ସୁଭାଷିତ: ଜୟ ଜୟ ଅଲାର ହେ ଜଗତର ନାଥ

ଜୟ ଜୟ ଅଲାର ହେ ଜଗତର ନାଥ
ଶଙ୍ଖ ଚକ୍ର ଗଦା ପଦ୍ମ ଆୟୁଧ ଯେ ହସ୍ତ।
-ସାଲବେଗ
ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ସାଲବେଗ ‘ଯବନକବି’ ଭାବରେ ଖ୍ୟାତ। ସେ ମୋଗଲ ଶାସନକାଳରେ କଟକର ସୁବେଦାର ଥିବା ଲାଲବେଗଙ୍କର ପୁତ୍ର। ତାଙ୍କର ମାଆ ଜଣେ ଅପହୃତା ବ୍ରାହ୍ମଣୀ। ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରଠାରେ ପୁଷ୍କରିଣୀରେ ସ୍ନାନ କରୁଥିବା ବେଳେ ସେହି ଯୁବତୀ ବ୍ରାହ୍ମଣୀଙ୍କୁ ଅପହରଣ କରି ନେଇ ଏବଂ ବାଧ୍ୟତା ସହ ବଶ କରି, ଲାଲବେଗ ତାଙ୍କୁ ବିବାହ କରିଥିଲା। ତାଙ୍କର ନାଆଁ ଦେଇଥିଲା ଫାତିମା ବିବି। ତାଙ୍କର ହୋଇଥିଲେ ପାଞ୍ଚ ସନ୍ତାନ। ମାତ୍ର କେବଳ ଶେଷ ସନ୍ତାନ ସାଲବେଗଙ୍କ ବ୍ୟତୀତ ଆଉ କେହି ବଞ୍ଚି ନଥିଲେ। ମୁସଲମାନ ଘରେ ବଢ଼ି ମଧ୍ୟ ମାଆଙ୍କ ପ୍ରଭାବରେ ସାଲବେଗ ହୋଇଥିଲେ ଶ୍ରୀଜଗନ୍ନାଥଙ୍କର ଏକାନ୍ତ ଭକ୍ତ। ଶ୍ରୀଜଗନ୍ନାଥଙ୍କ ଚରଣକୁ ଆଶ୍ରୟ କରି ସେ ଦୁରାରୋଗ୍ୟ ରୋଗରୁ ମୁକ୍ତ ହୋଇଥିଲେ।

ସାଲବେଗଙ୍କ ଲିଖିତ ଶ୍ରୀଜଗନ୍ନାଥଙ୍କ ଭଜନଗୁଡ଼ିକ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ। ସେଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ଏକାତ୍ମ। କିନ୍ତୁ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ସଂପର୍କରେ ତାଙ୍କର ଗୋଟିଏ ଭଜନ ମିଳେ। ସେଥିରେ ଶ୍ରୀକୃଷ୍ଣଙ୍କ ପରି ଶ୍ରୀଅଲାରନାଥଙ୍କୁ ମଧ୍ୟ ସେ ‘ଜଗନ୍ନାଥ’ କହିଛନ୍ତି।
ଶ୍ରୀଅଲାରନାଥ କଳାମୁଗୁନିପଥରରେ ନିର୍ମିତ ଭଗବାନ ବିଷ୍ଣୁଙ୍କର ଦଣ୍ଡାୟମାନ ଚତୁର୍ଭୁଜ ମୂର୍ତ୍ତି। ତେଣୁ ସେହି ଭଜନର ପ୍ରଥମ ପଦରେ ସାଲବେଗ କହିଛନ୍ତି- “ଜୟ ଜୟ ଅଲାର ହେ ଜଗତର ନାଥ / ଶଙ୍ଖ ଚକ୍ର ଗଦା ପଦ୍ମ ଆୟୁଧ ଯେ ହସ୍ତ।” ସେହି ଭଜନର ଅନ୍ୟ ଚାରିଟି ପଦରେ ଶ୍ରୀଅଲାରନାଥଙ୍କର ସୁନ୍ଦର ବର୍ଣ୍ଣନା ଅଛି। ସେଥିରେ କୁହାଯାଇଛି, ତାଙ୍କର ଶିରରେ ରତ୍ନମୁକୁଟ ଶୋଭାପାଏ। ସେ ଶ୍ରୀଅଙ୍ଗରେ ଅଗୁରୁ ଚନ୍ଦନ ଲେପନ କରନ୍ତି। କଟିରେ ଦୃଢ଼ ଭାବରେ ସେ ପରିଧାନ କରିଥାନ୍ତି କାଛେଣି। ଏବଂ ତାଙ୍କର ନୀଳାମ୍ବର ଫରଫର ହୋଇ ଉଡ଼େ। ତାଙ୍କର ଚିକ୍‌କଣ କଳାରୂପ ଅତ୍ୟନ୍ତ ମନୋହର। ତାଙ୍କର ପାଦରେ ରତ୍ନକଠଉ ଓ ନୂପୁର ଶୋଭାପାଇଥାଏ।

ଏହା ସହିତ ସାଲବେଗ ଶ୍ରୀଅଲାରନାଥଙ୍କ ଐତିହ୍ୟ ସୂଚାଇ ସେଥିରେ କହିଛନ୍ତି- ବ୍ରହ୍ମଗିରି ଶିଖରରେ ବ୍ରହ୍ମା ସେହି ନାରାୟଣ ମୂର୍ତ୍ତିଙ୍କୁ ବୈଦିକ ମନ୍ତ୍ରରେ ପୂଜା କରିଥିଲେ। ସେହି ଜଗତରନାଥ ଅଲାରନାଥଙ୍କ ପାଦରେ ମୂଢ଼, ହୀନ, ଅଜାତି ସାଲବେଗର ମତି ରହିଥାଉ।

ସମ୍ବନ୍ଧିତ ଖବର