ୍ରବିହୀନ
ସୌରାଜ୍ୟେ ଖଣ୍ଟେ ଯଥା ହୁଅନ୍ତି ଦୀନ।
-ରାଧାନାଥ ରାୟ, ତୁଳସୀ ସ୍ତବକ
‘ତୁଳସୀ ସ୍ତବକ’ କବିବର ରାଧାନାଥ ରାୟଙ୍କର ଏକ ଅନୁପମ ରଚନା। ଏହା ସୁଭାଷିତର ଏକ ଗନ୍ତାଘର। ଏହାର ପୃଷ୍ଠଭୂମିରେ ରହିଛି ଶ୍ରୀରାମ ବନବାସ ପ୍ରସଙ୍ଗ।
ଚଉଦବର୍ଷ ବନବାସ କାଳରେ ଅନୁଜ ଲକ୍ଷ୍ମଣଙ୍କ ସହିତ ଶ୍ରୀରାମ ଗୋଦାବରୀ ତଟବର୍ତ୍ତୀ ପ୍ରସ୍ରବଣ ପର୍ବତରେ ବସବାସ କରିଥିଲେ। ସେତିକିବେଳେ ଆସିଥିଲା ବର୍ଷାଋତୁ ଏବଂ ତା’ପରେ ଶରତଋତୁ। ତେଣୁ ଏହି ଦୁଇ ଋତୁର ଦୃଶ୍ୟବର୍ଣ୍ଣନା ମାଧ୍ୟମରେ ରାଧାନାଥ ଅନେକ ସଦୁପଦେଶ ଦେଇଛନ୍ତି।
‘ତୁଳସୀସ୍ତବକ’ର ରଚନାକାଳ ୧୮୯୪ ଖ୍ରୀଷ୍ଟାବ୍ଦ। ଅଷ୍ଟମଲ୍ଳିକାଧୀଶ୍ୱର, ମହାରାଜା ମହେନ୍ଦ୍ର ଦେଓ ବାହାଦୁରଙ୍କୁ ଏହା ଉତ୍ସର୍ଗ କରାଯାଇଛି। ସେହି ଉତ୍ସର୍ଗପତ୍ରରେ ରାଧାନାଥ ଲେଖିଛନ୍ତି- “ବାଗ୍‌ଦେବୀଙ୍କ ଉଦ୍ୟାନରୁ ସୁନ୍ଦର ପୁଷ୍ପତୋଳି ସେହି ପୁଷ୍ପରେ ସ୍ତବକ ପ୍ରସ୍ତୁତ କରି ଉପହାର ଦେଲେ ତାହା ଶ୍ରୀଛାମୁଙ୍କ ଗୌରବାନ୍ୱିତ ନାମର କଥଞ୍ଚିତ୍ ଉପଯୁକ୍ତ ହୁଅନ୍ତା। ମାତ୍ର ମୋହର ସେପରି ସୁବିଧା ନ ଥିବାରୁ ରୂପ ସଂପର୍କ ରହିତ କେତେଗୁଡ଼ିଏ ତୁଳସୀ ଦଳରେ ଏହି ସ୍ତବକ ପ୍ରସ୍ତୁତ କରି ଶ୍ରୀଛାମୁରେ ଅର୍ପଣ କରିବାକୁ ସାହସୀ ହେଲି।” ଏଣୁ ଏହି ସ୍ତବକଗୁଡ଼ିକ ତୁଳସୀ ଦଳ ପରି ସୁବାସିତ ଓ ସୁଭାଷିତ।
ବର୍ଷାଋତୁ ସମସ୍ତଙ୍କ ପାଇଁ ସମାନ ହୋଇ ନଥାଏ। ଏହା ଉଦ୍ଭିଦଜଗତ ପାଇଁ ମିତ୍ର ହେଲେ ମଧ୍ୟ ଜଳଗହଳ ହେତୁ ଏହି ସମୟରେ ପଦ୍ମ ପାଣିରେ ବୁଡ଼ି ମରିଯାଏ। ବର୍ଷାଋତୁରେ ଅର୍କପାଦପ ଅର୍ଥାତ୍ ଅରଖ ଗଛ ମଧ୍ୟ ପତ୍ରହୀନ ହୋଇଯାଏ। ସେଥିପାଇଁ ଉପରୋକ୍ତ ସୁଭାଷିତରେ କବିବର କହିଛନ୍ତି- ସୌରାଜ୍ୟ ଅର୍ଥାତ୍ ସୁଶାସନରେ ଖଣ୍ଟମାନେ ପୂର୍ବପରି ଚୋରି ଡକାୟତି ନ କରିପାରି ଦରିଦ୍ର ହୋଇଯାଆନ୍ତି।