ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ
ସମସ୍ତଙ୍କ ଭାଗ୍ୟ-ଡୋରି,
ନିଜ ଭାଗ୍ୟ-ଡୋରି କାଳହସ୍ତେ ଏହା
ପକାନ୍ତି ହେଳେ ପାସୋରି।
-ରାଧାନାଥ ରାୟ, ପାର୍ବତୀ
‘ପାର୍ବତୀ’ କବିବର ରାଧାନାଥ ରାୟଙ୍କର ଏକ ଚର୍ଚ୍ଚିତ କାବ୍ୟ। ସେଥିରେ ‘କଞ୍ଚୁକୀ’ର ଭାବନା ମଧ୍ୟରେ, ଜୀବନର ଚରମ ସତ୍ୟ କୁହାଯାଇଛି।
ରାଧାନାଥ ରାୟଙ୍କର ଜନ୍ମ ୧୭ ଏପ୍ରିଲ୍, ୧୮୪୮ ଓ ମୃତ୍ୟୁ ୨୮ ସେପ୍ଟେମ୍ବର, ୧୯୦୮। ୧୮୯୦ରେ ସେ ରଚନା କରିଥିଲେ ‘ପାର୍ବତୀ’ କାବ୍ୟ। ସେଥିରେ ବର୍ଣ୍ଣିତ ରାଜାଙ୍କର ନାମ ଗଙ୍ଗେଶ୍ୱର। ନିଜର କନ୍ୟା ସହ ଅବୈଧ ପ୍ରଣୟ ଏହାର କଥାବସ୍ତୁ। ମାତ୍ର ‘ଗଙ୍ଗେଶ୍ୱର’ ନାମରେ କୌଣସି ରାଜା ଓଡ଼ିଶାରେ ରାଜତ୍ୱ କରିଥିବାର ଐତିହାସିକ ତଥ୍ୟ ନାହିଁ। ଏଣୁ ‘ପାର୍ବତୀ’ କାବ୍ୟ ରଚନା କରି ରାଧାନାଥ ଓଡ଼ିଶାର ଇତିହାସକୁ ଅଯଥା କଳଙ୍କିତ କରିଛନ୍ତି ବୋଲି ଅଭିଯୋଗ ହୋଇଥାଏ।
ଏହା ସତ୍ତ୍ୱେ, ‘ପାର୍ବତୀ’ ବହୁ ସୁଭାଷିତର ଅମୂଲ୍ୟ ଗନ୍ତାଘର। ରାଜପ୍ରାସାଦର ଶୀର୍ଷରେ ବସି, ଗଙ୍ଗେଶ୍ୱରଙ୍କ ଯୁଦ୍ଧଖୋର ମନୋଭାବ ସଂପର୍କରେ ‘କଞ୍ଚୁକୀ’ ଚିନ୍ତା କରିଛି; ଏବଂ ସେ ତାଙ୍କର ‘ପରରାଜ୍ୟ ଲୋଭ’କୁ ଗ୍ରହଣ କରିପାରି ନାହିଁ। ତା’ ହୃଦୟରେ ଭାବନା ଆସିଛି- ଏ ସଂସାର ଏକ ରଙ୍ଗଭୂମି, ଏଠି କେହି ରହି ନାହିଁ କି ରହିବେ ନାହିଁ। ସମସ୍ତେ କାଳବଳେ ବାହୁଡ଼ି ଯିବେ। କେତେ କେତେ ରାଜା କାଳଗର୍ଭରେ ଲୀନ ହୋଇଯାଇଛନ୍ତି। ତାଙ୍କର ଜୀର୍ଣ୍ଣ ପ୍ରାସାଦ ଏବେ ବାଘ, ଭାଲୁଙ୍କର ଆବାସ। ଝରକା କବାଟରେ ବୁଢ଼ିଆଣୀ ବସା। ଏ କର୍ମଭୂମି ବସୁନ୍ଧରା କାହାର ଚିରଦିନର ନୁହେଁ। ତଥାପି ରାଜା ଯେ ଚିରସ୍ଥାୟୀ ହେବେ ବୋଲି ଭାବୁଛନ୍ତି, ଏହା ହିଁ ବିଡ଼ମ୍ବନା।
ଏହି ପରିପ୍ରେକ୍ଷୀରେ, ରାଧାନାଥ କଞ୍ଚୁକୀର ଭାବନା ମଧ୍ୟରେ କହିଛନ୍ତି ଉପରୋକ୍ତ ଚରମ ସତ୍ୟ। ତା’ ପଛରେ ଶାଣିତ ବ୍ୟଙ୍ଗ ବି ଅଛି। ସେ କହିଛନ୍ତି- ଏହିପରି ଭାବରେ ଦାମ୍ଭିକମାନେ ନିଜ ହାତରେ ସମସ୍ତଙ୍କର ଭାଗ୍ୟଡୋରି ରଖିବାକୁ ଚାହାନ୍ତି। ମାତ୍ର ତାଙ୍କ ଭାଗ୍ୟଡୋରି ଯେ କାଳ ହାତରେ, ଏହା ସହଜରେ ପାସୋରି ଯାଆନ୍ତି।
ସୁଭାଷିତ: ହେ ରାଜା! ତୁମ ଭାଗ୍ୟଡୋରି ବି କାଳ ହାତରେ
/sambad/media/post_attachments/wp-content/uploads/2023/09/65465f4hf65hfh.jpg)