ପାପର ମଧ୍ୟେ ପରମାଦ। ସ୍ତିରୀ ଗର୍ଭିଣୀ ଶିଶୁବଧ।ା
ଏ ତିନି କର୍ମ ଯେ କରନ୍ତି। ଜୀବନ ଥାଉଁ ସେ ମରନ୍ତି।
-ଜଗନ୍ନାଥ ଦାସ, ଶ୍ରୀମଦ୍‌ଭାଗବତ, ୧୦/୩
ଭାଦ୍ରବ କୃଷ୍ଣ ଅଷ୍ଟମୀ ବା ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମଦିନ। ଶ୍ରୀମଦ୍‌ଭାଗବତର ଦଶମ ସ୍କନ୍ଧରେ ଏ ପ୍ରସଙ୍ଗ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ଏହା ‘ଗୋପଲୀଳା’ର ଅନ୍ତର୍ଗତ ଏବଂ ସମଗ୍ର ଭାଗବତ ପରି, ସୁଭାଷିତର ଏକ ଗନ୍ତାଘର।

Advertisment

publive-image
ବିଷ୍ଣୁଙ୍କ ନିର୍ଦ୍ଦେଶରେ ଦୁର୍ଗା ଯାଇ ଯୋଗବଳରେ ଦେବକୀଙ୍କର ଗର୍ଭହରଣ କରି, ରୋହିଣୀଙ୍କ ଗର୍ଭରେ ତାହାକୁ ସଂସ୍ଥାପନ କରିଛନ୍ତି ଏବଂ ନିଜେ ଯଶୋଦାଙ୍କ ଗର୍ଭରେ ଉଦୟ ହୋଇଛନ୍ତି। ସେହି ଯୋଜନା ଅନୁସାରେ ବିଷ୍ଣୁ ନିଜେ କଂସ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରେ ଅବସ୍ଥାନ କରିଛନ୍ତି। ଦୁର୍ଗା ବା ଅମ୍ବିକାଙ୍କୁ ସେ କହିଛନ୍ତି, “ତୋତେ ଆଣିବେ ମୋତେ ଥୋଇ / ଏ କଥା ନ ଜାଣିବେ କେହି।”
ଦେବକୀଙ୍କର ପୁନର୍ବାର ଗର୍ଭୋଦୟ ହେବା କଥା ଜାଣି କଂସ ଚିନ୍ତିତ ହୋଇଛି। ପୂର୍ବରୁ ସେ ଦେବକୀଙ୍କର ଛଅପୁତ୍ରଙ୍କୁ ମାରିଥିଲା। ସପ୍ତମ ଗର୍ଭ ଉଭେଇଯିବା ତାକୁ ଚିନ୍ତିତ କରୁଥିଲା। ତେଣୁ ସେ ଭାବିଲା- ମୋ ହାତରେ ଉପାୟ ଅଛି। ଦେବକୀର ଗର୍ଭଚିରି, ଗର୍ଭସ୍ଥ ସନ୍ତାନକୁ ମାରି ପକାଇବି। ଚର ପେଷି ସବୁ ଶିଶୁଙ୍କୁ ହତ୍ୟା କରିବି।
କିନ୍ତୁ କଂସ ଅସୁର ହେଲେ ମଧ୍ୟ, ସେ ଯେ ସଂପୂର୍ଣ୍ଣ ବିବେକଶୂନ୍ୟ ଥିଲା, ତାହା ନୁହେଁ। ଏଣୁ ଏହା ବିଚାର କରିବା ବେଳେ, ତାର ମନର ଭାବନା ଅତି ସୁନ୍ଦର ଭାବରେ ଭାଗବତରେ ବର୍ଣ୍ଣିତ ହୋଇଛି। ସେହି ପ୍ରସଙ୍ଗରେ ଏହି ସୁଭାଷିତଟି କୁହାଯାଇଛି।
ଏଣୁ କଂସର ମନକୁ ଆସିଲା- ଏ ନୃଶଂସ କର୍ମ ମୁଁ କିପରି କରିବି? ନିଜ ଜୀବନ ପାଇଁ ଏତେ ବଡ଼ ପାପ କଲେ ମୋର ମନ ସନ୍ତପ୍ତ ହେବ। ମର୍ତ୍ତ୍ୟଲୋକ କି ସ୍ୱର୍ଗଲୋକ, କେଉଁଠାରେ ହେଲେ ସୁଖ ମିଳିବ ନାହିଁ। ଏ ପ୍ରସଙ୍ଗରେ ଜଗନ୍ନାଥ ଦାସ ସୁନ୍ଦର ଭାବରେ ତାର ମନର ଭାବନା ପ୍ରକାଶ କରି କହିଛନ୍ତି- ପାପ ମଧ୍ୟରେ ପ୍ରମାଦ ବା ମହାପାପ ହେଉଛି, ସ୍ତ୍ରୀ ହତ୍ୟା, ଗର୍ଭିଣୀ ହତ୍ୟା ଓ ଶିଶୁହତ୍ୟା। ଯେ ଏ ତିନି ପାପ କରନ୍ତି- ସେ ଜୀବନ ଥାଇ ବି ମରନ୍ତି। ସେ ମରଣ କାଳରେ ନିନ୍ଦା ଓ ଅପଯଶ ପାଆନ୍ତି ଏବଂ ମରଣ ପରେ ନର୍କଭୋଗ କରନ୍ତି।