କବୀର କୁଆଁ ଏକ୍ ହୈ, ପାନୀ ଭରେ ଅନେକ।
ବର୍ତନ ମେଁ ହୀ ଭେଦ ହୈ, ପାନୀ ସବ ମେଁ ଏକ।ା
-କବୀର ଦାସ
କବୀର ଦାସ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ବିଶିଷ୍ଟ କବି ଓ ସମାଜ ସଂସ୍କାରକ। ସେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠଭକ୍ତ। ଗୋଟିଏ ଜଗନ୍ନାଥ ଭଜନରେ ସେ ଲେଖିଛନ୍ତି-
“ଠାକୁର ଭଲେ ବିରାଜୋ ଜି!
ଓଡ଼ିଶା ଜଗନ୍ନାଥ ପୁରୀ ମେଁ
ଭଲେ ବିରାଜୋ ଜି!”
କିଂବଦନ୍ତି ଅନୁସାରେ, କବୀର ଦାସଙ୍କ ମାଆ ଥିଲେ ଜଣେ ବିଧବା ବ୍ରାହ୍ମଣୀ। କିନ୍ତୁ ‘ନିରୁ’ ନାମକ ଜଣେ ମୁସଲମାନ ତନ୍ତୀ ତାଙ୍କୁ ପାଳିଥିଲେ। ସେଥିପାଇଁ ଉଭୟ ରାମ ଓ ରହିମ୍ ଥିଲେ ତାଙ୍କର ଆରାଧ୍ୟ। ସେ ଶ୍ରୀକ୍ଷେତ୍ର ଆସି ବିଶିଷ୍ଟ ବୈଷ୍ଣବଗୁରୁ ରାମାନନ୍ଦଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଶ୍ରୀରାମ ଓ ଶ୍ରୀଜଗନ୍ନାଥ ଉଭୟ ହୋଇଥିଲେ ତାଙ୍କର ଆରାଧ୍ୟ ଦେବତା। ତାଙ୍କର ଭଜନ ଓ ଦୋହାଗୁଡ଼ିକରେ ସମାଜସଂସ୍କାର ଭାବନା ସହିତ ଆଧ୍ୟାତ୍ମିକତାର ସ୍ପର୍ଶ ପରିଲକ୍ଷିତ ହୁଏ।
କବୀର ଦାସଙ୍କର ଉପରୋକ୍ତ ଦୋହାର ଅର୍ଥ ସରଳ; କିନ୍ତୁ ଆଧ୍ୟାତ୍ମିକ ରହସ୍ୟ ଦୃଷ୍ଟିରୁ ଗଭୀର। ଏଥିରେ ସେ କହିଛନ୍ତି- ଗୋଟିଏ କୂଅରୁ ଅନେକେ ପାଣି କାଢ଼ିଥାଆନ୍ତି। ସେହି ପାଣିକୁ ସେମାନେ ବିଭିନ୍ନ ଆକାର ପ୍ରକାରର ପାତ୍ରରେ ରଖିଥାଆନ୍ତି। ସେହି ପାତ୍ର ଅଲଗା ଅଲଗା ହେଲେ ମଧ୍ୟ, ସେଥିରେ ଥିବା ପାଣି ଏକା।
ଏହାର ଗଭୀର ଆଧ୍ୟାତ୍ମିକ ଅର୍ଥ ରହିଛି। ପାତ୍ରର ଗୋଟିଏ ପ୍ରତିଶବ୍ଦ ହେଉଛି ଘଟ। ଆମର ଶରୀରକୁ ମଧ୍ୟ ଘଟ କୁହାଯାଏ। ଯେପରି ଘଟ ବା ମାଠିଆ ବା ପାତ୍ର ଅନେକ ପ୍ରକାରର ହୋଇଥାଏ, ସେହିପରି ଭଗବାନଙ୍କର ଏ ସୃଷ୍ଟିରେ ଅନେକ ପ୍ରକାରର ମନୁଷ୍ୟ ଅଛନ୍ତି। ସେମାନେ ରଙ୍ଗ, ରୂପରେ ଅନେକ ପ୍ରକାରର ହେଲେ ହେଁ, ସେମାନଙ୍କ ଅନ୍ତରରେ ସେହି ଏକ ପରମାତ୍ମା ବିରାଜମାନ ରହିଛନ୍ତି- ଯେପରି ବିଭିନ୍ନ ପ୍ରକାରର ପାତ୍ରରେ ସେହି ଏକା କୂଅର ଜଳ।
ଆଗକୁ ଆସୁଛି ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଦେଶ ବିଦେଶର ଅନେକ ଭକ୍ତ ତାଙ୍କର ଦର୍ଶନ ପାଇଁ ଆସୁଛନ୍ତି। ସେମାନେ ନାନା ରଙ୍ଗ ଓ ରୂପର। କିନ୍ତୁ ସେ ସମସ୍ତଙ୍କ ହୃଦୟରେ ସେଇ ଏକା ଜଗନ୍ନାଥ ବିଦ୍ୟମାନ। ଜଗନ୍ନାଥ-ଜଳରେ ସମସ୍ତଙ୍କର ଘଟ ପରିପୂର୍ଣ୍ଣ। ଏହାହିଁ କବୀର ଦାସଙ୍କର ଏ ଦୋହାର ଆଜିର ତାତ୍ପର୍ଯ୍ୟ।

Advertisment