ଅହଂକାରଗ୍ରହାନ୍‌ମୁକ୍ତଃ ସ୍ୱରୂପମୁପପଦ୍ୟତେ!
ଚନ୍ଦ୍ରବତ୍‌ବିମଲଃ ପୂର୍ଣ୍ଣଃ ସଦାନନ୍ଦଃ ସ୍ୱୟଂପ୍ରଭଃ।ା
-ଶ୍ରୀଶଙ୍କରାଚାର୍ଯ୍ୟ, ବିବେକଚୂଡ଼ାମଣି
‘ବିବେକଚୂଡ଼ାମଣି’ ଶ୍ରୀଶଙ୍କରାଚାର୍ଯ୍ୟ ବା ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ବିରଚିତ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ଏହାର ଆକ୍ଷରିକ ଅର୍ଥ ‘ବିବେକର ମଉଡ଼ମଣି’ ବା ‘ସର୍ବଶ୍ରେଷ୍ଠ ବିବେକ’। ସଂସାରର ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟଠାରେ ହିଁ ରହିଛି ବିବେକଶକ୍ତି। ଏହାର ଉପଯୋଗ ମାଧ୍ୟମରେ ସେ ନିତ୍ୟ ଓ ଅନିତ୍ୟର ବିବେଚନା କରି ଚିରନ୍ତନ ଆନନ୍ଦର ସନ୍ଧାନ ପାଇପାରେ।
‘ଗୁରୁ-ଶିଷ୍ୟ ସମ୍ବାଦ’ ମାଧ୍ୟମରେ ଶ୍ରୀଶଙ୍କରାଚାର୍ଯ୍ୟ ଏଥିରେ ବେଦାନ୍ତ ଜ୍ଞାନ ବିତରଣ କରିଛନ୍ତି। ଏହାର ଗୋଟିଏ ବିଶେଷ ଅଂଶ ହେଉଛି, ‘ଅହଂକାର-ନିନ୍ଦା’। ୨୯୮ରୁ ୩୦୯ ଶ୍ଳୋକ ମଧ୍ୟରେ ଏହାର ବ୍ୟାଖ୍ୟା ରହିଛି। ତାହାର ଉପରୋକ୍ତ (୩୦୦) ଶ୍ଳୋକରେ ଶ୍ରୀଶଙ୍କରାଚାର୍ଯ୍ୟ କହିଛନ୍ତି- ଅହଂକାରର ବନ୍ଧନ ହେଉଛି ଗ୍ରହ (ରାହୁ ବା କେତୁ)ର ଗ୍ରାସ ପରି। ବ୍ୟକ୍ତି ସେହି ଅହଂକାରର ବନ୍ଧନ ବା ଗ୍ରାସରୁ ନିଜକୁ ମୁକ୍ତ କଲେ, ନିର୍ମଳ ଚନ୍ଦ୍ର ପରି, ନିଜର ସ୍ୱରୂପ ପ୍ରାପ୍ତ ହୁଏ ଏବଂ ପୂର୍ଣ୍ଣଚନ୍ଦ୍ର ପରି ନିତ୍ୟ ଆନନ୍ଦମୟ ହେବା ସହିତ ଉଜ୍ଜ୍ୱଳ ଜ୍ୟୋତ୍ସ୍ନା ପରି ନିଜକୁ ପ୍ରକାଶ କରିପାରେ।
ଏହା ମାଧ୍ୟମରେ ଶ୍ରୀଶଙ୍କରାଚାର୍ଯ୍ୟ କହିଛନ୍ତି- ବ୍ୟକ୍ତି ଅହଂମୁକ୍ତ ହେବା ପରେ, ତାର ସ୍ୱାଭାବିକ ଶୁଦ୍ଧ-ଜ୍ଞାନ-ଆନନ୍ଦ ସ୍ୱରୂପ ପ୍ରାପ୍ତ ହୋଇଥାଏ।

Advertisment