ସୁଭାଷିତ: କୋଇଲିର କୁହୁରେ ବସନ୍ତର ବିଜୟବାର୍ତ୍ତା

ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ
ପାଦପ ଆନୀତ ପତର ପରଭୃତ ପଠନେ।
-ଗଙ୍ଗାଧର ମେହେର, କୀଚକବଧ (୨ୟ ସର୍ଗ)
ଗଙ୍ଗାଧର ମେହେର ଓଡ଼ିଶାର ସ୍ୱଭାବକବି। ତେଣୁ ତାଙ୍କର କାବ୍ୟକୃତିଗୁଡ଼ିକରେ ପ୍ରକୃତିର ଅନୁପମ ରୂପଶୋଭା ବର୍ଣ୍ଣିତ। ‘କୀଚକବଧ’ କାବ୍ୟ ଏହାର ବ୍ୟତିକ୍ରମ ନୁହେଁ।
‘କୀଚକବଧ’ ‘ମହାଭାରତ’ର କାହାଣୀ ଆଧାରିତ। ଅଜ୍ଞାତବାସ କାଳରେ ପାଣ୍ଡବ ପାଞ୍ଚଭାଇ ଓ ଦ୍ରୌପଦୀ ଛଦ୍ମବେଶରେ ଯାଇ ବିରାଟ ନଗ୍ରରେ ରହିଥିଲେ। ଦ୍ରୌପଦୀ ରହିଥିଲେ ସୈରିନ୍ଦ୍ରୀ ନାମରେ। ତାଙ୍କ ପ୍ରତି ବିରାଟ ରାଜାଙ୍କ ଶ୍ୟାଳକ କୀଚକର ଆସକ୍ତି ଓ କୀଚକର ମୃତ୍ୟୁ ଏହାର ମୁଖ୍ୟ କାହାଣୀ।
ବସନ୍ତ ଉନ୍ମାଦନାର ଋତୁ। ସେଥିପାଇଁ ଏହି ସର୍ଗରେ ବସନ୍ତ ଋତୁର ଅବତାରଣା କରିଛନ୍ତି ଗଙ୍ଗାଧର।
ବସନ୍ତର ଆଗମନରେ ବୃକ୍ଷଲତା ପଲ୍ଲବିତ ହୁଅନ୍ତି। ଏହା ପରଭୃତ (କୋଇଲି)ର ମିଳନ ଋତୁ। ଏଣୁ ଏ ଋତୁରେ ପଲ୍ଲବିତ ଆମ୍ରବୃକ୍ଷର ପତ୍ରଗହଳରୁ କୋଇଲି ଉଚ୍ଚସ୍ୱରରେ ଗାଏ। ଏହାକୁ ବସନ୍ତର ବିଜୟବାର୍ତ୍ତା ବୋଲି କହିଛନ୍ତି ଗଙ୍ଗାଧର। ତାଙ୍କ ଭାଷାରେ, ଏହି କଅଁଳ ପତ୍ର ଓ କୋଇଲିର କୁହୁ ମାଧ୍ୟମରେ ବସନ୍ତ ତାହାର ବିଜୟ ବାର୍ତ୍ତା ପ୍ରଚାର କରେ।
ଏହା ସହିତ ଆଉ ଗୋଟିଏ କଥା ମଧ୍ୟ ସ୍ୱଭାବକବି ଗଙ୍ଗାଧର ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ସର୍ଗରେ କହିଛନ୍ତି। ତାହା ହେଉଛି- ପୂର୍ବରୁ ବିତିଯାଇଥିବା ବର୍ଷା ଓ ଶିଶିର ଦୁଇ ଋତୁର କଥା। ବର୍ଷା ଋତୁରେ ଘନ ବାଦଲରେ ସୂର୍ଯ୍ୟ ଲୁଚି ଯାଆନ୍ତି। ପରେ ଆସେ ଶିଶିର। ତାହା ପଦ୍ମକୁ ନାଶ କରିଦିଏ। ପଦ୍ମ ସୂର୍ଯ୍ୟପ୍ରିୟା। ଏଣୁ ବର୍ଷା ଓ ଶିଶିରରେ ଏପରି ଦଶା ଭୋଗିଥିବା ସୂର୍ଯ୍ୟ, ଋତୁରାଜ ବସନ୍ତର ଆଗମନରେ ତ୍ରସ୍ତ ହୁଅନ୍ତି। ଏହା ମଧ୍ୟ ବସନ୍ତର ଏକ ବିଜୟ।

ସମ୍ବନ୍ଧିତ ଖବର