ଚୈଦୁଃସ୍ୱପ୍ନନାଶନଂ ଧନ୍ୟଂ ଭୁକ୍ତିମୁକ୍ତିଫଳପ୍ରଦମ୍।
ରାମଚନ୍ଦ୍ରକଥୋପେତଂ ସର୍ବକଲ୍ୟାଣସିଦ୍ଧିଦମ୍।ା
-ଶ୍ରୀମଦ୍‌ବାଲ୍ମୀକୀୟ ରାମାୟଣ, ୧/୨୦
ତ୍ର ଶୁକ୍ଳ ନବମୀ ହେଉଛି, ପବିତ୍ର ‘ଶ୍ରୀରାମନବମୀ’। କାରଣ, ଏହି ତିଥିରେ, ଶ୍ରୀରାମଚନ୍ଦ୍ର ଏ ଧରାଧାମରେ ଆବିର୍ଭୂତ ହୋଇଥିଲେ। ‘ରାମାୟଣ’ ତାଙ୍କର ଜୀବନଚରିତ। ଏହା ‘ବାଲ୍ମୀକି ରାମାୟଣ’ ନାମରେ ଖ୍ୟାତ। କାରଣ ମହର୍ଷି ବାଲ୍ମୀକି ଏହାର ରଚୟିତା।
ଏ ‘ରାମକଥା’ କାହିଁକି ଆମେ ଶୁଣିବା ଏବଂ ଏହାର ଶୁଭଫଳ କ’ଣ, ଏହା ‘ବାଲ୍କୀକି ରାମାୟଣ’ର ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି। ଋଷିମାନଙ୍କର ପ୍ରଶ୍ନର ଉତ୍ତରରେ ସୂତମୁନି ଏହା କହିଛନ୍ତି।
ଋଷିମାନେ ସୂତମୁନିଙ୍କୁ କହିଛନ୍ତି- ହେ ପ୍ରଭୁ! ଆପଣ ବିଦ୍ୱାନ୍ ଓ ଜ୍ଞାନୀ। ଆମେ ପୂର୍ବରୁ ଯାହା ପଚାରିଛୁ, ତାହା ଆପଣ ଆମକୁ କହିଛନ୍ତି। କିନ୍ତୁ ସଂସାରବନ୍ଧନରେ ଆବଦ୍ଧ ଜୀବମାନଙ୍କର ଅନେକ ଦୁଃଖ। ଏଣୁ ଏ ସଂସାର ବନ୍ଧନରୁ ସେମାନଙ୍କୁ କିଏ ମୁକ୍ତି ପ୍ରଦାନ କରିପାରିବେ ଏହା ଆମକୁ କହନ୍ତୁ।
ମୁନିମାନେ ଆହୁରି ମଧ୍ୟ କହିଛନ୍ତି- କଳିଯୁଗରେ ବେଦର ମାର୍ଗ ଲୁପ୍ତ ହୋଇଯିବ। ସାଧୁ ବେଶରେ ଲୋକେ ବ୍ୟଭିଚାରୀ ହେବେ। ଧର୍ମ ଓ ଈଶ୍ୱରବିଶ୍ୱାସ ହ୍ରାସ ପାଇବ। ଲୋକଙ୍କ ମନରେ କାମଭାବନା ବୃଦ୍ଧିପାଇବ। ଏପରି ଘୋର କଳିଯୁଗରେ, ଯେଉଁ ପାପ-ପରାୟଣ ଲୋକଙ୍କର ଅନ୍ତଃକରଣ ଅଶୁଦ୍ଧ ହେବ, ସେମାନେ କିପରି ମୁକ୍ତି ପାଇବେ, ଅନୁଗ୍ରହ କରି କହନ୍ତୁ।
ଏହି ପ୍ରଶ୍ନର ଉତ୍ତରରେ, ସୂତମୁନି ଋଷିମାନଙ୍କୁ ଯେଉଁସବୁ କଥା କହିଛନ୍ତି, ଉପରୋକ୍ତ ସୁଭାଷିତ ତାହାର ଏକ ଅଂଶ। ସେ କହିଛନ୍ତି- ହେ ଶ୍ରେଷ୍ଠ ଋଷିମାନେ! ମନ ଧ୍ୟାନ ଦେଇ ଶୁଣନ୍ତୁ। ଦେବର୍ଷି ନାରଦ ସନତ୍ କୁମାରଙ୍କୁ ଯେଉଁ ରାମାୟଣ ମହାକାବ୍ୟ ଶୁଣାଇଥିଲେ, ତାହା ସମସ୍ତ ପାପର ବିନାଶକାରୀ। ସେହି ରାମକଥାର ଶ୍ରବଣରେ ସମସ୍ତ ଦୁଃସ୍ୱପ୍ନର ବିନାଶ ହୁଏ। ତାହା ଦ୍ୱାରା ସମସ୍ତ ଭୁକ୍ତି (ଭୋଗ) ଓ ମୁକ୍ତି (ମୋକ୍ଷ) ମିଳେ। ସେଥିରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଲୀଳା ବର୍ଣ୍ଣିତ ହୋଇଛି। ଏହି ମହାକାବ୍ୟ ତାହାର ପାଠକ ଓ ଶ୍ରୋତା ଉଭୟଙ୍କୁ ସମସ୍ତ କଲ୍ୟାଣମୟୀ ସିଦ୍ଧି ପ୍ରଦାନ କରେ। ଏ ଜଗତ୍‌ର ହିତ ସାଧନରେ ପ୍ରବୃତ୍ତ ବ୍ୟକ୍ତି ଯଦି ‘ରାମାୟଣ’ର ଆଦର୍ଶରେ ନିଜକୁ ପରିଚାଳିତ କରନ୍ତି, ତେବେ ସେ କୃତାର୍ଥ ହୁଅନ୍ତି। ହେ ଋଷିମାନେ! ଏହା ଫଳରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ- ଏହି ଚତୁର୍ବର୍ଗର ସାଧନ ହେବା ସହିତ ଅମୃତମୟ ଫଳ ମିଳେ।