ମୋତେ ଘେରିଥିଲା ଅଣାକାର ବିଜନତା
ସତ୍ତାର ଖାଲି ଶବଦ ଯେ ନିରବତା।
-ଶ୍ରୀ ଅରବିନ୍ଦ, ‘ଅଦ୍ୱୈତ’
‘ଅଦ୍ୱୈତ’, କବି ଓ ଯୋଗୀ ଶ୍ରୀଅରବିନ୍ଦଙ୍କର ଏକ ସନେଟ୍ ବା ଚତୁର୍ଦ୍ଦଶପଦୀ କବିତା। ତାହାର ରଚନାକାଳ ୧୯୩୯ ମସିହା। ଶ୍ରୀଅରବିନ୍ଦଙ୍କର କବି ଓ ଯୋଗୀ ହୃଦୟବୃତ୍ତିର ପ୍ରତିଫଳନ ଏଥିରେ ମିଳେ।
ଏପ୍ରିଲ୍ ୧୯୩୦ରେ କାଶ୍ମୀର ପରିଭ୍ରମଣ କାଳରେ ଶ୍ରୀଅରବିନ୍ଦ ଯାଇଥିଲେ ‘ତଖ୍‌ତ-ଇ-ସୋଲୋମନ୍‌’ ନାମକ ଏକ ପର୍ବତ ଉପରକୁ। ତାହାର ଅନ୍ୟନାମ ‘ଗୋପାଦ୍ରି’। କାରଣ, ଗୋପାଦିତ୍ୟ ନାମକ ଜଣେ ରାଜା ତାହାର ପାଦଦେଶରେ ବ୍ରାହ୍ମଣମାନଙ୍କର ବସତି ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ସେହି ପର୍ବତର ଚୂଡ଼ାରେ, ଖ୍ରୀଷ୍ଟପୂର୍ବ ୩୭୧ରେ ଏକ ଶିବ ମନ୍ଦିର ନିର୍ମାଣ କରିଥିଲେ। ସେଠାରେ ପୂଜିତ ଶିବଙ୍କର ନାମ ଜ୍ୟେଷ୍ଠେଶ୍ୱର। ସେହି ପର୍ବତ ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀରେ ରାଜା ସୋଲୋମନଙ୍କ ନାମରେ ‘ତଖ୍‌ତ-ଇ-ସୋଲୋମନ’ ବା ‘ସୋଲୋମନଙ୍କ ସିଂହାସନ’ ନାମରେ ପରିଚିତ ଥିଲା।
ଶ୍ରୀ ଅରବିନ୍ଦ କାଶ୍ମୀର ପରିଭ୍ରମଣ ସମୟରେ ସେଠାକୁ ଯାଇ ଅନନ୍ତ ଶୂନ୍ୟତାର ଉପଲବ୍‌ଧି କରିଥିଲେ। ସେହି ଅନୁଭୂତିକୁ ନେଇ ‘ଅଦ୍ୱୈତ’ କବିତା ରଚିତ। ତାହାର କିଛି ପଂକ୍ତିରେ ସେ ଲେଖିଛନ୍ତି-
“ସେଠାରେ ମୋତେ ଏକ ଅଣାକାର ବିଜନତା ଘେରିଥିଲା। ସବୁ କିଛି ଅନାମିକା ଓ ଅଦ୍ଭୁତ ମନେ ହେଉଥିଲା। ଯେଉଁ ବ୍ରହ୍ମ ଅଜନ୍ମା, ନିଷ୍କଳ ବା ନିରାକାର ଓ ଶାଶ୍ୱତ- ସେ ଯେପରି ସେହିଠାରେ ବିଦ୍ୟମାନ ଥିଲେ। ସେଠାରେ ମୋର ପୁଣି ମନେ ହେଉଥିଲା- ମୋର ସତ୍ତାର ଶବ୍ଦ କେବଳ ନିରବତା।”
କବିତାଟିର ନାଆଁ ‘ଅଦ୍ୱୈତ’। ଏଣୁ ଏହା ସୂଚାଏ, ଯେ ଆତ୍ମା ଭାବରେ ମନୁଷ୍ୟ ଓ ପରମାତ୍ମାଙ୍କ ମଧ୍ୟରେ କୌଣସି ଦ୍ୱୈତ ଭାବ ନାହିଁ। ଏହା ଅନୁଭବ କରିବା ହିଁ ମନୁଷ୍ୟ ଜନ୍ମର ସର୍ବଶ୍ରେଷ୍ଠ ସାର୍ଥକତା।
ଅଗଷ୍ଟ ୧୫ ତାରିଖ ଶ୍ରୀଅରବିନ୍ଦଙ୍କ ପବିତ୍ର ଜୟନ୍ତୀ। ଏହି ଅବସରରେ ଏହି ‘ଅଦ୍ୱୈତ ଅନୁଭବ’ ସମସ୍ତଙ୍କର ଧ୍ୟେୟ ହେଉ।