କବିତା ପ୍ରାଣର ଧର୍ମ ହୃଦୟର ବିଦଗ୍‌ଧ ମମତା
ଶୋକର ସଜଳ ଶ୍ଳୋକ ବେଦନାର ବିପ୍ଳବର କଥା।
-ରାଧାମୋହନ ଗଡ଼ନାୟକ, ‘ସୂର୍ଯ୍ୟ ଓ ଅନ୍ଧକାର’
ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ଓ ଅନୁବାଦକ। ତାଙ୍କୁ ଅନୁବାଦକ ନକହି ଅନୁସ୍ରଷ୍ଟା କୁହାଯାଏ। କାରଣ, ତାଙ୍କର କ୍ୟାବ୍ୟାନୁବାଦଗୁଡ଼ିକ ତାଙ୍କର କାବ୍ୟସୃଷ୍ଟି ପରି ରସୋତ୍ତୀର୍ଣ୍ଣ। ୧୯୧୧ ଅଗଷ୍ଟ ୨୫ରେ ତାଙ୍କର ଜନ୍ମ ଏବଂ ୨୦୦୦ ଫେବ୍ରୁଆରୀ ୨୧ରେ ପ୍ରୟାଣ।
‘ସୂର୍ଯ୍ୟ ଓ ଅନ୍ଧକାର’ (୧୯୭୪) କବିତା ପୁସ୍ତକ ପାଇଁ ସେ ପାଇଥିଲେ ‘ସାହିତ୍ୟ ଅକାଦେମି’ ପୁରସ୍କାର (୧୯୭୫)। ସେଥିରେ ଅଛି ‘କବିତା ହୁଏନି ବନ୍ଧୁ’ ଶୀର୍ଷକ ଏକ କବିତା। ତାହା କେବଳ କବିତା ନୁହେଁ; କବିତା ନାମରେ ଚାଲିଥିବା ଅକବିତାର ଏକ ପ୍ରତିବାଦ।
ସେହି ସମୟର ଗୋଟିଏ ବିଧାନସଭା ବଜେଟ୍ ଅଧିବେଶନରେ, ଦେଶର ତଥା ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନାବେଳେ, କବିତାରେ କବିତାରେ ଜମି ଉଠିଥିଲା ବାଦୀ ପାଲା। ସମ୍ବାଦପତ୍ରଗୁଡ଼ିକରେ ସେହିସବୁ କବିତାର ସ୍ୱରୂପ ମଧ୍ୟ ପ୍ରକାଶ ପାଇଥିଲା। ତାହାର ପ୍ରତିବାଦରେ କବି ଶ୍ରୀ ଗଡ଼ନାୟକ ଲେଖିଥିଲେ ଏହି କବିତା।
ସେହି କବିତାର ପ୍ରଥମ ପଦରେ ସେହି କବିବନ୍ଧୁମାନଙ୍କୁ ସମ୍ବୋଧନ କରି ସେ କହିଥିଲେ- ପଦ ସଙ୍ଗେ ପଦ ଯୋଡ଼ିଦେଲେ, ବା ସୁର୍ ଧରି ଛନ୍ଦ ବୋଲିଦେଲେ କବିତା ହୁଏନା। କାରଣ, ପ୍ରଖର ଖରାରେ ଯେଉଁ ମରୀଚିକା ଆଖିକୁ ଝଲମଲ ଦେଖାଯାଏ, ତାହା ତୃଷାର୍ତ୍ତର ଆକାଂକ୍ଷିତ ଜଳ ନୁହେଁ।
ଏହା କହିବା ସହିତ, ସେ ଉପରୋକ୍ତ ପଦରେ ପ୍ରକୃତ କବିତାର ସଂଜ୍ଞା ଦେଇ କହିଥିଲେ- କବିତା ହେଉଛି ପ୍ରାଣର ଧର୍ମ। ତାହାର ସୃଷ୍ଟି ହୁଏ ହୃଦୟର ବିଦଗ୍‌ଧ ମମତାରୁ। ତାହା ଆଦିକବି ବାଲ୍ମୀକିଙ୍କ ପଦ ପରି ଅନ୍ତରରୁ ଉଚ୍ଚାରିତ ଶୋକର ସଜଳ ଶ୍ଳୋକ। ସେଥିରେ ଥାଏ ବେଦନାର, ବିପ୍ଳବର କଥା।
ସେହି କବିତାକୁ ଏବେ ବିତି ଗଲାଣି ଦୀର୍ଘ ଅର୍ଦ୍ଧଶତାବ୍ଦୀ। କିନ୍ତୁ ତାହାର କଷଟିରେ ନିଜ ନିଜର କବିତାକୁ ପରଖି ନେବାର ପ୍ରୟୋଜନ ଆଜି ବି ଅନୁଭୂତ ହେଉଛି।

Advertisment