ଉତ୍ତମ ପରିବାରର ସୂତ୍ର; ସମ୍ମାନ, ସ୍ନେହ ଓ ମଧୁରତା

ଅନୁବ୍ରତଃ ପିତୁଃ ପୁତ୍ରୋ ମାତ୍ରା ଭବତୁ ସଂମନାଃ।
ଜାୟା ପତ୍ୟେ ମଧୁମତୀଂ ବାଚଂ ବଦତୁଂ ଶାନ୍ତିବାମ୍।ା
ମା ଭ୍ରାତା ଭ୍ରାତରଂ ଦ୍ୱିକ୍ଷନ୍ମା ସ୍ୱସାରମୁତ ସ୍ୱସା
ସମ୍ୟଞ୍ଚଃ ସବ୍ରତା ଭୂତ୍ୱା ବାଚଂ ବଦତ ଭଦ୍ରୟା।ା
-ଅଥର୍ବବେଦ, ୩,୩୦,୨-୩
ବେଦମନ୍ତ୍ରଗୁଡ଼ିକ କାଳେ କାଳେ ପ୍ରାଚ୍ୟ ପ୍ରଜ୍ଞାର ଗନ୍ତାଘର ହୋଇ ରହି ଆସିଛି। ‘ଋଗ୍‌ବେଦ’ ଜ୍ଞାନକାଣ୍ଡ, ‘ଯଜୁର୍ବେଦ’ କର୍ମକାଣ୍ଡ, ‘ସାମବେଦ’ ଉପାସନାକାଣ୍ଡ ଓ ‘ଅଥର୍ବବେଦ’ ବିଜ୍ଞାନକାଣ୍ଡ। ଏହି ଚାରିବେଦ ଅଗ୍ନି, ବାୟୁ, ଆଦିତ୍ୟ ଓ ଅଙ୍ଗିରା- ଏହି ଚାରି ଋଷିଙ୍କ ହୃଦୟରେ ପ୍ରତିଭାତ ହୋଇଥିଲେ। ସୃଷ୍ଟି ରହସ୍ୟର ପ୍ରକ୍ରିୟା ବେଦରେ ସୂଚିତ ହୋଇଛି। ଏହି ଦୈବୀ ସୂଚନାର ଆଧାରରେ ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ- ସକଳ ପ୍ରକାରର ମାନୁଷ ଜ୍ଞାନ ବିକାଶଲାଭ କରିଛି।
ମନୁଷ୍ୟପାଇଁ ବେଦବର୍ଣ୍ଣିତ ଚାରିଟି ଆଶ୍ରମ ହେଉଛି- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଏଥି ମଧ୍ୟରୁ ସାଂସାରିକ ମନୁଷ୍ୟ ପାଇଁ ଗାର୍ହସ୍ଥ୍ୟ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ।
ଅଥର୍ବବେଦର ଉପରୋକ୍ତ ମନ୍ତ୍ରରେ ବ୍ୟକ୍ତ ହୋଇଛି ଉତ୍ତମ ପରିବାରର ସୂତ୍ର। ସେଥିରେ କୁହାଯାଇଛି- ଏହି ସୂତ୍ର ହେଉଛି ସମ୍ମାନ, ସ୍ନେହ ଓ ମଧୁରତା।
ଏଥିରେ କୁହାଯାଇଛି- ପୁତ୍ର ମାତା ଓ ପିତାଙ୍କ ପ୍ରତି ସମ୍ମାନର ଭାବନା ରଖୁ। ପତି ଓ ପତ୍ନୀଙ୍କର ପରସ୍ପର ପ୍ରତି ବ୍ୟବହାର ମଧୁର ହେଉ। ଭାଇ ଓ ଭଗିନୀଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହଭାବ ରହୁ। ଯେଉଁ ପରିବାରରେ ଏହା ଅଛି- ସେହି ପରିବାର ହେଉଛି ଉତ୍ତମ ପରିବାର।
(ଆଧାର: ବେଦ ସନ୍ଦେଶ, ଶନ୍ନୋଦେବୀ)

ସମ୍ବନ୍ଧିତ ଖବର