ନ ଗଙ୍ଗା ଯମୁନାଚାପି ସରକୂଳା ସରସ୍ୱତୀ,
ନିନ୍ନଗା ବାଚିରବତୀ ମହୀଚାପି ମହାନଦୀ।
ସକ୍କୁଣନ୍ତି ବିସୋଧେତୁଂ ମଳଂ ଇଧ ପାଣିନଂ,
ବିସୋଧୟତି ସତ୍ତାନଂ ୟଂବେ ସୀଳଜଳଂ ମଳଂ।
ଶୀଳ ବା ସତ୍ଆଚରଣ ବୌଦ୍ଧଧର୍ମର ଗୋଟିଏ ମୁଖ୍ୟ ଉପଦେଶ। ଏହା ସତ୍ଧର୍ମ (ବା ସଦ୍ଧର୍ମ)ର ଅନ୍ତର୍ଭୁକ୍ତ। ଏହି ସଦ୍ଧର୍ମକୁ ଭାରତୀୟ ଭକ୍ତି-ସଂସ୍କୃତି ଓ ଲୋକାଚାରର ଅଙ୍ଗୀଭୂତ କରିବା ଉଦ୍ଦେଶ୍ୟରେ, ବୌଦ୍ଧ ଶାସ୍ତ୍ରମାନଙ୍କରେ ଅନେକ ଉପାଦେୟ ପ୍ରାର୍ଥନା, ଶରଣ, ଶୀଳ, ଉପାସନା, ଅନୁସ୍ମୃତି ଓ ପରିତ୍ରାଣ ବା ସୂତ୍ରମାନଙ୍କର ଅବତାରଣା କରାଯାଇଛି।
ବୌଦ୍ଧ ଶାସ୍ତ୍ରମାନଙ୍କରେ ଅଛି ପଞ୍ଚଶୀଳ, ଅଷ୍ଟଶୀଳ, ଦଶଶୀଳ, ଏକାଦଶ ସୁଚରିତ ଶୀଳ ଆଦିର ଅବତାରଣା। ପ୍ରାଣୀ ହତ୍ୟାରୁ ବିରତ ରହିବା, ଅଣ-ଅର୍ପିତ ଦ୍ରବ୍ୟ ଘେନି ନଯିବା, ପରଦାରା ଗମନ ଆଦିରୁ ବିରତ ରହିବା, ମିଥ୍ୟା ନ କହିବା, ମଦ୍ୟପାନାଦି ନିଶା ସେବନ ନ କରିବା, ଅସମୟରେ ଭୋଜନରୁ ବିରତ ରହିବା, ନାଚ, ଗୀତ, ବାଦ୍ୟ ଆଦି ଆସରରେ ଯୋଗ ନଦେବା, ଉଚ୍ଚ ଶଯ୍ୟା ଓ ସୌଖୀନ ଶଯ୍ୟାରେ ଶୟନ ନ କରିବା, ମାଳ ଓ ସୁଗନ୍ଧି ଦ୍ରବ୍ୟ ଧାରଣ ବା ଲେପନରୁ ବିରତ ରହିବା, ସୁନା, ରୂପା ବା ପ୍ରଚଳିତ ମୁଦ୍ରା ଗ୍ରହଣ ନକରିବା ଆଦି ଏହାର ଅନ୍ତର୍ଗତ।
ଏହା କୁହାଯିବା ସହିତ, ପରିଶେଷରେ ଶୀଳର ମହନୀୟତା ଦର୍ଶାଇ ଉପରୋକ୍ତ କଥା କୁହାଯାଇଛି। ତାହା ହେଉଛି- ଗଙ୍ଗା, ଯମୁନା, ସରଯୂ, ସରସ୍ୱତୀ, ଅଚିରବତୀ, ମହୀ ଓ ମହାନଦୀମାନଙ୍କର ଜଳ ପ୍ରାଣୀଙ୍କର ପାପ ମଳ ଧୋଇ ପାରେ ନାହିଁ। ମାତ୍ର ଶୀଳ ଆଚରଣ ରୂପକ ଜଳ ମନୁଷ୍ୟର ସେହି ମଳକୁ ଶୁଦ୍ଧ କରିଦେଇପାରେ।
ସୁଭାଷିତ: ଶୀଳ ଜଳ ସବୁ ମଳ ଧୋଇଦିଏ
/sambad/media/post_attachments/wp-content/uploads/2023/05/654sh6546fhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)