ଶ୍ରୀମଦନଗୋପାଳଙ୍କ ଶୋଭା କି କହିବା, ସମ କାହିଁ ପାଇବା,
ଅଭିନବ କାମଦେବର ଶୋଭା, ତ୍ରିଭଙ୍ଗୀ ଛନ୍ଦେ ଉଭା, ମକର ଆକୃତି ପ୍ରଭା।
-ଶରଣ ଦାସ, ଚାଚେରୀ ଲୀଳା
ଶରଣ ଦାସ ଷୋଡ଼ଶ ଶତାବ୍ଦୀର ଓଡ଼ିଆ ବୈଷ୍ଣବ କବି। ‘ଚାଚେରୀ ଲୀଳା’ ତାଙ୍କର ଉଲ୍ଲେଖନୀୟ ରଚନା। ଏହା ଉଲ୍ଲେଖନୀୟ ଏଇଥିପାଇଁ, ଯେ ସେଥିରେ ରହିଛି ଶ୍ରୀଜଗନ୍ନାଥଙ୍କର ସେ କାଳର ଦୋଳଯାତ୍ରାର ଏକ ଆବେଗପ୍ରବଣ ବର୍ଣ୍ଣନା। ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କର ଅଭିନ୍ନତା ସ୍ୱୀକୃତ ହେବା ସହିତ, ଏହା ଶ୍ରୀଜଗନ୍ନାଥଙ୍କର ଏକ ପ୍ରମୁଖ ଉତ୍ସବ ରୂପେ ପାଳିତ ହୋଇଥିବା ଅନୁମିତ ହୁଏ। ପଦ୍ୟାତ୍ମକ ଗଦ୍ୟ ଶୈଳୀରେ ରଚିତ ‘ଚାଚେରୀ ଲୀଳା’ ତାହାର ଏକ ରସୋତ୍ତୀର୍ଣ୍ଣ ବର୍ଣ୍ଣନା। ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀଦୋଳଗୋବିନ୍ଦଙ୍କୁ ସେଥିରେ ‘ମଦନଗୋପାଳ’ କୁହାଯାଇଛି।
ଏହି ଦୋଳଗୋବିନ୍ଦ ବା ଶ୍ରୀମଦନଗୋପାଳଙ୍କର ଶୋଭା ବର୍ଣ୍ଣନା କରି କୁହାଯାଇଛି, “ଶ୍ରୀମଦନଗୋପାଳଙ୍କ ଶୋଭା କି କହିବା, ସମ କାହିଁ ପାଇବା, ଅଭିନବ କାମଦେବର ଶୋଭା, ତ୍ରିଭଙ୍ଗୀ ଛନ୍ଦେ ଉଭା, ମକର ଆକୃତି ପ୍ରଭା, ଦେବାଧିଦେବ ରାଜ, ମୋହନ ମୂରତି ସାଜ, ଶ୍ରୀଚରଣ ସରୋଜ, ମଞ୍ଜିର ମଞ୍ଜୁଳ ଯୁଗଳ ପ୍ରଳମ୍ବ ଭୁଜ... କଟିତଟ ଘଣ୍ଟିତ, ତପନ କର ନିନ୍ଦିତ, ପୀତପଟ କାଞ୍ଚନ କାଞ୍ଚିଦାମ ରଞ୍ଜିତ, ଅନୁପମ ବକ୍ଷସ୍ଥଳେ ଶ୍ରୀବତ୍ସ ଲାଞ୍ଛନ, କର୍ପୂର ଚୁଆ ଚନ୍ଦନ, ଅମଳାନ କଉସ୍ତୂଭ ହାର, ଉଦାର ବର୍ତ୍ତୁଳ ମୁକୁତାମାଳ ହୃଦୟ, ମୁରଲୀ ମନୋହର, ବିମ୍ବାଧର, ନାସେ ମୋତିବର, ମକର ବେଷ୍ଟିତ, ମଧୁମୂର୍ତ୍ତି ରୁଚି ରୁଚିର, ସର୍ବାଙ୍ଗେ କର୍ପୂର ଅବିର, ମନ୍ଦ ମନ୍ଦ ହାସ ନୟନ, ଅଳପ ଅପାଙ୍ଗ, ବକ୍ର ତ୍ରିଭଙ୍ଗ ଅଙ୍ଗ, ଅଙ୍ଗ ଅବଲୋକନେ ଅଙ୍ଗ ଭଙ୍ଗ, ନୀଳନଗ୍ର କ୍ଷେତ୍ରବର ଅବଲୋକନେ ଶିରେ କରଅଞ୍ଜଳି...।”
ଶ୍ରୀଜଗନ୍ନାଥଙ୍କ ଚାଚେରୀ ଲୀଳାର ଏହି ଆବେଗପୂର୍ଣ୍ଣ ଓ କାବ୍ୟିକ ବର୍ଣ୍ଣନା କରିବା ସହିତ, ନୀଳନଗ୍ର ଅର୍ଥାତ୍ ନୀଳାଚଳ, ଯାହା ଶ୍ରେଷ୍ଠକ୍ଷେତ୍ର, ସେଠାରେ ଶିରରେ କରଯୋଡ଼ି ନମସ୍କାର କରି ଏହି ଲୀଳା ସନ୍ଦର୍ଶନ ପାଇଁ କବି ନିବେଦନ କରିଛନ୍ତି।