ରାଜା ଚତୁର୍ବିଧା ବର୍ଣ୍ଣା ଅନ୍ୟେ ଯେ ଚ ପୃଥଗ୍ଜନାଃ।
ଦୀନା ମହାନ୍ତଶ୍ଚ ତଦା ସମାନାସ୍ତତ୍ର ଭାନ୍ତି ବୈ।ା
-ସ୍କନ୍ଦପୁରାଣ, ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍, ୩୩/୪୭
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ ନାମ- ପତିତପାବନ ଯାତ୍ରା। ଏହା ତାଙ୍କର ଦ୍ୱାଦଶଯାତ୍ରାର ଅନ୍ତର୍ଗତ ଏବଂ ଯାତ୍ରାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନଯାତ୍ରା ଏବଂ ଆଷାଢ଼ ଶୁକ୍ଳ ଦ୍ୱିତୀୟାର ରଥଯାତ୍ରା- ଏ ଦୁଇଯାତ୍ରାକୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ‘ସ୍ୱୟଂଲୀଳା’ ବୋଲି କହିଛନ୍ତି। କାରଣ, ଏ ଦୁଇ ଯାତ୍ରାରେ ଶ୍ରୀଜଗନ୍ନାଥ ତାଙ୍କର ପ୍ରାସାଦ ବା ଶ୍ରୀମନ୍ଦିରର ରତ୍ନବେଦି ଛାଡ଼ି ନିଜେ ଭକ୍ତଙ୍କ ମେଳକୁ ଆସିଥାନ୍ତି। ପତିତମାନଙ୍କୁ ପାବନ କରିବାପାଇଁ ତାଙ୍କର ଏ ଯାତ୍ରା ବୋଲି ମଧ୍ୟ କବିସମ୍ରାଟ କହିଛନ୍ତି। ଏହି ଯାତ୍ରା ତେଣୁ ପତିତପାବନ ଯାତ୍ରା।
ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦରେ ଜାତିଭେଦ ନାହିଁ। ସେହିପରି, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ମଧ୍ୟ ଜାତିଭେଦ ନାହିଁ ବୋଲି ‘ସ୍କନ୍ଦପୁରାଣ’ରେ ଉଲ୍ଲେଖ ଅଛି।
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନିର୍ମିତ ନୂତନ ପ୍ରାସାଦ (ମନ୍ଦିର)ରେ ଶ୍ରୀବିଗ୍ରହମାନେ ପ୍ରତିଷ୍ଠା ହେବା ପରେ, ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତି ଓ ନିଷ୍କାମ କର୍ମରେ ଶ୍ରୀଜଗନ୍ନାଥ ପ୍ରସନ୍ନ ହୋଇଥିଲେ। ତାହା ପରେ, ସେହି ‘ପ୍ରତିମା’ (ଶ୍ରୀଜଗନ୍ନାଥ) ନିଜେ ତାଙ୍କର ସେବାପୂଜା ଓ ପର୍ବଯାତ୍ରା ଆଦି କିପରି ହେବ, ସେ ବାବଦରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ପ୍ରସଙ୍ଗରେ, ସ୍ନାନଯାତ୍ରା ଓ ରଥଯାତ୍ରା ଆଦିର ବର୍ଣ୍ଣନା ରହିଛି। ସେଥିରେ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରାକୁ ‘ମହାବେଦୀ ମହୋତ୍ସବ’ କୁହାଯାଇଛି।
ସେହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତ ରେ କୁହାଯାଇଛି- ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ସମୟରେ ଉପସ୍ଥିତ ଥିବା- କି ରାଜା, କି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଚାରିବର୍ଣ୍ଣ, କି ଧନୀ, କି ଦରିଦ୍ର ବା କି ନୀଚ ଜାତିର ବ୍ୟକ୍ତିଗଣ- ସମସ୍ତେ ସମାନ ବୋଧ ହୋଇଥାଆନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଏହି ଭେଦଭାବ ନଥାଏ। ସେ ଦୃଷ୍ଟିରୁ ଏହି ରଥଯାତ୍ରା ‘ସମଭାବ’ର ଯାତ୍ରା।
ସୁଭାଷିତ: ରଥଯାତ୍ରା- ସମଭାବର ଯାତ୍ରା
/sambad/media/post_attachments/wp-content/uploads/2023/06/5646h54sf65fhssfhsfh.jpg)