ଘୋର ସଂସାର ଜଳମୟ। କୁମ୍ଭୀର ସୁତ ଭାର୍ଯ୍ୟା ଗୃହ।ା
ହେ ନରେ ସମୁଦ୍ର ସଂସାର। ଯେବେ ତରିବୁ ତୋ ବିଚାର।ା
-ନୃସିଂହ ଚତୁର୍ଦ୍ଦଶୀ ବ୍ରତ କଥା
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ନୃସିଂହ ଅବତାରଙ୍କ ଆବିର୍ଭାବ ଦିବସ। ଏହି ନୃସିଂହ ଜୟନ୍ତୀ ଷଡ଼୍‌ଜୟନ୍ତୀ ବା ଛଅ ପବିତ୍ର ଜୟନ୍ତୀର ଅନ୍ତର୍ଗତ। ଏହିଦିନ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ଆବିର୍ଭୂତ ହୋଇ ଦୈତ୍ୟ ହିରଣ୍ୟକଶିପୁକୁ ବିଦାରଣ କରିବା ସହିତ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିଥିଲେ।
ହିରଣ୍ୟକଶିପୁ ଶିବଙ୍କଠାରୁ ବର ପାଇଥିଲା- ସେ ରାତିରେ ବା ଦିନରେ, ଭୂମିରେ ବା ଆକାଶରେ କିମ୍ବା ଶସ୍ତ୍ରରେ କି ଅସ୍ତ୍ରରେ ମରିବ ନାହିଁ। ସେହି ବର ପାଇ ସେ ତ୍ରିଲୋକରେ ବହୁ ଉତ୍ପାତ କରୁଥିଲା।
ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ଥିଲେ ବିଷ୍ଣୁଭକ୍ତ। ବିଷ୍ଣୁଙ୍କ ପରିବର୍ତ୍ତେ ଶିବଙ୍କୁ ଜପ କରିବାକୁ ହିରଣ୍ୟକଶିପୁ ପୁତ୍ରକୁ କହିଥିଲା। ମାତ୍ର ପ୍ରହ୍ଲାଦ କହିଥିଲେ- ଶିବଙ୍କୁ ଜପ କରି ତୁମେ ଇହଲୋକରେ ସୁଖ ପାଉଛ। କିନ୍ତୁ ବିଷ୍ଣୁଙ୍କୁ ଜପ କରି ମୁଁ ପରଲୋକରେ ମୋକ୍ଷ ପାଇବି। ତାହା ଶୁଣି ହିରଣ୍ୟକଶିପୁ କ୍ରୁଦ୍ଧ ହେଲା। ପ୍ରହ୍ଲାଦଙ୍କୁ ମାରି ପକାଇବାକୁ ଉଦ୍ୟମ କଲା। ମାତ୍ର ବିଷ୍ଣୁଙ୍କ କୃପାରୁ ପ୍ରହ୍ଲାଦ ରକ୍ଷା ପାଇଲେ। ଶେଷରେ ବିଷ୍ଣୁ ନୃସିଂହ ରୂପରେ ଆବିର୍ଭୂତ ହୋଇ ନିଜର ତୀକ୍ଷ୍‌ଣ ନଖ ଦ୍ୱାରା ହିରଣ୍ୟକଶିପୁକୁ ବିଦାରଣ କଲେ। ସେ ନିଜର ଜାନୁ ଉପରେ ପକାଇ ତାକୁ ବିଦାରଣ କରିଥିଲେ। ତାହା ଦିନ ବା ରାତି ନଥିଲା; ଥିଲା ଦିନ ଓ ରାତିର ସନ୍ଧିକାଳ।
ସେହି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ନୃସିଂହ ଚତୁର୍ଦ୍ଦଶୀ ବ୍ରତ ପାଳନ କରାଯାଏ। ବ୍ରତକଥାରେ ଏ ପ୍ରସଙ୍ଗରେ କୁହାଯାଇଛି- ଏ ସଂସାର ହେଉଛି ଘୋର ଓ ଜଳମୟ। ବିଷୟ (ଭୋଗ୍ୟବସ୍ତୁ) ହେଉଛି ଏହାର ବେଗବାନ ତରଙ୍ଗ। ଏହି ଅଗାଧ ଜଳରେ ଜନ୍ମ, ମୃତ୍ୟୁ ଓ ରୋଗ ଭୋଗ କରିବାକୁ ହୁଏ। ପତ୍ନୀ, ପୁତ୍ର ଓ ଗୃହ ଏ ଜଳର କୁମ୍ଭୀର। ବ୍ୟାମୋହ (ମୋହମାୟାଦି), କଦର୍ଥନ (ପୀଡ଼ା ଓ ନିର୍ଯ୍ୟାତନା ଓ କାମନା) ଆଦି ମତ୍ସ୍ୟ ଓ କୂର୍ମ। ଏଣୁ ହେ ମନୁଷ୍ୟ, ଏପରି ଯେଉଁ ସଂସାର, ସେଥିରୁ ତରିବା ପାଇଁ ନୃସିଂହ ବ୍ରତ ହିଁ ଉଚ୍ଚ ନୌକା ସଦୃଶ। ଏ ବ୍ରତ ସବୁ ପାପ-ବିଷର ଗଦ।

Advertisment