ଦେୟମାର୍ତ୍ତସ୍ୟ ଶୟନଂ ସ୍ଥିତଶ୍ରାନ୍ତସ୍ୟ ଚାସନମ୍।
ତୃଷିତସ୍ୟ ଚ ପାନୀୟଂ କ୍ଷୁଧିତସ୍ୟ ଚ ଭୋଜନମ୍।ା
-ମହାଭାରତ, ବନପର୍ବ, ୧/୨
ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ ଏକ ପ୍ରମୁଖ ମହାଭାରତୀୟ ମହାକାବ୍ୟ। ଏହା ମଧ୍ୟ ବିଶ୍ୱର ବୃହତ୍ତମ କାବ୍ୟକୃତି। ଏହା କେବଳ ପ୍ରାଚୀନ ଭାରତର କାହାଣୀ ନୁହେଁ, ଏହାର ଉପଯୋଗିତା ଆଜିର ସମୟରେ ମଧ୍ୟ ରହିଛି। କାଳେ କାଳେ ଏହା ଭାରତୀୟ ସମାଜ ଓ ଜୀବନକୁ ପ୍ରଭାବିତ କରି ଆସିଛି।
‘ମହାଭାରତ’ ମଧ୍ୟ ସୁଭାଷିତର ଏକ ସମୃଦ୍ଧ ଗନ୍ତାଘର। ‘ବନପର୍ବ’ର ଉପରୋକ୍ତ ସୁଭାଷିତ ଏହାର ଏକ ଉତ୍ତମ ଉଦାହରଣ।
ଏହି ସୁଭାଷିତରେ, ଆଦର୍ଶ ଆଚରଣ ବା ମନୁଷ୍ୟର ମାନବୋଚିତ କର୍ତ୍ତବ୍ୟ ସଂପର୍କରେ ସୂଚିତ କରାହୋଇଛି। କୁହାଯାଇଛି- ଯେଉଁ ବ୍ୟକ୍ତି ଆର୍ତ୍ତ, ଅର୍ଥାତ୍ କାତର, ପୀଡ଼ିତ ବା ବିପନ୍ନ, ତାଙ୍କୁ ଶୟନ ନିମନ୍ତେ ଶଯ୍ୟା ଯୋଗାଇ ଦେବା; ଯେଉଁ ବ୍ୟକ୍ତି ଶ୍ରାନ୍ତ, କ୍ଳାନ୍ତ, ତାଙ୍କୁ ବିଶ୍ରାମ ପାଇଁ ଆସନ ଦେବା; ଯେଉଁ ବ୍ୟକ୍ତି ତୃଷିତ, ତାଙ୍କୁ ପାନୀୟ ଦେଇ ତାଙ୍କର ତୃଷା ନିବାରଣ କରିବା ଏବଂ ଯେ କ୍ଷୁଧାତୁର, ତାଙ୍କୁ ଭୋଜନ ଦାନ କରିବା ମନୁଷ୍ୟର ମାନବୋଚିତ କର୍ତ୍ତବ୍ୟ।

Advertisment